ଦଶପଲ୍ଲା : ବାହାରେ କାହାରିକୁ ଆଉ ମଳତ୍ୟାଗ କରିବାକୁ ପଡ଼ିବ ନାହିଁ। ପ୍ରତି ପରିବାରରେ ନିର୍ମାଣ ହେବ ପାଇଖାନା। ଦେଶର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଗ୍ରାମକୁ ଘୋଷଣା କରାଯିବ ବାହ୍ୟ ମଳମୁକ୍ତ ଗାଁ। ପ୍ରତ୍ୟେକ ପରିବାର ୧୨ ହଜାର ଟଙ୍କା ବ୍ୟୟରେ ଏହି ପାଇଖାନା ନିର୍ମାଣ କରିବେ। କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ବିଜେପି ସରକାର ୨୦୧୪ ଅକ୍ଟୋବର ୨ ତାରିଖରେ ଦେଶରେ ସ୍ବଚ୍ଛ ଭାରତ ମିସନ କାର୍ଯ୍ୟକାରୀ ସହିତ ଏହି ଲକ୍ଷ୍ୟ ରଖିଥିଲେ। ଇତିମଧ୍ୟରେ ୭ବର୍ଷରୁ ଊର୍ଦ୍ଧ୍ବ ସମୟ ବି ବିତିଯାଇଛି। ମାତ୍ର, କିଛି ଜାଗାରେ ଏହି ଯୋଜନା କେବଳ ଭେଳିକିରେ ଯେ ପରିଣତ ହୋଇଛି ନୟାଗଡ଼ ଜିଲ୍ଲାର ଏକ ଗାଁରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଗାଁ ହେଉଛି, ଦଶପଲ୍ଲା ବ୍ଲକ୍ର ନଛିପୁର ପଞ୍ଚାୟତ ଅନ୍ତର୍ଗତ ତାଳସାହି। ଗାଁର କୌଣସି ବି ବ୍ୟକ୍ତିଙ୍କ ବାଡ଼ିରେ ଗୋଟିଏ ବି ପାଇଖାନା ନିର୍ମାଣ ହୋଇନାହିଁ। ଏପରିକି, ଯୋଜନା ସମ୍ପର୍କରେ ଗ୍ରାମବାସୀ ଅବଗତ ନଥିବା କହିଛନ୍ତି। କିନ୍ତୁ, ଗାଁ ବାହ୍ୟ ମଳମୁକ୍ତ ବୋଲି ଏକ ଫଳକ ଲଗାଯାଇଛି। ଏହି ଗାଁରେ ୧୮ ପରିବାରର ୨ଶହ ଲୋକ ବସବାସ କରୁଛନ୍ତି। ଲୋକସଂଖ୍ୟା ଦୃଷ୍ଟିରୁ ଏହାକୁ ହୁଏତ ଗୁରୁତ୍ବ ଦିଆଯାଉନଥାଇପାରେ।
ହେଲେ, ସରକାରୀ ଯୋଜନାରେ କିଭଳି ଚଞ୍ଚକତା କରାଯାଉଛି ତାହାର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ ରହିଛି ଏହି ଗାଁରେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯୋଜନା ସମ୍ପର୍କରେ କେହି ଅବଗତ ନଥିବା ବେଳେ କାହାରି ବାଡ଼ିରେ ଗୋଟିଏ ବି ପାଇଖାନା ନିର୍ମାଣ ହୋଇନାହିଁ। ହେଲେ, ରାତାରାତି ଠିକାଦାର ଓ ବିଭାଗ ପକ୍ଷରୁ ଗାଁ ମୁଣ୍ତରେ ବାହ୍ୟ ମଳମୁକ୍ତ ଗାଁ ଫଳକ ଲଗାଯାଇଛି। ଏ ସମ୍ପର୍କରେ ସେମାନେ ବିଡ଼ିଓଙ୍କୁ ଭେଟି ଅଭିଯୋଗ କରିଥିଲେ। ମାତ୍ର, କୌଣସି ସୁଫଳ ମିଳିନଥିବା କହିଛନ୍ତି।
ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତରବରିଆ ଭାବେ ଜଣେ ବ୍ୟକ୍ତି ଗାଁରେ ପହଞ୍ଚି ପାଇଖାନା ନିର୍ମାଣ ହେବ କହିଥିଲେ। ପ୍ରତି ପରିବାରରୁ ଆଧାର କାର୍ଡ ସଂଗ୍ରହ କରିଥିଲେ। ଏହାପରେ ଆଉ କାହାରି ଦେଖାମିଳୁନି। କୌଣସି ପରିବାରରେ ପାଇଖାନା ନିର୍ମାଣ ନ ହୋଇ କିଭଳି ଗ୍ରାମକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇଛି, ତାହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦଶପଲ୍ଲା ବ୍ଲକ୍ରେ ଶତ ପ୍ରତିଶତ ପାଇଖାନା ନିର୍ମାଣ ହୋଇଥିବା ନେଇ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି। ପ୍ରତ୍ୟେକ ଗ୍ରାମରେ ଏଭଳି ମାଳମାଳ ଫଳକ ମଧ୍ୟ ଲଗାଯାଇଛି। ଯାହାକି ଉପାନ୍ତ ଅଂଚଳର ସ୍ଥିତି ଅଧିକ ଜଟିଳ ଥିବାବେଳେ ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଗୁମର ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି।