ପିଲାଙ୍କ ଭିତରେ ଭବିଷ୍ୟତ ଓଡ଼ିଶାର ଝଲକ ଦେଖୁଛି: ମୁଖ୍ୟମନ୍ତ୍ରୀ

ଦୁଇଟି ପର୍ଯ୍ୟାୟରେ ୩୯୮୧ ସ୍କୁଲ ରୂପାନ୍ତରିତ

ଭୁବନେଶ୍ବର : ସ୍କୁଲ ରୂପାନ୍ତରଣ ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ଦିବସରେ ୫ଟି ଜିଲ୍ଲାର ୪୧୬ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଲୋକାର୍ପିତ କରିଛନ୍ତି। ଶେଷ ଦିନରେ କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ ସମେତ ଗଜପତିର ୩୧, ସମ୍ବଲପୁରର ୪୦, ବଲାଙ୍ଗୀରର ୧୦୦ ଓ ଯାଜପୁରର ୧୫୦ଟି ହାଇସ୍କୁଲ ଏହି ପ୍ରକ୍ରିୟା‌ରେ ସାମିଲ ହୋଇଛି। ଏହାକୁ ମିଶାଇ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୩୯୭୮ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୬ଟି ସ୍କୁଲକୁ ନୂଆ ରୂପ ଦିଆଯାଇଛି। ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର ପରିବର୍ତ୍ତନ ନୁହେଁ। ବରଂ ଏହା ମାନସିକସ୍ତରରେ ପିଲାଙ୍କ ବଡ଼ ପରିବର୍ତ୍ତନ ଆଣିପାରିଛି। ସେମାନଙ୍କ ଆତ୍ମବିଶ୍ବାସ ବଢ଼ିଛି। ଭବିଷ୍ୟତରେ ସେମାନେ ସଫଳ ହେବା ସହ ଓଡ଼ିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିପାରିବେ। ସ୍କୁଲ ରୂପାନ୍ତର ବାସ୍ତବରେ ଓଡ଼ିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି। ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡ଼ିଶାର ଝଲକ ଦେଖିପାରୁଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରିଛି। ସେମାନେ ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢୁଛନ୍ତି। ଏହା ଓଡ଼ିଶାର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ଏବଂ ଏହି ରୂପାନ୍ତର ଆମ ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି। ପ୍ରତି ପିଲା ସ୍ବତନ୍ତ୍ର। ତାଙ୍କ ଭିତରେ ବିପୁଳ ସମ୍ଭାବନା ଭରି ରହିଛି। ସେମାନଙ୍କ ଆଖିରେ ସୁନ୍ଦର ଭବିଷ୍ୟତର ସ୍ବପ୍ନ ରହିଛି। ତାହାକୁ ସଫଳ କରିବା କ୍ଷେତ୍ରରେ ସ୍କୁଲ ରୂପାନ୍ତର ଡେଣା ଯୋଡ଼ି ପାରିଛି। ପିଲାଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ। ନୂତନ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ। ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ, ଟେକ୍ନୋଲୋଜି, ଟିମ୍‌ୱାର୍କ, ଟାଇମ୍‌ ବା ସମୟ ଏବଂ ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ରୂପାନ୍ତର ଆସିଥାଏ।।

ଏହି ଅବସରରେ କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି, ବଲାଙ୍ଗୀରରୁ ଅଞ୍ଜନେୟ ଓ ଯାଜପୁରରୁ ମନୀଷା ଆଲୋଚନାରେ ଭାଗ ନେଇ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ରୋହିତ ପୂଜାରୀ, ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ ପ୍ରମୁଖ ଉଦ୍‌ବୋଧନ ଦେଇ ସ୍କୁଲଗୁଡ଼ିକର ଅନୁକୂଳ ପରିବେଶ ପିଲା ଓ ଅଭିଭାବକଙ୍କ ଭିତରେ ଭରସା ସୃଷ୍ଟି କରିଥିବା କହିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରି ୫-ଟି ସଚିବ ଭିକେ ପାଣ୍ଡିଆନ କହିଲେ ଦୁଇଟି ପର୍ଯ୍ୟାୟରେ ୩୯୮୧ ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି। କୋଭିଡ୍‌ ଓ ପଞ୍ଚ‌ାୟତ ନିର୍ବାଚନ ପରି ଆହ୍ୱାନ ସତ୍ତ୍ବେ ଏହା ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ପ୍ରଦୀପ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର