ପଙ୍ଗୁ ହୋଇଯିବ ଏମ୍‌କେସିଜି! ଶିଶୁରୋଗ ବିଭାଗର ୩ ଡାକ୍ତରଙ୍କ ବଦଳି

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ସର୍ବବୃହତ୍‌ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ଅଧିକାଂଶ ସମୟ ସରକାରୀ ଅବହେଳାର ଶିକାର ହୋଇଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ମେଡିକାଲ କଲେଜ ଖୋଲିବାପରେ ଏଠାରୁ ବହୁ ଡାକ୍ତର ଓ ବିଶେଷଜ୍ଞଙ୍କୁ ବଦଳି କରାଯାଇଛି। କିନ୍ତୁ ତାଙ୍କ ସ୍ଥାନରେ ଶତପ୍ରତିଶତ ନୂତନ ନିଯୁକ୍ତି ଦିଆଯାଉନାହିଁ।

ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏମ୍‌କେସିଜି ମେଡିକାଲର ୬ଜଣ ସହକାରୀ ପ୍ରଫେସର ପ୍ରଫେସର ପଦବିକୁ ପଦୋନ୍ନତି ପାଇଛନ୍ତି। ତନ୍ମଧ୍ୟରୁ ୫ଜଣଙ୍କୁ ଅନ୍ୟ ମେଡିକାଲକୁ ବଦଳି କରାଯାଇଥିବା ବେଳେ ବଦଳରେ ଜଣେ ମାତ୍ର ପ୍ରଫେସର ଏମ୍‌କେସିଜି ମେଡିକାଲକୁ ଆସିଛନ୍ତି। ସେହିପରି ଶିଶୁରୋଗ ବିଭାଗର ୩ଜଣ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି। ଅଭିଜ୍ଞ ଡାକ୍ତରଙ୍କୁ ଏଠାରୁ ବଦଳି କରାଯାଉଥିବା ବେଳେ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଉନାହିଁ। ଏଣୁ ଏମ୍‌କେସିଜି ମେଡିକାଲକୁ ଜାଣିଶୁଣି ପଙ୍ଗୁ କରାଯାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ଆଗାମୀ ଦିନରେ ଜନଅସେନ୍ତାଷ ମୁଣ୍ଡ ଟେକିବାର ସମ୍ଭାବନା ବି ଦେଖାଦେଇଛି।

image source–new indian express

ନିକଟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଆସୋସିଏଟ୍‌ ପ୍ରଫେସର ଡା. ଉମାଶଙ୍କର ମିଶ୍ର, ଶିଶୁରୋଗ ବିଭାଗ ଡାକ୍ତର ସୁନୀଲ କୁମାର ଅଗ୍ରୱାଲ୍‌, ସର୍ଜରି ବିଭାଗ ଡାକ୍ତର ମନୋଜ କୁମାର ସେଠୀ, ବାୟୋକେମେଷ୍ଟ୍ରି ବିଭାଗ ଡାକ୍ତର ଅନୁଭା ମିଶ୍ର, ଫିଜିଓଲୋଜି ବିଭାର ଡାକ୍ତର ବିଭୂପଦ ମହାପାତ୍ର ଓ ମାନସିକ ରୋଗ ବିଭାଗର ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପ୍ରଫେସର ପଦବିକୁ ପଦୋନ୍ନତି ମିଳିଛି। ଏହି ୬ଜଣ ଡାକ୍ତରଙ୍କ ମଧ୍ୟରୁ ୫ଜଣଙ୍କ ଅନ୍ୟତ୍ର ବଦଳି ହୋଇଛି। ଠିକ୍‌ ସେହିପରି ୮ଜଣ ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କୁ ଆସୋସିଏଟ୍‌ ପ୍ରଫେସର ଭାବେ ପଦୋନ୍ନତି ଦିଆଯାଇଛି। ତନ୍ମଧ୍ୟରୁ ୪ଜଣଙ୍କୁ ଏମ୍‌କେସିଜି ମେଡିକାଲରେ ଅବସ୍ଥାପିତ କରାଯାଇଥିବା ବେଳେ ୪ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମାତ୍ର ୨ଜଣଙ୍କ ଏମ୍‌କେସିଜି ମେଡିକାଲ କଲେଜକୁ ବଦଳି ହୋଇଛି। ସେହିପରି ପଦୋନ୍ନତି ପରେ ଖାଲି ପଡ଼ିଥିବା ୮ଟି ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବିରେ ମଧ୍ୟ କେହି ନିଯୁକ୍ତି ପାଇ ନାହାନ୍ତି।

ଅନ୍ୟପଟେ ଶିଶୁ ରୋଗ ବିଭାଗରୁ ପ୍ରଫେସର ଅଗ୍ରୱାଲ୍‌ଙ୍କ ସହିତ ଆସୋସିଏଟ୍‌ ପ୍ରଫେସର ପଦବିକୁ ପଦୋନ୍ନତି ପାଇଥିବା ଦୁଇଜଣ ଡାକ୍ତରଙ୍କୁ ବଦଳି କରାଯାଇଛି। ଏମ୍‌କେସିଜି ମେଡିକାଲ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ଜାରି ରହିଲେ ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟସେବା ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ସାଧାରଣରେ ଆଶଙ୍କା ପାଇଛି। ତୁରନ୍ତ ଖାଲି ପଦବି ପୂରଣ ଦିଗରେ ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର