ଗଞ୍ଜାମରେ ଚିନ୍ତା ବଢ଼ାଉଛି ବାସନ୍ଦ କୁପ୍ରଥା, ନ୍ୟାୟ ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନର

ସେନା ଯବାନ ଦୁଇ ଭାଇ ଅନ୍ୟ ଜାତିରେ ବାହା ହେବାରୁ ପରିବାରକୁ ବାସନ୍ଦ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ପ୍ରଥା ଚିନ୍ତାଜନକ ରୂପ ନେବାରେ ଲାଗିଛି। ଆମ ପୁଲିସ ସମିତିଠୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ସଭାସମିତି, ବିଭିନ୍ନ କାର୍ଯ୍ରକ୍ରମ ଦ୍ବାରା ସଚେତନତା ସତ୍ତ୍ବେ ଜାତି ଓ ବାସନ୍ଦ ଭଳି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି। ବାସନ୍ଦ ହୋଇ ନ୍ୟାୟ ପାଇଁ ଗତ ମାସରେ ଗଞ୍ଜାମ ଏସ୍‌.ପି.ଙ୍କ ଅଫିସ୍ ସାମ୍ନାରେ ଜଣେ ଯୁବକ ଆତ୍ମାହୁତି ଦେଇଥିଲେ। ଏହାସହ ବିଭିନ୍ନ କାରଣ ପାଇଁ କିଛି ଜନପ୍ରତିନିଧିଙ୍କୁ ବାସନ୍ଦ କରା ଯାଇଥିବା ଅଭିଯୋଗ ପୁଲିସ, ପ୍ରଶାସନ ନିକଟରେ ହୋଇଥିଲା। ସଦ୍ୟ ଏକ ଘଟଣାରେ ଅନ୍ୟ ଜାତିର ଝିଅକୁ ବାହା ହେବାରୁ ଦେଶମାତୃକାର ସେବା କରୁଥିବା ଦୁଇ ସେନା ଯବାନ ଭାଇଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ପୋଲସରା ଥାନା କଳମ୍ବ ଗ୍ରାମର ଅରୁଣ କୁମାର ପ୍ରଧାନ ଓ ତାଙ୍କ ଭାଇ ବସନ୍ତ ପ୍ରଧାନଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଛି। ଆଉ ନ୍ୟାୟ ପାଇଁ ବର୍ତ୍ତମାନ ସେମାନେ ପୋଲସରା ଥାନା ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ପୂର୍ବରୁ ଗତ ୧ ତାରିଖରେ ଏ ନେଇ ପୋଲସରା ଥାନାରେ ଏତଲା ଦିଆ ଯାଇଥିବା ବେଳେ କେସ୍ ନମ୍ବର ୨୨୯/୨୨ ଅନୁସାରେ ମାମଲା ରୁଜୁ ହୋଇଥିଲା। ଆଜି ସେମାନେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳ ବିଜୟ ଅମୃତା କୁଲ‌ାଙ୍ଗେଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନାନୁସାରେ, ଅରୁଣଙ୍କ ପୁଅ ଅରବିନ୍ଦ ଭାରତୀୟ ବାୟୁସେନା ଏବଂ ବସନ୍ତଙ୍କ ପୁଅ ବିନୟ ‌ଭାରତୀୟ ନୌସେନାରେ ଚାକିରି କରୁଛନ୍ତି। ଉଭୟଙ୍କ ପରିବାର କଳମ୍ବ ଗ୍ରାମରେ ରହୁଛନ୍ତି। ଏହାମଧ୍ୟରେ ଅରବିନ୍ଦ  ଗତ ଜାନୁଆରି ୨୪ ତାରିଖରେ ଅନ୍ୟ ଏକ ଜାତିର ଝିଅକୁ ବୈଦିକ ରୀତିରେ ବିବାହ କରିଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ମାର୍ଚ୍ଚ ୨୫ ତାରିଖରେ ବୈଠକ ଡାକିଥିଲେ। ଅନ୍ୟ ଜାତିର ଝିଅକୁ ଅରବିନ୍ଦ ବାହା ହେବାରୁ ନିଷ୍ପତ୍ତି କ୍ରମେ ଦୁଇ ପରିବାରକୁ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଥିଲା। ଏପରିକି ବାହାଘର ଭୋଜିରେ ଯେଉଁମାନେ ଯୋଗ ଦେଇଥିଲେ ସେମାନଙ୍କୁ ମଧ୍ୟ ଜରିମାନା ପକାଯାଇଥିଲା।

ଫଳରେ ଦୁଇ ପରିବାର ପୋଲସରା ଥାନାରେ ଅନଲାଇନ ଏବଂ ପରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।  ଶେଷରେ ଗତ ଏକ ତାରିଖରେ ଏକ ମାମଲା ରୁଜୁ ହୋଇଛି। କିନ୍ତୁ ଏହି ଘଟଣା ପରେ ଦୁଇ ପରିବାରର ମାନସିକ ସ୍ଥିତି ଦୋହଲିଯାଇଛି। ପରିବାରର ସୁରକ୍ଷା ପାଇଁ ଗାଁରେ ଅରବିନ୍ଦ ରହିଯାଇଥିବା ବେଳେ ଚାକିରିରେ ଯୋଗ ଦେବାକୁ ଯାଇପାରୁନାହାନ୍ତି। ଆଜି ସେ ଚାକିରିରେ ଯୋଗ ଦେବାର ଥିଲା। ଫଳରେ ତୁରନ୍ତ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରି ଦୁଇ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କୌଣସି ଅଘଟଣ ଘଟିଲେ ଗ୍ରାମ କମିଟି ଦାୟୀ ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର