ପଟିଆଲା ସଂଘର୍ଷ: ୩ ପୁଲିସଙ୍କ ବଦଳି ଆଦେଶ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ; ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବାତିଲ

ପଟିଆଲା: ଶୁକ୍ରବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ହେତୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଆଜି ସାମୟିକ ଭାବେ ପଟିଆଲା ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବାତିଲ କରାଯିବା ସହ ୩ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ବଦଳି କରାଯାଇଛି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପୁଲିସ୍‌ ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ରାକେଶ ଅଗ୍ରୱାଲ୍‌, ଏସ୍.ଏସ୍‌.ପି. ନାନକ ସିଂହ ଏବଂ ସହର ଏସ୍‌.ପି.ଙ୍କୁ ବଦଳି କରିବା ପାଇଁ ଆଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତିରେ ଉଲ୍ଲେଖ ଅଛି ଯେ, ମୁଖିୱିନ୍ଦର୍‌ ସିଂହ ଚିନ୍ନାଙ୍କୁ ପଟିଆଲାର ନୂଆ ଆଇ.ଜି., ଦୀପକ ପାରିକଙ୍କୁ ନୂଆ ଏସ୍‌.ଏସ୍‌.ପି. ଏବଂ ୱାଜିର୍ ସିଂହଙ୍କୁ ନୂଆ ଏସ୍‌.ପି. ଭାବେ ନିଯୁକ୍ତ କରାଯାଇଛି।

Image Courtesy of Zee News

ଏହାଛଡ଼ା, ଆଜି ପୂର୍ବାହ୍ନ ୯.୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଟିଆଲା ଜିଲ୍ଲାରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବାତିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ କାଳୀମାତା ମନ୍ଦିର ବାହାରେ  ଖଲିସ୍ତାନ ବିରୋଧୀ ରାଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟୂନ ୪ଜଣ ଆହତ ହୋଇଥିଲେ। ସଂଘର୍ଷ ସମୟରେ ଟେକାପଥର ଫିଙ୍ଗା ଓ ଖଣ୍ଡା ବୁଲାଯାଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲା। ଘଟଣା ପରେ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘଟଣାସ୍ଥଳରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ବ୍ୟାପକ ପୁଲିସ ମୁତୟନ ପାଇଁ ଆଦେଶ ଦେବା ସହ ସନ୍ଧ୍ୟା ୬ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଜାରି କରାଇଥିଲେ।

ସମ୍ବନ୍ଧିତ ଖବର