ଶ୍ରୀମନ୍ଦିର ପାଇଁ ୧୯୦ କୋଟିର ବଜେଟ୍‌

ପ୍ରସ୍ତୁତ ହେଲା ୩୫.୩୫ ଲକ୍ଷ ଟଙ୍କାର ବଳକା ବଜେଟ୍‌, ଖଣିରୁ ଅଧିକ ରାଜସ୍ବ ଆୟ ଲକ୍ଷ୍ୟ

ପୁରୀ : ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ ହୋଇଛି ୧୯୦ କୋଟିର ବଜେଟ୍‌। ୨୦୨୧-୨୨ ଆର୍ଥିକବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ଏହି ବଜେଟ୍‌ରେ ଆୟଠାରୁ ବ୍ୟୟ ପରିମାଣ କମ୍‌ ରହିଛି। ପୂର୍ବବର୍ଷ ତୁଳନାରେ ରାଜସ୍ବ ଆୟ (ଖଣି ନିଲାମ)ପରିମାଣରେ ସେତେଟା ବୃଦ୍ଧି ଘଟିନଥିଲେ ବି ବ୍ୟୟ ପରିମାଣ ଅଧିକ ରହିଛି। କିନ୍ତୁ କ୍ୟାପିଟାଲ ଆୟ( ଦାନ ଓ ଅନ୍ୟାନ୍ୟ ସୂତ୍ରରୁ ଆୟ)ରେ ବୃଦ୍ଧି ଘଟିଥିବାବେଳେ ସେହି ତୁଳନାରେ ବ୍ୟୟ ପରିମାଣ କମ୍‌ ରହିଛି। ଯେଉଁଥିପାଇଁ ଚଳିତବର୍ଷ ପ୍ରାୟ ୩୫ ଲକ୍ଷ ଟଙ୍କାର ଏକ ବଳକା ‌ବଜେଟ୍‌ ପ୍ରସ୍ତୁତ ହୋଇଛି। ଆଜି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ଏଥିରେ ମୋହର ମାରିଛି। କେବଳ ପରିଚାଳନା କମିଟିର ଚୂଡ଼ାନ୍ତ ମୋହର ବାକିରହିଛି।

ଶ୍ରୀମନ୍ଦିର ପ୍ରଶାସନ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୧୩୮ କୋଟି, ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୧୬୭ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରିଥିଲା। ଦୁଇ ଆର୍ଥିକ ବର୍ଷରେ ଆୟ ଓ ବ୍ୟୟ ସମାନ ରହିଥିଲା। କିନ୍ତୁ ଏହି ଦୁଇବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷ ‌ବଜେଟ୍‌ରେ ଆୟ ପରିମାଣ ପ୍ରାୟ ୨୩ କୋଟି ଅଧିକା ବଜେଟ୍‌ ପ୍ରସ୍ତୁତ ହୋଇଛି। ରାଜସ୍ବରୁ ୧୦୬ କୋଟି ୮୯ଲକ୍ଷ ୮୫ହଜାର ୩୦୬ ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ଖଣିଖାଦାନଠାରୁ ଆରମ୍ଭ କରି ଜମିଜମା ବିକ୍ରି, ଭଡ଼ା ଓ ଅନ୍ୟାନ୍ୟ ଆୟ ଅନ୍ତର୍ଭୁକ୍ତ ରହିଛି। କ୍ୟାପିଟାଲରୁ ୮୩ କୋଟି ୩୬ ଲକ୍ଷ ୨୦ହଜାର ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ଦାନ ସହ ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଅର୍ଥ ଅନ୍ତର୍ଭୁକ୍ତ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ବ ଆୟ ପ୍ରାୟ ୨୧ କୋଟି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର