ମଣିପୁରରେ ଓଡ଼ିଆ ଯବାନ ମୃତ; ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିଲେ, ଜନ୍ମମାଟି ଗାଲେରୀରେ ଶୋକାକୁଳ ପରିବେଶ

ଭଞ୍ଜନଗର : ମଣିପୁର ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଜଣେ ଓଡ଼ିଆ ବିଏସ୍‌ଏଫ୍ ଯବାନ ସହିଦ ହୋଇଛନ୍ତି। ମୃତକ ଯବାନ ଜଣକ ହେଲେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାଲେରୀ ଗ୍ରାମର ସ୍ବର୍ଗତ ନରସିଂହ ସାହୁଙ୍କ ପୁଅ ରବୀନ୍ଦ୍ରନାଥ ସାହୁ। ରବୀନ୍ଦ୍ରଙ୍କ ମୃତ୍ୟୁ ଖବର ଆଜି ହଠାତ୍ ଜଣାପଡ଼ିବା ପରେ ତାଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ରବୀନ୍ଦ୍ରଙ୍କ ମୃତ୍ୟୁ କେମିତି ହେଲା, ଏହି ବିଷୟରେ ବିଏସ୍‌ଏଫ୍ ପକ୍ଷରୁ ଫୋନ୍ ଯୋଗେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ତାଙ୍କ ଝିଅ ପ୍ରଗତି ପ୍ରିୟଦର୍ଶିନୀ କହିଛନ୍ତି।

ରବୀନ୍ଦ୍ର ଗାଲେରୀ ବଡ଼ଦାଣ୍ଡ ସାହିର ମୂଳବାସିନ୍ଦା। ସେ ପତ୍ନୀ ଓ ଝିଅ ସହ କୋଲକାତା ବିଏସ୍‌ଏଫ୍ ବେସ୍ କ୍ୟାମ୍ପ୍‌ରେ ରହୁଥିଲେ। ଗତ କିଛିଦିନ ତଳେ ତାଙ୍କର ତ୍ରିପୁରା ବଦଳି ହୋଇଥିଲା। ସେଠାରୁ ରବୀନ୍ଦ୍ର କିଛିଦିନ ପାଇଁ କୋଲକାତା ଆସିଥିଲେ। ଏହାପରେ ଗତମାସରେ ମଣିପୁରରେ ନିର୍ବାଚନ ଡ୍ୟୁଟି ପଡ଼ିବାରୁ ସେ ସେଠାକୁ ଯାଇଥିଲେ। ଗତକାଲି ପତ୍ନୀ ଜୟନ୍ତୀ ଓ ଝିଅଙ୍କୁ ହଠାତ୍ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ଉଭୟଙ୍କୁ କୋଲକାତାର ବେସ୍ କ୍ୟାମ୍ପ୍‌ରୁ ଭୁବନେଶ୍ବର ପଠାଯାଇଥିଲା। ଜୟନ୍ତୀଙ୍କୁ ତାଙ୍କ ପୁତୁରା ଗାଲେରୀ ଗ୍ରାମକୁ ଆଣିଛନ୍ତି। ବର୍ତ୍ତମାନ ପରିବାରବର୍ଗ ରବୀନ୍ଦ୍ରଙ୍କ ଶବ ଫେରିବାକୁ ଅପେକ୍ଷା କରିଛନ୍ତି। ଆଜି ରାତି ସୁଦ୍ଧା ବିମାନ ଯୋଗେ ଶବ ଭୁବନେଶ୍ବର ପହଞ୍ଚିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର