ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ମାଗଣା ସିଟି ସ୍କାନ, ଏମ୍‌ଆର୍‌ଆଇ

୧୩ କୋଟିର ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ହେବ ୧୧ଟି ସାଟେଲାଇଟ୍ କ୍ୟାନ୍‌ସର୍‌ କେୟାର ୟୁନିଟ୍‌

କଟକ : କଟକ ଆଚାର୍ଯ୍ୟ ହରିହର ସ୍ନା‌ତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ୧୩ କୋଟି ଟଙ୍କା ବ୍ୟୟରେ ସିଟି ସ୍କାନ୍‌ ଓ ଏମ୍‌ଆରଆଇ ମେସିନ୍‌କୁ ଲୋକର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଦାନ ଯୋଜନା ମାଧ୍ୟମରେ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇଦିଆଯିବ। ବର୍ଷବର୍ଷ ହେଲା କର୍କଟ କେନ୍ଦ୍ରର ରୋଗୀ ସିଟି ସ୍କାନ୍‌ ଓ ଏମ୍‌ଆରଆଇ ମାଧ୍ୟମରେ ରୋଗ ନିରୂପଣ ପାଇଁ କଟକ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରୁଥିଲେ। ଏବେ ଏହି ସମସ୍ୟା ଆଉ ରହିବନାହିଁ।

ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାର ଲୋକାର୍ପଣ କରିଥିବା ବେଳେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଅତିରିକ୍ତ ମୁ୍‌ଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର ଅନନ୍ୟା ଦାସ, କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଢଙ୍ଗୀ, କେନ୍ଦ୍ରର ଡିନ୍‌ ପ୍ରଫେସର ଡାକ୍ତର ନିରଞ୍ଜନ ରାଉତ, ଅଧୀକ୍ଷକ ପ୍ରଫେସର ଡାକ୍ତର ପଦ୍ମାଳୟା ଦେବୀ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା ଓ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ପ୍ରଶାସନିକ ଅଧିକାରୀ ରୁଦ୍ର ପ୍ରସାଦ ଦାଶଙ୍କ ସମେତ ସମସ୍ତ ବିଭାଗୀୟ ପ୍ରଫେସର ଓ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଲୋକେ ଯେପରି ସବୁ ସ୍ଥାନରେ କର୍କଟ ରୋଗର ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟରେ ୧୧ଟି ସାଟେଲାଇଟ୍‌ କ୍ୟାନ୍‌ସର କେୟାର ୟୁନିଟ୍‌ ସ୍ଥାପନ କରାଯିବ। ତିନୋଟି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲା ଓ ମେଡିକାଲ କଲେଜର, ହେଡ୍‌ କ୍ବାର୍ଟର ହସ୍ପିଟାଲରେ ଏହା ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଛଅଟି ସ୍ଥାନ ବରଗଡ, କ୍ୟାପିଟାଲ ହସ୍ପିଟାଲ, ଭୀମସାର, ଏମ୍‌କେସିଜି, ଏସ୍‌ଏନ୍‌ଏନ୍‌ ମେଡିକାଲ କଲେଜ କୋରାପୁଟ, କେନ୍ଦୁଝରଠାରେ ୫୭୭ କୋଟି ଟଙ୍କା ବ୍ୟୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ସ୍ଥାନ ଚିହ୍ନଟ, ବ୍ୟୟ ଅଟକଳ ଚୂଡାନ୍ତ ହୋଇସାରିଛି। ସେହିପରି ୨ୟ ପର୍ଯ୍ୟାୟରେ ରାଜ୍ୟର ଦୁଇଟି ସ୍ଥାନରେ ଅର୍ଥାତ୍‌ ଏଫ୍‌.ଏମ୍‌ ମେଡିକାଲ କଲେଜ ଓ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ, ଏବଂ ତୃତୀୟ ପର୍ଯ୍ୟାୟରେ ବାରିପଦା ମେଡିକାଲ କଲେଜ, ବଲାଙ୍ଗୀର ମେଡିକାଲ କଲେଜ ଓ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ସାଟେଲାଇଟ୍‌ କ୍ୟାନ୍‌ସର କେୟାର ୟୁନିଟ୍‌ ଖୋଲାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଅତିରିକ୍ତ ମୁ୍‌ଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କର୍କଟ ରୋଗୀ ନିରୂପଣ ଓ ଚିକିତ୍ସା ସେବା ସମ୍ପର୍କରେ ସୂଚନା ଦେଇଥିଲେ। କଟକ ଆଚାର୍ଯ୍ୟ ହରିହର ସ୍ନା‌ତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ପ୍ରତିବର୍ଷ ୫୦ ହଜାର କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଦୈନିକ ୭୦୦ ରୋଗୀ ରାଜ୍ୟ ଓ ରାଜ୍ୟ ବାହାରୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ, ରାଜ୍ୟରେ ଥିବା ୭୬ ପ୍ରତିଶତ କର୍କଟ ରୋଗୀ ଏହିଠାରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ୩୨ ହଜାର କର୍କଟ ରୋଗୀ ଏଠାରେ କେମୋଥେରାପି ସାଇକଲ୍‌ ନେଇଥିବା ବେଳେ ସବୁ ପ୍ରକାର ଚିକିତ୍ସା ସୁବିଧା ଏହି କେନ୍ଦ୍ରରୁ ଲୋକ ପାଇପାରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ। କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଷଢଙ୍ଗୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର