ପ୍ରଫେସର୍‌ ଆଶୁତୋଷ ବିଶ୍ବାସ ଭୁବନେଶ୍ବର ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ପ୍ରଫେସର ମାଧବାନନ୍ଦ କରଙ୍କୁ ଦରଭଙ୍ଗା ଦାୟିତ୍ବ

ଭୁବନେଶ୍ବର: ଏମ୍‌ସ ନୂଆଦିଲ୍ଲୀ, ମେଡିସିନ୍‌ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ପ୍ରଫେସର୍ ଆଶୁତୋଷ ବିଶ୍ବାସଙ୍କୁ ଭୁବନେଶ୍ବର ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେହିପରି ଭୁବନେଶ୍ବର ଏମ୍‌ସର ସର୍ଜିକାଲ ଅଙ୍କୋଲୋଜି ବିଭାଗ ଏଚ୍‌ଓଡି ପ୍ରଫେସର୍‌ ମାଧବାନନ୍ଦ କର ଦରଭଙ୍ଗା ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଉଭୟ ଏହି ପଦରେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି ଜଣାଯାଇଛି। ଖୁବ୍‌ଶୀଘ୍ର ଦେଶର ବାକି ୭ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯିବ। ପାଖାପାଖି ୬ ମାସ ପରେ ଭୁବନେଶ୍ବର ଏମ୍‌ସରେ ନୂତନ ସ୍ଥାୟୀ ନିର୍ଦେଶକଙ୍କ ନିଯୁକ୍ତି ଉଭୟ ରୋଗୀ ଓ ଡାକ୍ତରମହଲରେ ଆଶ୍ବସ୍ତି ଆଣିଛି। ଗୁରୁତର ଭାବେ ପ୍ରଭାବିତ ହୋଇଥିବା କାର୍ଯ୍ୟ ପୁଣି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଅପରପକ୍ଷେ, ପୂର୍ବରୁ ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକଙ୍କ ଭଳି ଦେଶର ଅନ୍ୟ ୭ଟି ଏମ୍‌ସର ନିର୍ଦ୍ଦେଶକଙ୍କ ପଦ ମର୍ଯ୍ୟାଦା ସମାନ ଥିଲା। ସେମାନଙ୍କ ପାହ୍ୟା କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ସମାନ ଥିଲା। ବର୍ତ୍ତମାନ କିନ୍ତୁ ତାହାକୁ ସଂକୁଚିତ କରି ଦିଆଯାଇଛି। ଭୁବନେଶ୍ବର ଏମ୍‌ସର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। କଟକ ଏସ୍‌ସିବିରେ ସେ ନିଜର ଏମ୍‌ବିବିଏସ୍‌, ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ଏମ୍‌ଡି ପାଠ୍ୟକ୍ରମ ସମାପ୍ତ କରିଛନ୍ତି। ପ୍ରଫେସର୍‌ ଆଶୁତୋଷ ବିଶ୍ବାସ ୩୦ବର୍ଷରୁ ଉର୍ଧ୍ବ ସମୟ ହେଲା, ଦିଲ୍ଲୀ ଏମ୍‌ସରେ କାର୍ଯ୍ୟ କରି ଆସୁଛନ୍ତି। ଏଚ୍‌ଆଇଭି, ଡେଙ୍ଗୁ, ଚିକେନଗୁନିଆ ଭଳି ରୋଗର ଗବେଷଣାରେ ତାଙ୍କର ସ୍ପେସାଲାଇଜେସନ୍‌ ରହିଛି। ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଏ ସଂକ୍ରାନ୍ତରେ ତାଙ୍କର ଅନେକ ଗବେଷଣା ସନ୍ଦର୍ଭ ପ୍ରକାଶିତ ହୋଇଛି। ଜାତୀୟ ଡେଙ୍ଗୁ ନିରାକରଣ ନୀତି ପ୍ରସ୍ତୁତରେ ଡା. ବିଶ୍ବାସଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। କିଛି ମାସ ପୂର୍ବରୁ ଆଇଜିଆଇଏମଏସ ପାଟଣାର ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର