ଗାନ୍ଧୀଙ୍କର ଜୀବନ ଓ ଦର୍ଶନ ଉପରେ ଆନ୍ତର୍ଜାତିକ ୱେବିନାର୍‌: ଗାନ୍ଧୀଜୀଙ୍କ ବାର୍ତ୍ତା ଆଜି ବି ପ୍ରାସଙ୍ଗିକ

ନ୍ୟୁୟର୍କ, ଟରୋଣ୍ଟୋ, ଲଣ୍ଡନ, ଦୁବାଇ, ସିଙ୍ଗାପୁର, ମସ୍କୋ, ସିଓଲ, କାନବେରା, ଭୁବନେଶ୍ୱର, ୩।୧୦ : ଅହିଂସାକୁ ମୁକ୍ତି ସଂଗ୍ରାମର ଅମୋଘ ଅସ୍ତ୍ର ସାବ୍ୟସ୍ତ କରି ଗାନ୍ଧୀଜୀ ସାରା ବିଶ୍ୱକୁ ଯେଉଁ ଶକ୍ତ ବାର୍ତ୍ତା ପ୍ରେରଣ କରିଥିଲେ, ତାହା ଏବେ ବି ସଠିକ୍‌ ପ୍ରମାଣିତ ହେଉଛି। ତାଙ୍କର ବିରଳ ଦେଶଭକ୍ତି, ସଂଗ୍ରାମ, ସେବା, ତ୍ୟାଗ ଏବଂ ବଳିଦାନ ସମଗ୍ର ମାନବ ଜାତି ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଥିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମି ଓ ବିଶ୍ୱ ଓଡ଼ିଶା ସମାଜର ମିଳିତ ସହଯୋଗରେ ଆୟୋଜିତ ଆନ୍ତର୍ଜାତିକ ୱେବିନାର୍‌‌ରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା କହିଛନ୍ତି। ‘ଗାନ୍ଧୀ ଚର୍ଚ୍ଚା’ ଶୀର୍ଷକ ଏହି ୱେବିନାର୍‌କୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ।

ବିଭାଗୀୟ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଆମେ ଯଦି ଆଜି ଭାରତୀୟ ବୋଲି କହି ଗର୍ବ ଅନୁଭବ କରୁଛେ, ତା’ର ସମ୍ପୂର୍ଣ୍ଣ ଶ୍ରେୟ ମହାତ୍ମା ଗାନ୍ଧୀଙ୍କୁ ହିଁ ଯିବ। ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଥିଲେ ଯେ ଗାନ୍ଧୀ ଜଣେ ବିସ୍ମୟ ମାନବ ଥିଲେ। ଆଜିର ଯୁବପିଢ଼ି ତାଙ୍କ ଆଦର୍ଶକୁ ଅନୁକରଣ କଲେ, ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ସାହିତ୍ୟ ଏକାଡେମିର ସଭାପତି ଡ. ହୃଷୀକେଶ ମଲ୍ଲିକ ସଭାରେ ପୌରୋହିତ୍ୟ କରି ଗାନ୍ଧୀଙ୍କର ପ୍ରେରଣାଦାୟୀ ଶକ୍ତି ଅସୀମ ଥିଲା ବୋଲି କହିଥିଲେ। ମୁଠେ ଲୁଣ ଉଠାଇ ଦେଇ ସେ ସାରା ଦୁନିଆକୁ ଦେହଲାଇ ଦେଇପାରିଥିଲେ ବୋଲି ଡ. ମଲ୍ଲିକ କହିଥିଲେ। ଏକାଡେମିର ସଚିବ ପ୍ରବୋଧ କୁମାର ରାଉତ ସ୍ବାଗତ ଭାଷଣ ଦେଇ କହିଥିଲେ, ଗାନ୍ଧୀଜୀ ଜଣେ ମଣିଷ ନୁହଁ, ଏକ ଅନୁଷ୍ଠାନ। ସମ୍ମାନିତ ବକ୍ତା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ହରିଜନ ସେବକ ସଂଘର ସଭାପତି ଶଙ୍କର କୁମାର ସାନ୍ୟାଲ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜୀବନଧାରଣର ସମସ୍ତ କ୍ଷେତ୍ରରେ ତଥା ଶାନ୍ତିପୂର୍ଣ୍ଣ ଅବସ୍ଥାନ, ଅନ୍ତୋଦୟ ଅଭିବୃଦ୍ଧି ଏବଂ ସର୍ବାଙ୍ଗୀନ ପ୍ରଗତି ବାବଦରେ ଗାନ୍ଧୀଙ୍କର ସ୍ପଷ୍ଟ ନୀତି ଓ ନିର୍ଦ୍ଦେଶ ରହିଥିବା ଦର୍ଶାଇଥିଲେ। ଗାନ୍ଧୀଙ୍କର କର୍ମମୟ ସମର୍ପିତ ସାଧନା, ତାଙ୍କୁ ଜଣେ ସାଧାରଣ ମଣିଷରୁ ବିଶ୍ୱବିନ୍ଦିତ ମହାତ୍ମାରେ ପରିଣତ କରିଥିଲା ବୋଲି ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀ ସୂଚାଇଥିଲେ। ସ୍ୱାଧୀନ ଓ ସ୍ୱାବଲମ୍ବୀ ଭାରତର ନବନିର୍ମାଣର ନିଅଁ ମଧୁସୂଦନ ଦାସ ଏବଂ ଗୋପବନ୍ଧୁ ଦାସଙ୍କର ଦର୍ଶନ ଉପରେ ଆଧାରିତ କରିବାକୁ ଗାନ୍ଧୀଜୀ ଚାହୁଥିଲେ ବୋଲି ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ଡ. ସଂଗ୍ରାମ ଜେନା ତାଙ୍କର ସମାପନ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ବୈଠକରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଉପସ୍ଥିତ ଥିବାରୁ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଆନନ୍ଦ ପ୍ରକାଶ କରିଥିଲେ। ଏହି ଅବସରରେ ଦୀପକ ଷଡ଼ଙ୍ଗୀ ଗୀତାର୍‌ ଯୋଗେ ରାମଧୁନ୍‌ ଏବଂ ଉଦୀୟମାନ କଳାକାର ଯାଁଳା ଭାଇ ଓମ୍‍ ଓ ସାଇ ମହାପାତ୍ର ଦାସକାଠିଆ ପରିବେଷଣ କରିଥିଲେ। ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ. ନଳିନୀ ପତି ଧନ୍ୟବାଦ ଦେଇଥିଲେ। ଉପସ୍ଥାପକ ଡ. ଦେବାଶିଷ ମହାପାତ୍ର ଏବଂ ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ। ନନ୍ଦନ ଦ୍ୱିବେଦୀ ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ସଫଳତାର ସହ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆବୁଧାବି ଓଡ଼ିଶା ସମାଜର ସଭାପତି ପ୍ରଦୀପ କୁମାର ରଥ, ସିଙ୍ଗାପୁରରୁ ବନୋଜିନୀ ନାୟକ, ଦୁବାଇରୁ ଅମିୟ ମିଶ୍ର, ନେଦରଲାଣ୍ଡରୁ ଶାଶ୍ୱତ ପାଢ଼ୀ, ଲଣ୍ଡନରୁ ଜୟଶ୍ରୀ ନନ୍ଦ, ମସ୍କୋରୁ ସନ୍ତୋଷ ମିଶ୍ର, ଟରୋଣ୍ଟୋରୁ ପ୍ରଶାନ୍ତ ଭୂୟାଁ, ମାଞ୍ଚେଷ୍ଟରରୁ ଶିବରଞ୍ଜନ ବିଶ୍ୱାଳ, ଡଲାସରୁ ସଞ୍ଜୟ ଦଳାଇ, ନୂଆଦିଲ୍ଲୀରୁ ଡ. ଅନୀତା ପଣ୍ଡା ଓ ବିନାୟକ ଦାସ, ଦେଓଘରରୁ କୃପାନିଧି ବିଶ୍ୱାଳ, ମୁମ୍ବାଇରୁ ଡ. ବିଜୟ କୁମାର ମହାରଣା, ଭୁବନେଶ୍ୱରରୁ ହରିଶ୍ଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ସ୍ୱାଇଁ, ହୃଷୀକେଶ ପାତ୍ର, କଟକରୁ ପ୍ରବୋଧ ରାଉତ ଏବଂ ଡ. ଅରୁନ୍ଧତୀ ଦେବୀ ଓ ଭଦ୍ରକରୁ ସତ୍ୟବ୍ରତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର