ବନ୍ଧୁକ ଚୋରି କରି ବସ୍ତିରେ ଆତଙ୍କ: ଜଣେ ଗିରଫ, ବନ୍ଧୁକ ଜବତ

ଭୁବନେଶ୍ବର: ଯୁବକଙ୍କ କାର୍ କାଚ ଭାଙ୍ଗି ବନ୍ଧୁକ ଚୋରି କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ସେ ହେଉଛି, ତପୋବନ ବସ୍ତିର ରାହୁଲ ଜେନା(୨୦)। ପୁଲିସ ରାହୁଲ ପାଖରୁ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରିଛି। ଅଭିଯୋଗ ଅନୁଯାୟୀ, ଏତଲାକାରୀ ସମ୍ବିତ ପାଢ଼ୀଙ୍କ କାର୍‌ ଜାଗମରା ନୂଆରୋଡ୍‌ରେ ଥିବା ବେଳେ ଜଣେ ଯୁବକ କାଚ ଭାଙ୍ଗି କାର୍‌ରୁ ବନ୍ଧୁକ ଚୋରି କରିଥିଲା। ଏନେଇ ଥାନାରେ ଗତ ୨୨ ତାରିଖରେ ସମ୍ବିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଚୋରକୁ ଧରିବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲା।

ମାତ୍ର କିଛି ଦିନ ତଳେ ରାହୁଲ ବନ୍ଧୁକ ଫୁଟାଇ ସଉକର ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ପୁଲିସ ଉକ୍ତ ଆଇଡିକୁ ଟ୍ରାକ୍ କରି ଆଜି ରାହୁଲକୁ ଗିରଫ କରିଛି। ସୂଚନାନୁସାରେ, ରାହୁଲ ତପୋବନ ବସ୍ତିରେ ଲୋକଙ୍କୁ ଡରାଇବା ପାଇଁ ବନ୍ଧୁକ ଆଣି ସମସ୍ତଙ୍କୁ ଧମକ ଦେଉଥିଲା। ନିଜକୁ ଭାଇ ଡାକିବା ପାଇଁ ଲୋକଙ୍କୁ ବାଧ୍ୟ କରୁଥିଲା। ଏନେଇ ସ୍ଥାନୀୟ ବସ୍ତି ବାସିନ୍ଦା ଆତଙ୍କିତ ଥିଲେ। ତେବେ ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ୍ କରିବା ପରେ ଲୋକଙ୍କଠାରୁ ଖବର ପାଇ ପୁଲିସ ତା’କୁ ଗିରଫ କରିଛି।

ସମ୍ବନ୍ଧିତ ଖବର