‘ସେରନଡିପ୍‌’

ଆମ ଦେଶର ଗଣମାଧୢମଗୁଡ଼ିକ ଏକ ଅପେକ୍ଷାକୃତ ଦୂର ପଡ଼ୋଶୀ ଦେଶ (ଆଫଗାନିସ୍ତାନ)ରେ ଦେଖା ଦେଇଥିବା ଘୋର ମାନବୀୟ ଦୁର୍ଦଶା ଉପରେ ଧୢାନ କେନ୍ଦ୍ରୀଭୂତ କରି ରଖିଥିବା ବେଳେ ଏକ ନିକଟତର ପଡ଼ୋଶୀ ଦେଶ ସମ୍ମୁଖୀନ ହେଉଥିବା ଅଭୂତପୂର୍ବ ଦୁଃସ୍ଥିତିକୁ ପ୍ରାୟ ସ˚ପୂର୍ଣ୍ଣ ନଜରଅନ୍ଦାଜ କରି ଦେଇଛନ୍ତି। ଏହି ଦେଶଟି ହେଉଛି ଶ୍ରୀଲଙ୍କା, ଯାହା ସ˚ପ୍ରତି ଆର୍ଥିକ ସ˚କଟର ଏକ ଚକ୍ରବାତ ଭିତରେ ପଡ଼ିଯାଇ ନିଜକୁ ସମ୍ଭାଳି ରଖିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ପ୍ରକାଶ ଥାଉ କି ଗଲା ଅଗଷ୍ଟ ୩୧ ତାରିଖରେ ଶ୍ରୀଲଙ୍କା ସରକାର ଏକ ଆର୍ଥିକ ଜରୁରୀକାଳୀନ ସ୍ଥିତି ଜାରି କରି ସାରିଛନ୍ତି। ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟର ଅଭୂତପୂର୍ବ ଅନଟନ ଓ ତଜ୍ଜନିତ ଦରବୃଦ୍ଧି ସହିତ ଶ୍ରୀଲଙ୍କାରେ ବୈଦେଶିକ ମୁଦ୍ରା ପାଣ୍ଠିରେ କେବେ ଦେଖା ଦେଇ ନ ଥିବା ଭଳି ସ˚କୋଚନ ଘଟିଛି। କହି ରଖାଯିବା ଉଚିତ ହେବ ଯେ ୨୦୧୯ ବେଳକୁ ୨.୧ କୋଟି ଜନସ˚ଖ୍ୟା ବିଶିଷ୍ଟ ଏହି କ୍ଷୁଦ୍ର ଦ୍ବୀପଟି ଦକ୍ଷିଣ ଏସିଆର ସର୍ବାଧିକ ସ୍ବଚ୍ଛଳ ରାଷ୍ଟ୍ର ରୂପେ ପରିଚିତ ଥିଲା, ଯାହାର ଜି.ଡି.ପି. ବା ଜାତୀୟ ଆୟ ଥିଲା ଭାରତର ପ୍ରାୟ ଦୁଇ ଗୁଣ। ତେଣୁ ୨୦୨୦ ଏବ˚ ୨୦୨୧; ଏହି ମାତ୍ର ଦୁଇ ବର୍ଷ ମଧୢରେ ଶ୍ରୀଲଙ୍କା କାହିଁକି ଆର୍ଥିକ ଦୁର୍ଦଶାର ଗର୍ତ୍ତ ମଧୢକୁ ନିକ୍ଷେପିତ ହୋଇଗଲା, ତା’ର ଉତ୍ତର ଖୋଜାଯିବା ଏକାନ୍ତ ଆବଶ୍ୟକ ଭଳି ମନେ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଏହି ସଂକଟ ଉପରେ ଦୃଷ୍ଟିପାତ କଲେ ଯେଉଁ ତିନିଟି କାରଣ ସହସା ଦୃଷ୍ଟିଗୋଚର ହୋଇଥାଏ, ସେଗୁଡ଼ିକ ହେଲେ ଭାଗ୍ୟ, ବାଧୢବାଧକତା ଏବ˚ ଅପରିଣାମଦର୍ଶିତା।

୨୦୨୦ ମସିହା ମାର୍ଚ୍ଚ ମାସରୁ ସାରା ପୃଥିବୀ କୋଭିଡ୍‌ ପାନ୍‌ଡେମିକ୍‌ ଜନିତ ‘ଲକ୍‌ଡାଉନ୍‌’ ଅଧୀନକୁ ଚାଲିଯିବା ସହିତ ଶ୍ରୀଲଙ୍କାର ଅର୍ଥନୀତି ଏକ ଘାତକ ପ୍ରହାର ସହିଥିଲା। କାରଣ ମାଲଡିଭ୍‌ସ ବା ମରିସସ୍‌ ଭଳି ଶ୍ରୀଲଙ୍କାର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ହିଁ ନିର୍ଭରଶୀଳ। ଏକ ହିସାବ କହିଥାଏ ଯେ ଏହି କାରଣରୁ ଶ୍ରୀଲଙ୍କାର ପର୍ଯ୍ୟଟନ ଅର୍ଥନୀତି ୯୯.୬ ପ୍ରତିିଶତ କ୍ଷତିଗ୍ରସ୍ତ ହୋଇଛି। ଯଦିଓ ସ˚ପ୍ରତି ଅତି ମନ୍ଥର ଏବ˚ ଅନିଶ୍ଚିତ ଭାବରେ ପର୍ଯ୍ୟଟକଙ୍କ ଚଳପ୍ରଚଳର କ୍ଷୀଣ ଧାରମାନ ସୃଷ୍ଟି ହେଲାଣି, ତାହା ଶ୍ରୀଲଙ୍କା ଅର୍ଥନୀତିରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନକୁ ପୂରଣ କରିବାକୁ ଅସମର୍ଥ। କେବଳ ସେତିକି ନୁହେଁ, ଗୋଟିଏ ସମୟରେ ଶ୍ରୀଲଙ୍କାରେ ପାନ୍‌ଡେମିକ୍‌ର ପ୍ରକୋପ ଅତ୍ୟନ୍ତ ଭୟାବହ ହୋଇଥିବାରୁ ଯେଉଁ କିଛି ଭାରତୀୟ ବା ଚୀନୀୟ ଅତି-ଧନୀକ ଭଡ଼ା ବିମାନରେ ଉଡ଼ିଯାଇ ମହାମାରୀ ଠାରୁ ଦୂରରେ ମଉଜ କରିବାର ଇଚ୍ଛା କଲେ, ସେମାନେ ଶ୍ରୀଲଙ୍କାର ବିକଳ୍ପ ମାଲଡିଭ୍‌ସ ବା ମରିସସ୍‌ରେ ପାଇଥିଲେ। ପୁଣି ପାନ୍‌ଡେମିକ୍‌ ପୂର୍ବରୁ ଅର୍ଥାତ୍‌ ୨୦୧୯ ମସିହା ଏପ୍ରିଲ ୨୧ ତାରିଖରେ ଇଷ୍ଟର ପାଳିତ ହେଉଥିବା ଅବସରରେ କଲୋମ୍ବୋ ଠାରେ ସ˚ଘଟିତ ହୋଇଥିବା ଏକ ଭୟାବହ ଆତଙ୍କବାଦୀ ସିରିଆଲ ବୋମା ବିସ୍ଫୋରଣରେ ୨୬୯ ଜଣଙ୍କ ପ୍ରାଣହାନି ଘଟିଥିଲା, ଯହିଁରୁ ଅନେକ ବିଦେଶୀ ପର୍ଯ୍ୟଟକ ଥିଲେ। ସୁତରା˚, ଏହା ଦ୍ବାରା ବିଦେଶୀ ପର୍ଯ୍ୟଟକମାନଙ୍କ ମଧୢରେ ସୃଷ୍ଟ ଭୟ ଅନେକା˚ଶରେ ଅକ୍ଷୁଣ୍ଣ ରହି ଶ୍ରୀଲଙ୍କାକୁ ଏକ କୁଣ୍ଠାପୂର୍ଣ୍ଣ ଗନ୍ତବ୍ୟରେ ପରିଣତ କରିଥିଲା। ଏତିକି ବେଳେ କରୋନାର ପ୍ରହାର ତାହାକୁ ସ˚ପୂର୍ଣ୍ଣ ବିଧ୍ବସ୍ତ କରି ପକାଇଛି। ସୁତରା˚, ଏକ ପ୍ରତିକୂଳ ଭାଗ୍ୟ ଭୋଗ ଯେ ଶ୍ରୀଲଙ୍କାକୁ ଏଭଳି ସ୍ଥିତିରେ ପକାଇଛି, ତାହା କହିବା ଅନାବଶ୍ୟକ।
ବର୍ତ୍ତମାନ ଶ୍ରୀଲଙ୍କାର ଆୟ ହ୍ରାସ ସହିତ ଆଉ ଯାହା ଘୋର ଚିନ୍ତାର କାରଣ ଭାବେ ଆବିର୍ଭୂତ ହୋଇଛି, ତାହା ହେଲା ବୈଦେଶିକ ମୁଦ୍ରା ପାଣ୍ଠିରେ ପୂର୍ବରୁ କେବେ ଦେଖା ଦେଇ ନ ଥିବା ଭଳି ସ˚କୋଚନ; ଏହି ପାଣ୍ଠିରେ ଏବେ ରହିଛି ମାତ୍ର ୨.୮ ବିଲିଅନ ଡଲାର, ଯାହା ଦୁଇ ବର୍ଷ ପୂର୍ବର ପରିମାଣର ଏକ ତୃତୀୟା˚ଶ। ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠିଥାଏ ଯେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ପାଣ୍ଠିର ସ୍ଥିତି ଏଭଳି ଦୁର୍ବଳ ହୋଇପଡ଼ିଲା କାହିଁକି?

ଏହାର ଏକ ଉତ୍ତର ହେଉଛି ଏହି ସମୟ ଖଣ୍ତ ମଧୢରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଉପାର୍ଜନ ତୁଳନାରେ ବ୍ୟୟ ଅଧିକ ହେଉଛି; କାରଣ ବୈଦେଶିକ ମୁଦ୍ରା ଭଣ୍ତାରର ଏକ ବୃହତ୍‌ ଭାଗ ଚୀନ୍‌ ଠାରୁ ଅଣା ଯାଇଥିବା ଋଣ ପରିଶୋଧରେ ଲାଗୁଛି। ଗଲା ବର୍ଷ ଶ୍ରୀଲଙ୍କା ଏହି ସୂତ୍ରରେ ୧.୧ ବିଲିଅନ ଡଲାର ଚୀନ୍‌ର ଋଣ ପରିଶୋଧ କରିବାରେ ବ୍ୟୟ କରିଛି। ଆଉ କିଛି ମାସ ପରେ ଆଉ ଏକ ବର୍ଷ ଅତିକ୍ରାନ୍ତ ହେଲା ବେଳକୁ ଶ୍ରୀଲଙ୍କାର ମୁଣ୍ତ ଉପରେ ୩.୫ ବିଲିଅନ ଡଲାର୍‌ର ଋଣ ପରିଶୋଧର ବୋଝ ଆସି ସାରିଥିବ। କହିବା ବାହୁଲ୍ୟ ଚୀନ୍‌ ଠାରୁ ବିପୁଳ ଋଣ କରି ଶ୍ରୀଲଙ୍କା ଚୀନ୍‌ର ଯୋଜନାବଦ୍ଧ ଋଣ ଯନ୍ତା ଚକ୍ରାନ୍ତର ଶିକାର ହୋଇ ତା’ର ଏକ କ୍ରୀତଦାସ-ରାଷ୍ଟ୍ରରେ ପରିଣତ ହୋଇଛି। ଚୀନ୍‌ର ଋଣଯନ୍ତା ଚକ୍ରାନ୍ତ ସେତିକି ବେଳେ ସ୍ପଷ୍ଟ ହୋଇଥିଲା, ଯେତେବେଳେ ଋଣ ପରିଶୋଧ କରି ପାରି ନ ଥିବାରୁ ଶ୍ରୀଲଙ୍କା ଦ୍ବାରା ହମ୍ବନଟୋଟା ବନ୍ଦର ଚୀନ ହାତକୁ ୯୯ ବର୍ଷର ଲିଜ୍‌ ସୂତ୍ରରେ ଅର୍ପଣ କରି ଦିଆଯାଇଥିଲା। ଏଭଳି ସ୍ଥିତିରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ତାର ନିକଟ ଭବିଷ୍ୟତ୍‌ରେ ସ୍ଫୀତ ହେବାର ଆଶା ଅତ୍ୟନ୍ତ ନଗଣ୍ୟ। ସ˚ପ୍ରତି ଶ୍ରୀଲଙ୍କା ଏହି ଦୁର୍ବିଷହ ଆର୍ଥିକ ସ˚କଟ କାରଣରୁ ଆହୁରି ଅଧିକ ଋଣଗ୍ରସ୍ତ ହେବ ଏବଂ ତାକୁ ପରିଶୋଧ କରିବାର ଦାୟ ତା’ର ବୈଦେଶିକ ମୁଦ୍ରା ଭଣ୍ତାରକୁ ମୁମୂର୍ଷୁ କରି ରଖିବ।

କେବଳ ସେତିକି ନୁହେ, ଗଣତନ୍ତ୍ର ରୂପରେ ଶ୍ରୀଲଙ୍କାରେ ବିଦ୍ୟମାନ ଅଛି ଗୋଟିଏ ଏକଛତ୍ରବାଦୀ ଶାସନ, ଯାହାର ମୁଖ୍ୟ ଗୋତବାୟା ରାଜପକ୍ଷଙ୍କ ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ସେ ଦେଶର କୃଷିକୁ ବିଧ୍ବସ୍ତ କରି ପକାଇଛି। ସମଗ୍ର ଶ୍ରୀଲଙ୍କାକୁ ଏକ ଜୈବ କୃଷିର ରାଷ୍ଟ୍ର ଭାବେ ଘୋଷଣା କରିବା ସହିତ ବିଶ୍ବ ସମକ୍ଷରେ ଏକ ଦୃଷ୍ଟାନ୍ତ ସ୍ଥାପନ କରିଥିବାର ଆସ୍ଫାଳନର କଡ଼ା ମୂଲ୍ୟ ଶ୍ରୀଲଙ୍କାକୁ ଦେବାକୁ ପଡୁଛି। ଏହି ଘୋଷଣା ସହିତ ଶ୍ରୀଲଙ୍କାରେ ରାସାୟନିକ ସାର ଏବ˚ କୀଟନାଶକ ଉପରେ ଦୃଢ଼ ମୁଷ୍ଟିରେ ନିଷେଧାଦେଶ ଲଗାଯାଇଥିଲା। କିନ୍ତୁ ପରିଣାମରେ ଏବେ ଏହା ହୋଇଛି ଯେ ଯେଉଁ ଫସଲ ବିନଷ୍ଟକାରୀ ଦୁର୍ବାର ରୋଗ ଓ ପୋକର ଆବିର୍ଭାବ ଘଟିଛି, ତା’ର ନିରାକରଣ ଜୈବ ଉପାୟରେ ଆଦୌ ସମ୍ଭବ ନୁହେ। ଫଳରେ ଖାଦ୍ୟ ଶସ୍ୟ ଠାରୁ ଆରମ୍ଭ କରି ଫଳମୂଳ ଓ ପନିପରିବା ଉତ୍ପାଦନ ସା˚ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏବ˚ ସବୁଠାରୁ ଉଦ୍‌ବେଗଜନକ ଭାବେ ଶ୍ରୀଲଙ୍କାର ଅର୍ଥନୀତିକୁ ବଳ ଯୋଗାଉଥିବା ଚା’ ଉତ୍ପାଦନ ମଧୢ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଚା’ ରପ୍ତାନିରୁ ଶ୍ରୀଲଙ୍କା ହାରାହାରି ୧.୨ ବିଲିଅନ ଡଲାର ଆୟ କରିଥାଏ। କୃଷି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କଲେଣି ଯେ ୧୮୬୯ ମସିହାରେ ଯେମିତି ଏକ ‘ଫଙ୍ଗସ୍‌’ ଆକ୍ରମଣ ଶ୍ରୀଲଙ୍କାର କଫି ଚାଷକୁ ନିଶ୍ଚିହ୍ନ କରିଦେଇଥିଲା, ଚା’ ଚାଷ ମଧୢ ସମତୁଲ ଦଶା ଭୋଗିପାରେ। ଗୋଟିଏ ପଟେ ଶ୍ରୀଲଙ୍କା ମୁଦ୍ରା ଦୁର୍ବଳ ହୋଇଯିବା ସହିତ ବୈଦେଶିକ ମୁଦ୍ରା ଭଣ୍ତାରର ଦୁର୍ବଳ ସ୍ଥିତି ଖାଦ୍ୟ ଦ୍ରବ୍ୟ ଆମଦାନିରେ ଘୋର ବିଭ୍ରାଟ ସୃଷ୍ଟି କରିଛି ତ ଅନ୍ୟ ପଟେ ରାଜପକ୍ଷଙ୍କ ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ସେଠାକାର ଖାଦ୍ୟ ଉପଲବ୍‌ଧତାରେ ଏକ ହାହାକାରମୟ ସ୍ଥିତି ସୃଷ୍ଟି କରିଛି।

ଇ˚ରେଜୀରେ ଏକ ଶବ୍ଦ ଅଛି ‘ସେରନଡିପ୍‌’(serendip)। ଏହି ଶବ୍ଦଟିର ମୂଳ ଆସିଛି ପାର୍ସୀ ଶବ୍ଦ ‘ସେରନଡିପ୍‌’ରୁ ଯାହାର ଅର୍ଥ ‘ସି˚ହଳ-ଦ୍ବୀପ’ ବା ଯାହା ଆଜିର ଶ୍ରୀଲଙ୍କା। ୧୭୫୪ ମସିହାରେ ଇଂରେଜ ଲେଖକ ଓ ବିଦ୍ବାନ ହୋରେସ ଵାଲପୋଲ ଏକ ପାରସ୍ୟ ପରୀଗଳ୍ପର ଇ˚ରେଜୀ ଅନୁବାଦ କଲା ପରେ ‘ସେରନଡିପ୍‌’ ଶବ୍ଦଟି ଇ˚ରେଜୀ ଭାଷାରେ ବହୁଳ ଭାବେ ବ୍ୟବହୃତ ହେବା ସହିତ ଯେଉଁ ଅର୍ଥ ଲାଭ କରିଛି ତାହା ହେଲା ‘କୌଣସି ଏକ ଜିନିଷ ଖୋଜୁ ଖୋଜୁ ଦୈବାତ୍‌ ଆଉ ଏକ ବଢ଼ିଆ ଜିନିଷ ହାବୁଡ଼ିଯିବା’। ୱାଲପୋଲଙ୍କ ଅନୁଦିତ ଗଳ୍ପର ନାମ ଥିଲା ‘ଥ୍ରି ପ୍ରିନ୍‌ସେସ୍‌ ଅଫ୍‌ ସେରନଡିପ୍‌’ ବା ‘ସେରନଡିପ୍‌ର ତିନି ରାଜକୁମାର’, ଯହିଁରେ ବର୍ଣ୍ଣିତ ହୋଇଥିଲା କିଭଳି ସିଂହଳର ତିନି ରାଜକୁମାର ବିଭିନ୍ନ ଦୁଃସାହସିକ ଅଭିଯାନରେ ବାହାରି ବାରମ୍ବାର ବିଭିନ୍ନ ସ˚ଯୋଗସୁଲଭ ଆବିଷ୍କାର ଦ୍ବାରା ଚମତ୍କୃତ ହେଉଥଲେ। ଏବେ ସି˚ହଳ-ଦ୍ବୀପରେ ଆର୍ଥିକ ଦୁଃସ୍ଥିତିରୁ ମୁକ୍ତି ପାଇବା ଲାଗି ବିଭିନ୍ନ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଅର୍ଥନୀତିଜ୍ଞମାନେ କହନ୍ତି ଯେ ସ୍ଥିତି ଏଭଳି ଗୁରୁତର ଯେ କେବଳ ଏକ କୁହୁକ ଛଡ଼ି ଦ୍ବାରା ତାକୁ ସୁଧାରିବା ସମ୍ଭବ ହେବ। ତେବେ ଆମେ ଆଶା କରିବା ଉଚିତ ହେବ ଯେ ଶ୍ରୀଲଙ୍କା ତା’ର ଦୁଃସ୍ଥିତିରୁ ମୁକ୍ତି ପାଇବାର ଉଦ୍ୟମରେ ‘ସେରନଡିପ୍‌’ସୁଲଭ ସ˚ଯୋଗ ଦ୍ବାରା ଲାଭବାନ ହେଉ।

ସମ୍ବନ୍ଧିତ ଖବର