ଆଜି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ: ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟାର ୬୭ ପ୍ରତିଶତ ଯୁବବର୍ଗ

କଟକ: ସେପ୍ଟେମ୍ବର ୧୦ରେ ପାଳନ ହେଉଛି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ। ସାରା ବିଶ୍ବରେ ଆତ୍ମହତ୍ୟାର ସଂଖ୍ୟା ଉଦ୍‌ବେଗଜନକ ଭ‌ାବେ ବଢୁଥିବା ଦୃଷ୍ଟିରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଦିନର ଶୀର୍ଷକ ରଖିଛି ‘ସମସ୍ତେ ମିଳିମିଶି ଆସନ୍ତୁ ଆତ୍ମହତ୍ୟାକୁ ରୋକିବା’ ବାରମ୍ବାର ସଚେଚନତା ସତ୍ବେ ଆତ୍ମହତ୍ୟା ସଂଖ୍ୟା କମିବା ବଦଳରେ ବଢି ଚାଲିଛି। ଅଧିକ ଉଦବେଗର କାରଣ ହେଉଛି ଆତ୍ମହତ୍ୟା କ୍ଷେତ୍ରରେ ଜାତୀୟ ହାରଠାରୁ ବି ଆଗରେ ରହିଛି ଓଡିଶା। ଆତ୍ମହତ୍ୟା ସଂଖ୍ୟାର ଜାତୀୟ ହାର ୧୦.୪ ପ୍ରତିଶତ ଥିବା ବେଳେ ଓଡିଶାରେ ଏହା ୧୦.୫ ପ୍ରତିଶତ ରହିଛି। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ୫ ବର୍ଷରେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁସାରେ ଭାରତରେ ୬ ଲକ୍ଷ ୬୮ ହଜାର ୧୫୭ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୯ ପରଠାରୁ ଏହାର ତଥ୍ୟ ସାର୍ବଜନୀନ ହୋଇପାରିନି। କରୋନା ସମୟରେ ଯଦିଓ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି ବୋଲି କୁହାଯାଉଛି କିନ୍ତୁ ଏହାର ନିର୍ଦ୍ଦିଷ୍ଟ ସଂଖ୍ୟା ଜାରି କରାଯାଇ ନାହିଁ। ସୂଚନା ଅନୁଯାୟୀ ୨୦୧୯ରେ ଭାରତରେ ୧ ଲକ୍ଷ ୪୦ ହଜାର ଲୋକ ଆତ୍ମହତ୍ୟା କରିଥିବା ବେଳେ ଓଡିଶାରେ ୪୫ ଶହ ଜଣ ଆତ୍ମହତ୍ୟା କରିଛନ୍ତି। ଦେଶରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୁବକଙ୍କ ସଂଖ୍ୟା ହେଉଛି ୬୭ ପ୍ରତିଶତ। ଅର୍ଥାତ୍‌ ୧୮ ରୁ ୪୫ ବର୍ଷର ଲୋକ ଅଧିକ ଆତ୍ମହତ୍ୟା କରୁଛନ୍ତି। ଅନ୍ୟପଟେ ୨୦୧୭ ମସିହାରୁ ୨୦୧୯ ମସିହା ମଧ୍ୟରେ ୨୪ ହଜାର କିଶୋର ଓ କିଶୋରୀ (୧୪ ରୁ ୧୮ ବର୍ଷ) ଆତ୍ମହତ୍ୟା କରିଛନ୍ତି। ଭାରତରେ ପ୍ରତି ଦିନ ୩୮୦ଜଣ ଆତ୍ମହତ୍ୟା କରୁଥିବା ବେଳେ ପ୍ରତି ଘଣ୍ଟାରେ ହାରାହାରି ଭାବେ ୧୬ଜଣ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ଦେଶରେ ୧୦ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ପ୍ରତି ବର୍ଷ ବିଶ୍ବରେ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ଭାତରରେ ୨୦୧୫ରେ ୧ଲକ୍ଷ ୩୩ହଜାର ୬୨୩ଜଣ, ୨୦୧୬ରେ ୧ଲକ୍ଷ ୩୧ହଜାର ୮ ଜଣ, ୨୦୧୭ରେ ୧ଲକ୍ଷ ୨୯ହଜାର ୮୮୭ ଜଣ, ୨୦୧୮ରେ ୧ଲକ୍ଷ ୩୪ହଜାର ୫୧୬ଜଣ, ୨୦୧୯ରେ ୧ଲକ୍ଷ ୩୯ହଜାର ୧୨୩ଜଣ ଆତ୍ମହତ୍ୟା କରିଛନ୍ତି। ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡାକ୍ତର ସତ୍ୟକାମ ମହାପାତ୍ର କହିଛନ୍ତି ଯେ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଉଛି। ପାଠପଢାର ଚାପ, ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ଅସଫଳ ହେବା ଓ ଭଲ ଚାକିରି ନ ପାଇବା ଆଦି ଅନେକ କାରଣ ରହୁଛି।

ଚାକିରି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାରର ସମ୍ମୁଖୀନ ଯୋଗୁଁ ମଧ୍ୟ ମାନସିକ ଦୁଶ୍ଚିନ୍ତାରୁ ଅନେକେ ଆତ୍ମହତ୍ୟା କରୁଛନ୍ତି। ଆଧୁନିକ ଭାରତୀୟ ସମାଜରେ ଯୌଥ ପରିବାରର ପରମ୍ପରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲାଣି। ଏହା ଛଡା ଉଭୟ ବାପାମା’ ଚାକିରି କରିବାର ଚଳଣି ବଢିବାରେ ଲାଗିଲାଣି। ଉଭୟ କାରଣ ଯୋଗୁଁ କିଶୋର ଓ କିଶୋରୀମାନେ ନିଜ ମନର ଭାବନା ଏବଂ ବେଦନାର ଆଦାନ ପ୍ରଦାନ କରିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଦେଖାଯାଇଛି ଯେ ଅନେକ କିଶୋରକିଶୋରୀ ଅନଲାଇନ ଗେମ ଖେଳି ଆତ୍ମହତ୍ୟା କରୁଛନ୍ତି। ଯୁବକ ଯୁବତୀମାନେ ନିଜର ଆତ୍ମବିଶ୍ଵାସ ଓ ଆତ୍ମସଂଯମ ବଢାଇବା ଉଚିତ। ସକାରାତ୍ମକ ମନୋଭାବ ନେଇ କାମ କରିବା ଉଚିତ। ଛାତ୍ରଛାତ୍ରୀମାନେ ନିଜର ପାଠପଢାକୁ ଯୋଜନାବଦ୍ଧ ଭାବରେ କରନ୍ତୁ, କୌଣସି ଜିନିଷକୁ ଆଦୌ ଚାପ ବୋଲି ଭାବନ୍ତୁ ନାହିଁ। ନିଜ ମନର କଥା ନିଜ ନିକଟତର ଲୋକଙ୍କୁ ଜଣାନ୍ତୁ। ଅସୁବିଧା ସଂପର୍କରେ ଅନ୍ୟମାନଙ୍କ ସହିତ ବିଚାରବିମର୍ଶ କରନ୍ତୁ। ଭାବପ୍ରବଣ ହୋଇ ହଠାତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯଦି ପରିବାରର କୌଣସି ବ୍ୟକ୍ତି ଠାରେ ଆତ୍ମହତ୍ୟାପ୍ରବଣତା ଦେଖାଯାଏ ତେବେ ତାଙ୍କର ସମ୍ପର୍କୀୟମାନେ ସାହାଯ୍ୟ, ସହଯୋଗର ହାତ ବଢାନ୍ତୁ। ବ୍ୟକ୍ତିକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ। ଉପଯୁକ୍ତ ଚିକିତ୍ସା କରାନ୍ତୁ। ବ୍ୟକ୍ତିକୁ କେବେ ବି ଏକୁଟିଆ ଛାଡନ୍ତୁ ନାହିଁ। ତାର ମନରେ ଉତ୍ସାହ ବଢାଇଲା ଭଳି କଥାବାର୍ତ୍ତା କରନ୍ତୁ। ନିଶାଠାରୁ ଦୂରେଇ ରଖନ୍ତୁ।

ସେହିପରି କଟକ ସିଟି ହସପିଟାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ରଙ୍କ କହିବା ଅନୁଯାୟୀ, କରୋନା ଯୋଗୁ ମାନସିକ ରୋଗ ବୃଦ୍ଧି ପାଇଛି। ଅନେକ ଘରୋଇ ସ˚ସ୍ଥା ବନ୍ଦ ହୋଇଯାଇଛି। ନିଯୁକ୍ତି ହରାଇଥିବା ବ୍ୟକ୍ତି ମାନସିକ ଚାପରେ ରହୁଛନ୍ତି। ସ୍କୁଲ, କଲେଜ ବନ୍ଦ ହୋଇଥିବାରୁ ପିଲାମାନେ ସାଙ୍ଗମାନଙ୍କ ନିକଟରୁ ଦୂରେଇ ଯାଇଛନ୍ତି। ଘରେ ପୁରୁଷ ସଦସ୍ୟ ନିଯୁକ୍ତି ହରାଇ ଘରେ ରହୁଛନ୍ତି। ଏସବୁ ଆତ୍ମହତ୍ୟାର ପ୍ରମୁଖ କାରଣ ହେଉଛି। କରୋନା ସ˚କ୍ରମଣ ନିୟନ୍ତ୍ରଣରେ ଥିବାରୁ ବାହାର ଦୁନିଆ ସହିତ ଦୂରତା କମାଇବାର ଆବଶ୍ୟକତା ରହିଛି। ନିୟମିତ ଯୋଗ, ପ୍ରାଣାୟମ କରିବା ସହିତ ମାନସିକ ସ୍ତରରେ ଅସ୍ଥିର ରହୁଥିବା ବ୍ୟକ୍ତି ତୁରନ୍ତ ଡାକ୍ତରଙ୍କ ଦ୍ବାରା କାଉନସେଲି˚ କରିବା ଜରୁରୀ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର