ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କୁ ଫେରାଇଦେଲେ ଘରୋଇ ହସ୍ପିଟାଲ, ଦଲାଲ୍‌ଙ୍କୁ ଦୋଷ ଦେଲେ ସ୍ବାସ୍ଥ୍ୟମିତ୍ର

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କାର୍ଡ ଥାଇ ବି ରୋଗୀଙ୍କୁ ଫେରାଇ ଦେଲେ ଘରୋଇ ହସ୍ପିଟାଲ। ରାଜଧାନୀର ଚାରି ଚାରିଟି ପ୍ରମୁଖ ଘରୋଇ ହସ୍ପିଟାଲ ତାଙ୍କୁ ଫେରାଇ ଦେଇଛନ୍ତି। ବିଏସ୍‌କେୱାଇ କାର୍ଡରେ ତାଙ୍କ ରୋଗ ପାଇଁ ଉଦ୍ଦିଷ୍ଟ ଅପରେସନ୍ ବ୍ୟବସ୍ଥା ନଥିବା କହି ତାଙ୍କୁ ଫେରାଇ ଦିଆଯାଇଛି। ଫଳରେ ତୁରନ୍ତ ଅପରେସନ୍ ଆବଶ୍ୟକ କରୁଥିବା ଗରିବ ରୋଗୀଜଣକ ଏବେ ହତାଶ ହୋଇ ଘରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହା ହେଉଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ସୁନିନ୍ଦା ଗାଁର ବୁଦ୍ଧମଣି ପ୍ରଧାନ(୬୯)ଙ୍କ କଥା। ପରିସ୍ରାନଳୀରେ ଅପରେସନ୍ ଦରକାର କରୁଥିବା ବୁଦ୍ଧମଣି ଏବେ ଘରେ ପଡ଼ିପଡ଼ି କଲବଲ ହେଉଛନ୍ତି। କିନ୍ତୁ ଏଭଳି ଅଭିଯୋଗକୁ ହସ୍ପିଟାଲରେ ନିୟୋଜିତ ଥିବା ସ୍ବାସ୍ଥ୍ୟମିତ୍ର ଖଣ୍ଡନ କରିଛନ୍ତି। କୌଣସି ଦଲାଲ୍‌ ହାବୁଡ଼ରେ ପଡ଼ି ରୋଗୀ ଜଣକ ଏଭଳି ହଇରାଣ ହୋଇଛନ୍ତି ବୋଲି ଜଣେ ସ୍ବାସ୍ଥ୍ୟମିତ୍ର କହିଛନ୍ତି।

ପ୍ରାୟ ୩ ମାସ ତଳେ ବୁଦ୍ଧମଣି ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ। ପରିସ୍ରାନଳୀ ଜାମ୍‌ ହୋଇଥିବାରୁ ତୁରନ୍ତ ଅପରେସନ୍‌ ଦରକାର ଓ ଏଥିପାଇଁ ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ। ତେବେ ଗରିବ ବୁଦ୍ଧମଣି ଏତେ ଟଙ୍କା ଯୋଗାଡ଼ କରିନପାରି କଟକ ଏସ୍‌ସିବି ମେଡିକାଲ କଲେଜକୁ ଯାଇଥିଲେ। ସରକାରୀ ହସ୍ପିଟାଲରେ କମ୍ ଖର୍ଚ୍ଚରେ ଅପରେସନ୍ ହେବ ବୋଲି ଆଶା କରି ସେ ସେଠାକୁ ଯାଇଥିଲେ। ସେଠାରେ ଡାକ୍ତରମାନେ ବିଭିନ୍ନ ଟେଷ୍ଟ କରିବାକୁ କହି ୪/୫ ଦିନ ଗଡ଼ାଇ ଦେଇଥିଲେ। ଏହା ଭିତରେ ବୁଦ୍ଧମଣିଙ୍କ ଯନ୍ତ୍ରଣା ବଢ଼ିଯିବାରୁ ପରିବାର ଲୋକେ ବାଧ୍ୟ ହୋଇ କଟକର ଆଉ ଏକ ଘରୋଇ ହସ୍ପିଟାଲ୍‌ରେ ଦେଖାଇଥିଲେ। ସେଠାରେ ଡାକ୍ତର ତାଙ୍କ ପେଟରେ ଅପରେସନ୍‌ କରି ପରିସ୍ରା ପାଇପ୍‌ ଲଗାଇ ଦେଲେ ଓ ଶୀଘ୍ର ଆବଶ୍ୟକ ଅପରେସନ୍ କରାଇବାକୁ ପରାମର୍ଶ ଦେଇଥିଲେ।

ଏତିକିରେ ସେ ଧାର୍ କରଜ କରିବା ସହ ଧାନ ବିକ୍ରି କରି ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ କରିସାରିଥିଲେ। ତେଣୁ ବିଏସ୍‌କେୱାଇ କାର୍ଡ ବଳରେ ପରିସ୍ରାନଳୀ ଅପରେସନ୍ କରାଇବାକୁ ସେ ଭୁବନେଶ୍ବରସ୍ଥିତ ଆମ୍ରି, ସମ୍, ଆପୋଲ ଓ ହାଇଟେକ୍ ଭଳି ୪ଟି ପ୍ରମୁଖ ଘରୋଇ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ବୁଦ୍ଧମଣିଙ୍କ ଅଭିଯୋଗ ଯେ ସବୁଠି ଏହି ଚିକିତ୍ସା ପାଇଁ ବିଏସ୍‌କେୱାଇ କାର୍ଡ କାମ ଦେବନି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହି ତାଙ୍କୁ ଫେରାଇ ଦେଇଥିଲେ। ଏବେ ପାଇପ୍‌ ଜରିଆରେ ପରିସ୍ରା କରୁଛନ୍ତି ଓ ବଡ଼ କଷ୍ଟ ସହୁଛନ୍ତି। ଏନେଇ ହସ୍ପିଟାଲରେ ନିୟୋଜିତ ସ୍ବାସ୍ଥ୍ୟମିତ୍ରମାନଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ସେଭଳି ରୋଗୀ ସେମାନଙ୍କ ନିକଟକୁ ଆସିନାହାନ୍ତି। ଏଭଳି ଅପରେସନ୍ ବିଏସ୍‌କେୱାଇ କାର୍ଡରେ ହୋଇପାରିବ। ମାତ୍ର ରୋଗୀ ଜଣକ ହସ୍ପିଟାଲରେ କୌଣସି ଦଲାଲ୍‌ ହାବୁଡ଼ରେ ପଡ଼ିଥିବେ ଓ ଭୁଲ୍ ରାସ୍ତାରେ ଯାଇ ହଇରାଣ ହୋଇଛନ୍ତି ବୋଲି ସେମାନେ କହିଥିଲେ। ରୋଗୀ ପ୍ରଥମେ ସ୍ବାସ୍ଥ୍ୟମିତ୍ରଙ୍କୁ ସାକ୍ଷାତ କରି ପରାମର୍ଶ ନେବା ଉଚିତ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର