ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ପାଳନ

ବାରିପଦା: ବିଶ୍ୱ ଆଦିବାସୀ ଦିବସ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଏକ ଆଭାଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଗୁଲ୍ ମିଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର କିଶୋର କୁମାର ବସା ପୌରୋହିତ୍ୟ କରି ଏହି ଦିବସର ଉଦ୍ଦେଶ୍ୟ ଓ ବିଶେଷତ୍ତ୍ୱ ସଂପର୍କରେ ଆଲୋକପାତ କରି ତଥାକଥିତ ସଭ୍ୟସମାଜ ଆଦିବାସୀ ମାନଙ୍କୁ ଅଶିକ୍ଷିତ, ଅସଭ୍ୟ ଭାବି ତାଙ୍କଠୁ ଦୂରେଇ ନ ଯାଇ ବରଂ ସେମାନଙ୍କ ଠାରୁ ପ୍ରକୃତି ସହ ସହାବସ୍ଥାନ, କୌଳିକ ବିଦ୍ୟା, ସ୍ୱଦେଶୀ ଜ୍ଞାନ କୌଶଳ ପ୍ରଭୃତି ଆହରଣ କରିବା ଉଚିତ୍ ବୋଲି ମତପୋଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କମଳ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ପରିଚାଳନା କରିଥିଲେ । ଏହି ଆଭାଷୀ କାର୍ଯ୍ୟକ୍ରମରେ ଗୌହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉପଳ ବରୁଆ, ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସମସ୍ତ ଛାତ୍ରଛାତ୍ରୀ ଓ ଗବେଷକ ଅଂଶଗ୍ରହଣ କରିଥିଲେ ।

ସେହିପରି ଭାରତ ମୁଣ୍ଡା ସମାଜ ତରଫରୁ ମଧ୍ୟ ଆଜି ୨୭ତମ ବିଶ୍ୱ ଆଦିବାସୀ ଦିବସ ସ୍ଥାନୀୟ ବିର୍ସାମୁଣ୍ଡା ମେମୋରିଆଲ ହଲରେ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ ମହାସଭାର ଓଡ଼ିଶା ରାଜ୍ୟ ଆବାହକ ମାନଗୋବିନ୍ଦ ବେଶ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ, କୋଷାଧ୍ୟକ୍ଷ ବାଇଧର ସିଂ, ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ, ପୁର୍ଣ୍ଣଚନ୍ଦ୍ର ସିଂ, ନରେଶ ଚନ୍ଦ୍ର ସିଂ, ସରପଞ୍ଚ ବୈଦନାଥ ସିଂ, ମୁଣ୍ଡା ଶିକ୍ଷକ ବୁଧିଆ ସିଂ ଓ ବାଉଳା ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ସକ୍ରିୟ ସଦସ୍ୟ ହରିହର ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର