ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହେବ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପ୍ରତିଷ୍ଠା ହେବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରେ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଜିଲ୍ଲାପାଳମାନଙ୍କୁ  ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଅନୁ ଗର୍ଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଏପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି ଗୁଡ଼ିକ ଭଡ଼ା ସୂତ୍ର ଅଥବା କମ୍ୟୁନିଟି ସେଣ୍ଟରରେ ପରିଚାଳିତ ହେଉଛି। ତେଣୁ ଏଭଳି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପାଇଁ ଯଥା ସମ୍ଭବ ସରକାରୀ ବିଦ୍ୟାଳୟ ପରିସରରେ କୋଠା ନିର୍ମାଣ କରାଯାଉ। ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଥା ସମ୍ଭବ ସହଯୋଗ କରିବେ।

ଅନ୍ୟପଟରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଅନ୍ୟ ବିଦ୍ୟାଳୟ ସହିତ ମିଶି ଯିବା ଫଳରେ  ରାଜ୍ୟରେ ଅନେକ ସ୍କୁଲ ବନ୍ଦ ହୋଇଯାଇଛି। କିନ୍ତୁ ସେହି କୋଠା ଗୁଡ଼ିକ ମଜବୁତ ସ୍ଥିତିରେ ଅଛି। ସେଠାରେ ପାନୀୟ ଜଳ, ଶୌଚାଳୟ ଓ ରୋଷେଇ ଘର ବ୍ୟବସ୍ଥା ରହିଛି। ତେଣୁ ଏଭଳି କୋଠାରେ ଅଙ୍ଗନବାଡ଼ି ପରିଚାଳିତ ହେବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର