ୟୁକ୍ରେନ୍‌ ଆକ୍ରମଣକୁ ବି‌ରୋଧ: ୧୮୦୦ ଆନ୍ଦୋଳନକାରୀ ଗିରଫ

ଆତ୍ମସମର୍ପଣ ନକରିବାରୁ ୧୩ ୟୁକ୍ରେନ୍‌ ସୈନିକଙ୍କୁ ହତ୍ୟା

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବାପରେ ୟୁକ୍ରେନରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ ହୋଇଥିଲା। ଏହି ଆକ୍ରମଣ ଦ୍ବିତୀୟ ଦିନରେ ମଧ୍ୟ ଜାରି ରହିଛି। ତେବେ ଏହି ଆକ୍ରମଣକୁ ବିରୋଧ କରି ରୁଷ୍‌ରେ ହଜାର ହଜାର ସଂଖ୍ୟାରେ ନାଗରିକ ଯୁଦ୍ଧ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଯୁଦ୍ଧ ବିରୋଧୀ ଆନ୍ଦୋଳନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଯୁଦ୍ଧ ବିରୋଧୀ ଆନ୍ଦୋଳନରେ ଯୋଗ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରୁଷ୍‌ ଗତକାଲି ଚେତାବନୀ ଦେଇଥିଲା। ତେବେ ଏହି ଚେତାବନୀକୁ ଖାତିର ନକରି ହଜାର ହଜାର ସଂଖ୍ୟାରେ ରୁଷ୍‌ ନାଗରିକ ୟୁକ୍ରେନ୍‌କୁ ସମର୍ଥନ କରିଛନ୍ତି। ଯୁଦ୍ଧକୁ ବିରୋଧ କରି ଆନ୍ଦୋଳନ କରିଥିବାରୁ ୧୮୦୦ରୁ ଅଧିକ ଲୋକ ଗିରଫ ହୋଇଛି।

ଆତ୍ମସମର୍ପଣ ନକରିବାରୁ ୧୩ ୟୁକ୍ରେନ୍‌ ସୈନିକଙ୍କୁ ହତ୍ୟା

କିବ୍‌ : ୟୁକ୍ରେନ୍‌ର ଓଡ଼େଶା ସ୍ଥିତ ବ୍ଲାକ୍‌ ସି’ରେ ଏକ କ୍ଷୁଦ୍ର ଦ୍ବୀପ ‘ସ୍ନେକ୍‌ ଆଇଲାଣ୍ଡ୍‌’ର ସୁରକ୍ଷା ଦାୟିତ୍ବରେ ଥିବା ୟୁକ୍ରେନ୍‌ର ୧୩ ଜଣ ସୈନିକଙ୍କୁ ଗତକାଲି ରୁଷ୍‌ ସେନା ଆତ୍ମସମର୍ପଣ ପାଇଁ କହିଥିଲେ। କିନ୍ତୁ ସେମାନେ ଆତ୍ମସମର୍ପଣ ନକରି ରୁଷ୍‌ ସେନା ସହ ମୁହାଁମୁହିଁ ହୋଇଥିଲେ। ଫଳରେ ରୁଷ୍‌ର ଯୁଦ୍ଧଜାହାଜରୁ ହୋଇଥିବା ଗୁଳି ମାଡ଼ରେ ୧୩ ଜଣ ସୈନିକ ନିହତ ହୋଇଛନ୍ତି। ୟୁକ୍ରେନ୍‌ ସୈନିକ ରୁଷ୍‌ ସେନାକୁ ଯେଭଳି ଭାବେ ସାହସର ସହ ମୁକାବିଲା କରିଥିଲେ ଏବଂ ସେମାନଙ୍କୁ ଜବାବ ଦେଇଥିଲେ ତାହାର ଏକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଇତି ମଧ୍ୟରେ ୟୁକ୍ରେନ୍ ଅଧିକାରୀମାନେ ମଧ୍ୟ ସ୍ପ‌ଷ୍ଟ କରିଛନ୍ତି ‌‌ଯେ ସ୍ନେକ୍‌ ଆଇଲାଣ୍ଡ୍‌ରେ ସୈନିକଙ୍କ ସହ ଯୋଗା‌ଯୋଗ ବିଚ୍ଛିନ୍ନ ହୋଇଛି। ରୁଷ୍‌ ଏବେ ସ୍ଥଳ, ଆକାଶ ଏବଂ ସମୁଦ୍ର ସବୁପଟୁ ୟୁକ୍ରେନ୍‌କୁ ଘେରି ଯାାଇଛି। ଚତୁର୍ଦିଗରୁ ଏହା ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଛି।

ସମ୍ବନ୍ଧିତ ଖବର