ନିଜ ସରକାର ବିରୋଧରେ ଅନଶନ କରିବେ ସିଦ୍ଧୁ

ଚଣ୍ଡିଗଡ଼ : ନିଜ ସରକାରକୁ ସମସ୍ୟାରେ ପକାଇବା ପଂଜାବ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କ ପୁରୁଣା ଅଭ୍ୟାସ । କିଛି ମାସ ପୂର୍ବେ ବିଦ୍ରୋହ କରି କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ଏବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚୈନିଙ୍କ ପଛରେ ଲାଗିଛନ୍ତି ।

ପଞ୍ଜାବରେ ଡ୍ରଗ୍ସ କାରବାର ଉପରେ ଗଠିତ ସ୍ବତନ୍ତ୍ର ଟାସ୍କଫୋର୍ସ ରିପୋର୍ଟକୁ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି । ରାଜ୍ୟ ସରକାର ଏପରି ନ କଲେ ସେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଶୁଣାଇଛନ୍ତି । ତଦନ୍ତ କରି ଡ୍ରଗ୍ସ-ଆତଙ୍କବାଦରେ ସଂପୃକ୍ତ ବଡ଼ ମାଛକୁ ଧରିବାକୁ ସେ ଦାବି କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୭ରେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା ଯେ ରାଜ୍ୟରେ ଚାଲିଥିବା ଡ୍ରଗ୍ସ ମାଫିଆର ମେରୁଦଣ୍ଡ ଭାଙ୍ଗିଦିଆଯିବ । କିନ୍ତୁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ ୨୦୧୭ରୁ ୨୦୨୦ ମଧ୍ୟରେ ଡ୍ରଗ୍ସ ସଂପର୍କିତ ଅପରାଧରେ ପଂଜାବ ସମଗ୍ର ଦେଶରେ ୧ନଂ ରହିଛି ।

ଟାକ୍ସଫୋର୍ସ ରିପୋର୍ଟକୁ ପ୍ରକାଶ କରିବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

କ୍ୟାପଟେନ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଆଶା କରାଯାଉଥିଲା ଯେ ସିଦ୍ଧୁ ନୂଆ ମୁଖ୍ୟମନ୍ତ୍ରୀ ଚୈନିଙ୍କ ସହ ଭଲ ସମ୍ପର୍କ ରଖିବେ ।

ସମ୍ବନ୍ଧିତ ଖବର