କମିସନରେଟ୍‌ କଳରେ ଲାଗି ଗଲାଣି କଳଙ୍କି!

ଗଳି ଗଳିରେ ଚୋର, ଲୁଟେରା; ସଙ୍ଗିନ ମାମଲାରେ ଧରାପଡ଼ୁ ନାହାନ୍ତି ଅପରାଧୀ

ଭୁବନେଶ୍ବର: ହତ୍ୟା, ଡକାୟତି, ଲୁଟ୍, ଛିନତାଇ, ଚୋରି, ସିନ୍ଧିଚୋରି ଭଳି ମାଳମାଳ ମାମଲାରେ ଧରାପଡ଼ୁନାହାନ୍ତି ଅପରାଧୀ। କମିସନରେଟ ପୁଲିସକୁ ଚକ୍‌ମା ଦେଇ ଗଳି ଗଳିରେ ବୁଲେଲେଣି ଚୋର, ଲୁଟେରା। ଅସୁରକ୍ଷିତ ହୋଇପଡ଼ିଲାଣି ରାଜଧାନୀ, ଅସହାୟ ପାଲଟି ଗଲେଣି ଜନତା। ଲୁଟେରା ହାଣି ଲୁଟି ଚାଲିଛନ୍ତି, ରାଜରାସ୍ତାରୁ ଲକ୍ଷାଧିକ ଟଙ୍କା ଝାମ୍ପୁଛନ୍ତି, ମହିଳାଙ୍କ ବେକରୁ ସୁନାଚେନ୍ ଝିଙ୍କି ନେଉଛନ୍ତି, କିନ୍ତୁ ପୁଲିସ କେବଳ ଜଳକା ହୋଇ ଚାହିଁ ରହିଛି। କିମ୍ବା ସହରରେ ଲୁଟ୍ ହେଲା ପରେ ପୁଲିସ ପିଛା କରି ଲୁଟେରାଙ୍କୁ କାବୁ କରିବା ଭଳି ଗୋଟିଏ ବି ଘଟଣା ଦେଖିବାକୁ ମିଳି ନାହିଁ। ଏକଦା ଦକ୍ଷ, ବଳଶାଳୀ, ଉଇ କେୟାର ଉଇ ଡେୟାର ନାରା ଦେଉଥିବା କମିସନରେଟ୍‌ ଏବେ ଦୁର୍ବଳ ହୋଇ ପଡ଼ିଲାଣି। ସତେଯେମିତି କମିସନରେଟ୍‌ କଳରେ କଳଙ୍କି ଲାଗି ଗଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଏକାଧିକ ସଙ୍ଗିନ ଅପରାଧ ମାମଲାର ପୁଲିସ ପର୍ଦ୍ଦାଫାସ୍‌ ନ କରିପାରିବା ପଛରେ କି ରହସ୍ୟ ରହିଛି? କାହିଁକି ପୁଲିସ ଲୁଟେରାଙ୍କୁ ରୋକି ପାରୁନି? କାହିଁକି ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରୁନି? କେଉଁଠି ରହୁଛି ଦୋଷତ୍ରୁଟି, ତାହାର ତର୍ଜମା କରାଯିବାର ସମୟ ଆସିଛି ବୋଲି କୁହାଯାଉଛି।

The Hans India

ହତ୍ୟା, ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଲିସ ଫେଲ୍; ସହିଦନଗର, ମଞ୍ଚେଶ୍ବର ଥାନାର ସର୍ବାଧିକ
ଚୋର, ଲୁଟେରାଙ୍କର ତ ପତ୍ତା ମିଳୁନି, ହତ୍ୟାକାରୀଙ୍କର ମଧ୍ୟ ଟେର୍ ପାଉନି ପୁଲିସ। ନିକଟରେ ମଞ୍ଚେଶ୍ବରରେ ବିହାରୀ ଶ୍ରମିକଙ୍କ ହତ୍ୟା ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ପତ୍ତା ମିଳୁନି।

୧୨ ଫେବ୍ରୁଆରି ୨୦୨୧: ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାକୁ ବର୍ଷେ ବିତି ଗଲାଣି। ମହିଳା କିଏ? କେମିତି ମୃତ୍ୟୁ ହେଲା? କାର ଭିତରକୁ କେମିତି ଆସିଲେ? ମୃତ୍ୟୁର କାରଣ କଣ? ପରଦା ଉଠାଇବାରେ ଫେଲ୍ ମାରିଛି ପୁଲିସ।

ଜୁଲାଇ ୨୦୨୧: ମଞ୍ଚେଶ୍ବର କୁଆଖାଇ ନଦୀ ପଠାରେ ବାଲିରେ ପୋତା ଯାଇଥିବା ଅବସ୍ଥାରେ ଅଚିହ୍ନା ଯୁବକଙ୍କ ଗଳିତ ଶବ ଜବତ ହୋଇଥିଲା। ପୁଲିସ ଏଯାଏ ନା ପରିଚୟ ନା ହତ୍ୟାକାଣ୍ଡ ଉପରୁ ରହସ୍ୟ ଉଠାଇ ପାରିଛି।

୨ ଅଗଷ୍ଟ ୨୦୨୧: ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ। ଏଯାଏ ରହସ୍ୟ ଉପରୁ ପରଦା ଉଠାଇ ପାରିଲାନି ପୁଲିସ।

୩ ଡିସେମ୍ବର ୨୦୨୧: ରସୁଲଗଡ଼ ଛକ ନିକଟରେ ସନ୍ତୋଷ ରାଉତଙ୍କୁ ଦୁର୍ବୃତ୍ତ ଛୁରି ଭୁସିବାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତିନି ମାସ ବିତି ଯାଇଥିଲେ ବି ହତ୍ୟାକାରୀ ଟେର୍ ପାଇନି ପୁଲିସ।

ଜାନୁଆରି ୧୫: ଗଜପତିନଗର ପ୍ରେସ୍ ଛକ ନିକଟରେ ଚିଣ୍ଟୁ ଓରଫ୍ ନିରଞ୍ଜନ ପରିଡ଼ାକୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। କିନ୍ତୁ ପୁଲିସ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ଅଭିଯୁକ୍ତର ପତ୍ତା ପାଉନି।

ଫେଲ୍ ମାରୁଛି ଗୁଇନ୍ଦା
ଅପରାଧକୁ ରୋକିବା, ଅପରାଧୀଙ୍କ ଉପରେ ନଜର ରଖିବା ଓ ଧରିବା ପାଇଁ ବିଭିନ୍ନ ଥାନାର ଗୁଇନ୍ଦା ରହିଥାନ୍ତି। କେଉଁଠି ବେଆଇନ ନିଶା କାରବାର ଚାଲୁଛି? କେଉଁଠି ଅପରାଧୀଙ୍କ ଆଡ଼ା ଜମୁଛି? ସେ ସମ୍ପର୍କରେ ମଧ୍ୟ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥାଏ। କିନ୍ତୁ ଅପରାଧ, ନିଶା କାରବାରକୁ ଦେଖିଲେ ଗୁଇନ୍ଦା ଫେଲ୍ ମାରୁଛି ବୋଲି ଜଣାପଡ଼ୁଛି। ସେହିପରି ସୂଚନାଦାତାଙ୍କ ସଂଖ୍ୟା କମୁଥିବା ବେଳେ ଆଉ ବିଶେଷ ଖବର ମିଳୁ ନାହିଁ ବୋଲି ଅନୁମାନ କରାଯାଉଛି।

ଖସିଗଲେ କାର୍‌ କାଚ ଭାଙ୍ଗି ଲୁଟୁଥିବା ଗ୍ୟାଙ୍ଗ
ଗତ କିଛି ମାସ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଆତଙ୍କ ଖେଳାଇଲେ କାର୍‌ କାଚ ଭାଙ୍ଗି ଲୁଟୁଥିବା ଗ୍ୟାଙ୍ଗ। ଦୁଇମାସ ଧରି ପ୍ରାୟ ୨୦ରୁ ଅଧିକ ଜାଗାରେ ଲୁଟପାଟ୍ କଲେ। କିନ୍ତୁ ଗୋଟିଏ ବି ମାମଲାର ରହସ୍ୟ ଉଠାଇ ପାରିଲାନି ପୁଲିସ। ଚୋର, ଲୁଟେରାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଭାବେ ଗଠନ ହୋଇଥିବା ପିଓପିଡି ଟିମ୍ ମଧ୍ୟ ଟେର୍ ପାଇଲାନି। ଲକ୍ଷ୍ମୀସାଗର ଅଞ୍ଚଳରୁ ଏକ ସୁନା ଦୋକାନରୁ ୧୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ବ୍ୟାଗ୍, ଏମ୍ସ ହସ୍ପିଟାଲ ହଷ୍ଟେଲରୁ ଏକାଧିକ ଲାପଟପ୍ ଚୋରିରେ ଏମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି ଗ୍ୟାଙ୍ଗ ଦକ୍ଷିଣ ଭାରତର କର୍ଣ୍ଣାଟକ କିମ୍ବା ତାମିଲନାଡ଼ୁ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଏକାଧିକ ଲୁଟ୍ ପରେ ସଦସ୍ୟମାନେ ଖସି ଯାଇଥିବା କୁହାଯାଉଛି।

Clipper28

କୁଆଡ଼େ ଗଲେ ଡକାୟତ, ଲୁଟେରା?
୨୦୨୧ ଡିସେମ୍ବର ଶେଷ ଭାଗରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଦୁଇ ଦୁଇଟି ବଡ଼ଧରଣର ଡକାୟତି ହେଲା। ଟାଙ୍ଗୀବନ୍ତ ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଟଙ୍କା, ସୁନାଗହଣା ଲୁଟି ନେଇଥିଲେ। ସେହିପରି ଭୋଟପଡ଼ା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଯାଇଥିଲେ।

ଦୁଇଟି ଘଟଣାକୁ ଦୁଇ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଡକାୟତଙ୍କ ଟେର୍ ପାଇଲାନି ପୁଲିସ। ସେହିପରି ଶତାଧିକ ଲୁଟ୍ ମାମଲାରେ ମଧ୍ୟ ବିଭିନ୍ନ ଥାନା ଫେଲ୍ ମାରିଛି।

ଅପରାଧ ବିଭାଗ ହେଲା, ଅଢ଼େଇ ମାସ ହେଲା ଚାଲି ପାରୁନି; କୁଇକ୍ ଆକ୍ସନ ଟିମ୍ ବି ଟେର୍ ପାଉନି
କମିସନରେଟ ପୁଲିସ ଇଲାକାରେ ଅପରାଧ ଉପରେ ରୋକ୍ ଲଗାଇବା, ସଂଗଠିତ ଅପରାଧକୁ ରୋକିବା, ନିଶା କାରବାରକୁ ଧରିବା ପାଇଁ ୨୦୨୧ ଡିସେମ୍ବର ଶେଷ ଭାଗରେ କ୍ରାଇମ ସେକ୍ସନ ତିଆରି ହେଲା। ଜଣେ ଡିସିପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା। କମିସନରେଟ ମୁଖ୍ୟାଳୟରେ ଅଫିସ ମଧ୍ୟ ମିଳିଲା।

କିନ୍ତୁ କାମ କରିବାକୁ ପୁଲିସ ଅଧିକାରୀ ଓ କର୍ମଚାରୀ ମିଳିଲେ ନାହିଁ। କାର୍ଯ୍ୟର ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇପାରିଲା ନାହିଁ। ଅପରାଧୀ ରୋକିବା ଦିଗରେ ଏହା ଆଉ ଏକ ବିଫଳତା। ସେହିପରି ଅପରାଧ ରୋକିବାକୁ କମିସନରେଟ ମୁଖ୍ୟାଳୟରେ ଥିବା କୁଇକ୍ ଆକ୍ସନ ଟିମ୍(କ୍ୟୁଏଟି) ବି ଅପରାଧୀଙ୍କ ଟେର୍ ପାଉନି।

ସମ୍ବନ୍ଧିତ ଖବର