ଖୋଲିଲା ବଡ଼ନାଳ ଡ୍ୟାମ୍ ଗେଟ୍, ଖରିଫ୍ ଚାଷ ପାଇଁ କେନାଲରେ ଛଡ଼ାଗଲା ପାଣି

ରାୟଗଡ଼ା: ଖରିଫ୍ ଚାଷ ପାଇଁ ଜମିକୁ ଜଳ ଯୋଗାଇବାକୁ ଆଜି ବଡ଼ନାଳ ଡ୍ୟାମର ଗେଟ୍ ଖୋଲା ଯାଇଛି। ପୂଜାର୍ଚ୍ଚନା ପରେ ସକାଳ ୧୦ଟା ୩୦ ମିନିଟରେ ପଦ୍ମପୁର ତହସିଲଦାର ନୀଳମାଧବ ମାଝି, ବଡ଼ନାଳ ଡ୍ୟାମ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ବରାଜ କୁମାର ନାୟକଙ୍କ ଉପସ୍ଥିତିରେ କେନାଲକୁ ସଂଯୋଗ ହୋଇଥିବା ଗେଟ୍ ଖୋଲାଯାଇଥିଲା।

ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜିଲ୍ଲାରେ ଚାଷ କାର୍ଯ୍ୟ ସ୍ବାଭାବିକ ହୋଇପାରିନି। ଦୁଇ ଦିନ ପରେ ଶ୍ରାବଣ ମାସ ଆରମ୍ଭ ହେଉଥିଲେ ମଧ୍ୟ ରାୟଗଡ଼ା ଜିଲ୍ଲାରେ ବର୍ଷାର ପରିମାଣ କମ ରହିଛି। ଲଘୁଚାପ ପ୍ରଭାବରେ ଗତ ୩/୪ ଦିନ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିଲେ ମଧ୍ୟ ଆଶାତୀତ ଭାବେ ବର୍ଷା ହେଉନାହିଁ। ଫଳରେ ଜଳଭଣ୍ଡାର, ନଦୀ, ନାଳ ଶୁଖିଲା ପଡିଛି। ଉପରମୁଣ୍ଡରେ ବର୍ଷା ନ ହେବା କାରଣରୁ ବଡ଼ନାଳ ଡ୍ୟାମରେ ମଧ୍ୟ ପାଣି କମ ରହିଛି। ଡ୍ୟାମର ଜଳଧାରଣ କ୍ଷମତା ୧୭୬ ମିଟର ରହିଥିବା ବେଳେ ଏବେ ଜଳସ୍ତର ୧୬୩ ମିଟର ରହିଛି। ମହଜୁଦ୍ ଥିବା ଜଳ ଦ୍ବାରା ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ହିଁ କେନାଲ ମାଧ୍ୟମରେ ଜଳ‌ ଯୋଗାଇବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି।

ଚଳିତ ବର୍ଷ ଗୁଣପୁର କୃଷି ଜିଲ୍ଲାରେ ୧୮ ହଜାର ୪୨୨ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରହିଛି।  ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ପ୍ରତିଶତ ଚାଷୀ ହିଁ ତଳି ପକାଇବା ସହ ବୁଣାବୁଣି କାମ ସାରିଛନ୍ତି। ଆଷାଢ଼ରେ ବର୍ଷା ବଦଳରେ ମୁଣ୍ଡଫଟା ଖରା ହେଉଥିବାରୁ ଅଧିକାଂଶ ଜମି ପଡ଼ିଆ ପଡିବା ସହ ଫାଟି ଆଁ କରି ରହିଛି। ଆଜି ଡ୍ୟାମରୁ ଜଳ ନିଷ୍କାସନ ପରେ ଚାଷୀଙ୍କ ମୁହଁରେ ହସ ଫୁଟିଛି। ଦିନେ, ଦୁଇ ଦିନ ଭିତରେ ୪ ବ୍ଲକର ଜଳସେଚିତ ଜମିକୁ ଜଳ ପହଞ୍ଚିବାକୁ ଥିବାରୁ ଚାଷ କାମ ଆରମ୍ଭ ପାଇଁ ଚାଷୀ ତତ୍ପର ହୋଇଛନ୍ତି। ଖରିଫ୍ ଋତୁରେ ୯ ହଜାର ଏବଂ ରବିରେ ୩ ହଜାର ହେକ୍ଟର ଜମିକୁ ଜଳ ଯୋଗାଇ ଆସୁଛି ବଡ଼ନାଳ ଡ୍ୟାମ୍। ଚଳିତ ବର୍ଷ ଡ୍ୟାମ୍ ଶୁଖିଲା ପଡିଥିବାରୁ ଆଗକୁ ଧାନ ଚାଷ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର