୨୭ରେ ବଡ଼ମ୍ବା-ନରସିଂହପୁର ବନ୍ଦ ଡାକରା

ବିଜେପି ନେତାଙ୍କ ଗିରଫ ପ୍ରତିବାଦରେ ବିକ୍ଷୋଭ, ଶୋଭାଯାତ୍ରା

ନରସିଂହପୁର : ନରସିଂହପୁର ଥାନା ସମ୍ମୁଖରେ ଶୁକ୍ରବାର ଦିନ ପୁଲିସ-ବିଜେପି କର୍ମୀ ଖଣ୍ଡଯୁଦ୍ଧକୁ ନେଇ ଶନିବାର ଦିନ ବି ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ବିଜେପି ରାଜ୍ୟ କର୍ମକର୍ତ୍ତା ବିଜୟ କୁମାର ଦଳବେହେରାଙ୍କ ସମେତ ୩ ଜଣଙ୍କୁ ଗତକାଲି ଏହି ଘଟଣାରେ ପୁଲିସ ଗିରଫ କରିଥିବା ବେଳେ ଏହାର ପ୍ରତିବାଦରେ ଆଜି ନରସିଂହପୁରରେ ଦଳ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ୨୭ ତାରିଖ ଦିନ ଦଳ ପକ୍ଷରୁ ବଡ଼ମ୍ବା-ନରସିଂହପୁର ବନ୍ଦ ଡାକରା ଦିଆଯାଇଛି।

ଶନିବାର ଦିନ ପ୍ରାୟ ଗୋଟାଏ ସମୟରେ ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଶୋଭାଯାତ୍ରା ନରସିଂହପୁର ଉପକାରାଗାର ସମ୍ମୁଖରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ଦିଲୀପ କୁମାର ମଲ୍ଲିକ, ବିଜେପି ଆନ୍ଧ୍ରପ୍ରଦେଶ ପ୍ରଭାରୀ ସୁଶାନ୍ତ କୁମାର ମଲ୍ଲିକ, ସଞ୍ଜୟ କୁମାର ପାଢ଼ୀ, ବ୍ରଜେନ୍ଦ୍ର ରାୟ, ରାମନାରାୟଣ ମହାନ୍ତି, ତୁଷାରକାନ୍ତି ଚକ୍ରବର୍ତ୍ତୀ, ଆଲୋକ କୁମାର ମହାନ୍ତି, ଭକ୍ତବତ୍ସଳ ବସ୍ତିଆ, ଜ୍ଞାନେନ୍ଦ୍ର ସ୍ୱାଇଁ, ରଞ୍ଜିତ କୁମାର ସାହୁ, ଜ୍ଞାନରଞ୍ଜନ ପଣ୍ଡା, ସୁନୀଲ କୁମାର ଧଳ ପ୍ରମୁଖ ସାମିଲ ହୋଇଥିଲେ। ଦଳୀୟ କର୍ମକର୍ତ୍ତାମାନେ ଉପକାରାଗାରରେ ଶ୍ରୀ ଦଳବେହେରାଙ୍କୁ ସାକ୍ଷାତ କରିଥିଲେ। ଦଳ ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାର ଆଲୋକ କୁମାର ଦେହୁରୀଙ୍କୁ ପ୍ରଦାନ କରାଯାଇଛି।

ଗତ ୪ ତାରିଖରେ ପୂର୍ବ ଶତ୍ରୁତାରୁ ନରସିଂହପୁର ବିଚାର ବିଭାଗୀୟ ଅଦାଲତ ସମ୍ମୁଖରେ କାନପୁର ଥାନା ହରିପୁର ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ଏହି ଘଟଣାରେ ୪ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାର ପ୍ରତିବାଦରେ ଗତକାଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ପୁଲିସର ପକ୍ଷପାତ ପ୍ରତିବାଦରେ ଶତାଧିକ ବିଜେପି ନେତା ଓ କର୍ମୀ ନରସିଂହପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ କିଛି ବିଜେପି କର୍ମୀ ଢେଲା ପଥର ମାରିବା ସହିତ ଥାନା ଗେଟରେ ତାଲା ପକାଇ ଭଙ୍ଗାରୁଜା କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠି ଚାଳନା କରିଥିଲା। ଏହି ଘଟଣାରେ ତିନି ଜଣ ପୁଲିସ କର୍ମଚାରୀ ଓ ଜଣେ ବିଜେପି କର୍ମୀ ଆହତ ହୋଇଥିଲେ। ପୁଲିସ ଶ୍ରୀ ଦଳବେହେରାଙ୍କ ସମେତ ୩ ଜଣଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିଲା। ୮ ଜଣଙ୍କ ନାମ ଉଲ୍ଲେଖ ସହ ଓ ଅନ୍ୟ ଦୁଇ ଶହ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଗତକାଲି ବିଳମ୍ବିତ ରାତି ଯାଏ ବିଜେପି ପକ୍ଷରୁ ରାସ୍ତାରୋକ ହୋଇଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ନରସିଂହପୁରରେ ୪ ପ୍ଲାଟୁନ୍‌ ଓ ବଡମ୍ବାରେ ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୨ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର ମୁତୟନ ଥିବା ଅତିରିକ୍ତ ଏସ୍‌ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର