ମାର୍ଚ୍ଚ ୨୬ରେ ରାଜ୍ୟ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସଂପାଦକ ଓ ପ୍ରଭାରୀମାନଙ୍କର ବୈଠକ ଡାକିଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମାର୍ଚ୍ଚ ୨୬ରେ ଦଳର ସାଧାରଣ ସମ୍ପାଦକ ଏବଂ ରାଜ୍ୟ ପ୍ରଭାରୀଙ୍କ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ସାଂଗଠନିକ ନିର୍ବାଚନ, ଦଳର ସଦସ୍ୟତା ଅଭିଯାନ ଏବଂ ଆନ୍ଦୋଳନମୂଳକ କାର୍ଯ୍ୟକ୍ରମ ଯୋଜନା ସଂପର୍କରେ ବିଶଦ ଆଲୋଚନା କରିବା ବ୍ୟତୀତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ଜାଣିବାକୁ ମିଳିଛି।

କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ ସି ବେଣୁଗୋପାଳ ଦଳର ମୁଖ୍ୟାଳୟରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ ଏବଂ ସମସ୍ତ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ପ୍ରଭାରୀମାନଙ୍କୁ ବୈଠକରେ ଯୋଗଦେବାକୁ କୁହାଯାଇଛି। ଏହି ବୈଠକରେ ସୋନିଆ ଗାନ୍ଧୀ ଏପର୍ଯ୍ୟନ୍ତ ସଦସ୍ୟତା ଅଭିଯାନର ଅଗ୍ରଗତି ତଥା ଦଳର ଭବିଷ୍ୟତ କାର୍ଯ୍ୟକ୍ରମର ସମୀକ୍ଷା କରିବେ।

ନିକଟରେ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହୋଇ ଯାଇଥିବା ବିଧାନସଭା ନିର୍ବାଚନରେ ଦଳର ଅପମାନଜନକ ପରାଜୟ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି।

ଏହା ମଧ୍ୟରେ ସୋନିଆ ଗାନ୍ଧୀ ଜି-୨୩ ଗୋଷ୍ଠୀର କିଛି ନେତାଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି; ଯେଉଁମାନେ ଦଳର ନେତୃତ୍ୱକୁ ସମାଲୋଚନା କରି ଆସୁଥିଲେ ଏବଂ ଦୀର୍ଘ ଦିନ ଧରି ଏକ ସାଂଗଠନିକ ନିର୍ବାଚନ ପାଇଁ ଦାବି କରି ଆସୁଥିଲେ। ଏହିକ୍ରମରେ ସୋନିଆ ଗାନ୍ଧୀ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମନୀଷ ତିୱାରୀ ଏବଂ ବିବେକ ଟାଙ୍ଖାଙ୍କ ସମେତ କିଛି ଜି-୨୩ ନେତାଙ୍କ ସହ ପରାମର୍ଶ ଏବଂ ବିଚାର ବିମର୍ଶ କରିଛନ୍ତି।

ସମ୍ବନ୍ଧିତ ଖବର