ବିବେକୀ ପ୍ରତିବାଦୀ

ସରଳ ବିଚାର - ସରଳ କୁମାର ଦାସ

ଭାରତୀୟ ସେନାବାହିନୀରେ ଭର୍ତ୍ତି ପାଇଁ ନୂତନ ଭାବେ ଘୋଷିତ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ହିଂସାତ୍ମକ ଓ ଉଗ୍ର ଆକାର ଧାରଣ କରିଥିବା ବେଳେ ବିଶ୍ୱର କେତେକ ଦେଶରେ ପ୍ରଚଳିତ ବାଧ୍ୟତାମୂଳକ ସେନାଭର୍ତ୍ତି ବିରୋଧରେ ମଧ୍ୟ ଏକ ଭିନ୍ନ ଧରଣର ଅହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ନିକଟରେ ଊଣେଇଶ ବର୍ଷୀୟା ୟୁହୁଦୀ ଯୁବତୀ ହଲେଲ ରବିନ ବାଧ୍ୟତାମୂଳକ ସେନାଭର୍ତ୍ତିକୁ ବିରୋଧ କରି ୫୬ ଦିନ ଜେଲରେ ରହିବା ଘଟଣା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

୧୯୪୮ରେ ଇସ୍ରାଏଲ ଏକ ସ୍ୱାଧୀନ ଦେଶ ଭାବେ ପ୍ରତିଷ୍ଠିତ ହେବା ପରେ ଏହାର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ ବେନ-ଗୁରିଅନ ମନେ କରୁଥିଲେ ଯେ ‘ଇସ୍ରାଏଲ ଡିଫେନ୍‌ସ ଫୋର୍ସେସ୍‌’ ବା ‘ଆଇଡିଏଫ’ ଆଧିକାରିକ ଭାବେ ଦେଶର ସେନାବାହିନୀ ହୋଇଥିଲେ ବି ସବୁ ଇସ୍ରାଏଲୀ ହିଁ ସେନାବାହିନୀର ଅଂଶବିଶେଷ। ସେଥି ପାଇଁ ଇସ୍ରାଏଲରେ ରହୁଥିବା ୨୦% ଆରବ ଅଧିବାସୀଙ୍କୁ ବାଦ ଦେଇ ସବୁ ଇସ୍ରାଏଲୀଙ୍କୁ ୧୮ ବର୍ଷ ହେଲା ମାତ୍ରେ ସେନାବାହିନୀରେ ଯୋଗ ଦେବାକୁ ହୋଇଥାଏ। ଝିଅମାନେ ସେନାବାହିନୀରେ ୨ ବର୍ଷ କାର୍ଯ୍ୟ କରୁଥିବା ବେଳେ ପୁଅମାନେ ୩୨ ମାସ କାର୍ଯ୍ୟ କରିଥାଆନ୍ତି। ତେବେ, ଏହା ବି ସତ ଯେ ଅନେକେ ମିଛ ଆଳ ଦେଖାଇ ସେଥିରୁ ନିସ୍ତାର ପାଇଥାଆନ୍ତି। ମିଛର ଆଶ୍ରୟ ନ ନେଇ ରବିନ ଖୋଲାଖୋଲି ଭାବେ ନିଜକୁ ‘ଶାନ୍ତିବାଦୀ’ ବୋଲି ଘୋଷଣା କରି ସେନାବାହିନୀରେ ଯୋଗ ଦେବାକୁ ମନା କରିଦେଲେ। ଏପରି ଲୋକମାନଙ୍କୁ ବିବେକୀ ପ୍ରତିବାଦୀ (କନସେନ୍‌ସିଅସ୍ ଅବଜେକ୍ଟର) ବୋଲି କୁହାଯାଇଥାଏ। ସେଠାକାର ଆଇନ ଅନୁଯାୟୀ ଏପରି ଆଚରଣ ପାଇଁ ଜଣକୁ ଜେଲ୍‌ ଦଣ୍ଡ ଭୋଗିବାକୁ ହୋଇଥାଏ। ତେଣୁ, ରବିନଙ୍କୁ ଅଗଷ୍ଟ ୨୦୨୦ରୁ ଜେଲରେ ରହିବାକୁ ପଡ଼ିଥିଲା। ତେବେ ବିଚାର ସମୟରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ତାଙ୍କ ‘ଶାନ୍ତିବାଦ’ ନିଷ୍କପଟ ଓ କୌଣସି ରାଜନୈତିକ ମତାଦର୍ଶ ଦ୍ୱାରା ପ୍ରଭାବିତ ନୁହେଁ ବୋଲି ସେନା ବୋର୍ଡ ଗ୍ରହଣ କରି ତାଙ୍କୁ ମୁକ୍ତି ପ୍ରଦାନ କରିଥିଲେ। କିନ୍ତୁ ବିଡ଼ମ୍ବନା, ‘ଆଇଡିଏଫ’କୁ ଆଦର୍ଶଗତ, ନୀତିଗତ ଓ ରାଜନୈତିକ ଦୃଷ୍ଟିରୁ ବିରୋଧ କରିଥିବାରୁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହୀ ଭାବେ ଚିତ୍ରଣ କରାଯିବା ସହ ହତ୍ୟା ଧମକ ପର୍ଯ୍ୟନ୍ତ ମିଳିବାକୁ ଲାଗିଲା। କିନ୍ତୁ ତାଙ୍କ ଶାନ୍ତିବାଦର ମତାଦର୍ଶ କାରଣରୁ ତାଙ୍କ ସଂଗ୍ରାମର କାହାଣୀ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନାବାହିନୀର ଶକ୍ତି ବୃଦ୍ଧି ଓ ଯୁଦ୍ଧର ଉପଯୋଗିତାକୁ ନେଇ ଭିନ୍ନ ଏକ ବିତର୍କ ଆରମ୍ଭ କରିଦେଲା।

ନିଜ ମତ, ବିବେକ ବା ଧର୍ମର ସ୍ୱାଧୀନତା ଆଧାରରେ ସେନାବାହିନୀରେ ଅସ୍ତ୍ର ଧାରଣ କରିବା, ତାଲିମ ନେବା ବା କୌଣସି ସେବା ପ୍ରଦାନ କରିବାକୁ ମନା କରିବାକୁ ନିଜର ଅଧିକାର ବୋଲି ମନେ କରୁଥିବା ବ୍ୟକ୍ତିଙ୍କୁ ‘ବିବେକୀ ପ୍ରତିବାଦୀ’ ବୋଲି କୁହାଯାଇଥାଏ। କିନ୍ତୁ ଏଥି ଲାଗି ଅତୀତରେ ଅନେକ ବିବେକୀ ପ୍ରତିବାଦୀ ଶାସକ ଓ ସମାଜ ଦ୍ୱାରା ଦଣ୍ଡିତ ‌ହୋଇଛନ୍ତି। ଖ୍ରୀଷ୍ଟ ଧର୍ମାବଲମ୍ୱୀ ମାକ୍‌ସିମିଲିଆନ ନିଜ ଧାର୍ମିକ ବିଶ୍ୱାସ ପାଇଁ ରୋମ୍‌ ସେନାବାହିନୀରେ କାର୍ଯ୍ୟ କରିବାକୁ ମନା କରି ଦେଇଥିବାରୁ ୨୯୫ ଖ୍ରୀଷ୍ଟାବ୍ଦରେ ତାଙ୍କୁ ହତ୍ୟା କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ସନ୍ଥତ୍ୱ ପ୍ରାପ୍ତ ହୋଇ ସେଣ୍ଟ ମାକ୍‌ସିମିଲିଆନ ଭାବେ ବିଦିତ ହୋଇଥିଲେ। ଷୋଡ଼ଶ ଶତାବ୍ଦୀରେ ନେଦରଲାଣ୍ଡସରେ ମେନନାଇଟସ ନାମକ ଖ୍ରୀଷ୍ଟ ଗୋଷ୍ଠୀକୁ ଅର୍ଥ ବିନିମୟରେ ସେନାବାହିନୀରେ ଯୋଗ ନ ଦେବାର ଅଧିକାର ପ୍ରଦାନ କରାଯାଇଥିଲେ ବି ଅଷ୍ଟାଦଶ ଶତାବ୍ଦୀର ମଧ୍ୟ-ଭାଗରେ ବ୍ରିଟେନରେ ଆଇନଗତ ଭାବେ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନଙ୍କ କ୍ୱେକର ଗୋଷ୍ଠୀର ସଦସ୍ୟମାନଙ୍କୁ ବ୍ରିଟିସ୍‌ ସେନାବାହିନୀରେ ଯୋଗ ଦେବାରୁ ନିସ୍ତାର ମିଳିଥିଲା। ୧୯୧୭ରେ ମୟୂରଭଞ୍ଜଠାରେ ପ୍ରଥମ ବିଶ୍ୱଯୁଦ୍ଧରେ ସେନାବାହିନୀରେ ଯୋଗ ଦେବାକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଆଦିବାସୀ ମେଳି କରିବା ଥିଲା ଭାରତରେ ବିବେକବାନ ପ୍ରତିବାଦର ପ୍ରଥମ ଦୃଷ୍ଟାନ୍ତ।

ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ବିବେକୀ ପ୍ରତିବାଦୀମାନେ ଯୁଦ୍ଧରେ ଭାଗ ନେଇ ଅସ୍ତ୍ର ଉଠାଇବାକୁ ମନା କରିଦେଲେ। ଏହା ପଛରେ ଅଧିକାଂଶ କାରଣ ଥିଲା ନୈତିକ ଓ ଧର୍ମୀୟ ଓ କେତେକ ଥିଲା ରାଜନୈତିକ। ଖ୍ରୀଷ୍ଟ ଧର୍ମରେ ଥିବା ‘ଦାଉ ସାଲ ନଟ କିଲ୍’ ବା ‘ତୁମେ ହତ୍ୟା କରିବ ନାହିଁ’ ନୀତି ଶିକ୍ଷାରେ ଉଦ୍‌ବୁଦ୍ଧ କ୍ୱେକର୍ସ, ମେଥଡିଷ୍ଟ, ଆଦିମ ମେଥଡିଷ୍ଟ ଗୋଷ୍ଠୀର ଖ୍ରୀଷ୍ଟ ଧର୍ମାବଲମ୍ୱୀ କୌଣସି ପ୍ରକାର ଯୁଦ୍ଧରେ ସାମିଲ ନ ହେବାକୁ ସିଦ୍ଧାନ୍ତ ନେଇଥିଲେ। ବିବେକୀ ପ୍ରତିବାଦୀମାନେ ‘ନୋ-କନସ୍କ୍ରିପସନ୍‌ ଫେଲୋସିପ’ ନାମକ ସଂଗଠନ ଗଢ଼ି ବିରୋଧ କରୁଥିଲେ। ତେବେ ସେନାବାହିନୀରେ ଭର୍ତ୍ତିକୁ ବାଧ୍ୟତାମୂଳକ କରିବା ପାଇଁ ମିଲିଟାରୀ ସର୍ଭିସ ଆକ୍‌ଟ, ୧୯୧୬ରେ ପ୍ରଣୀତ ହୋଇ ୧୮ରୁ ୪୧ ବର୍ଷ ବୟସର ସବୁ ଅବିବାହିତ ଓ ବିପତ୍ନୀକମାନଙ୍କୁ ମାର୍ଚ୍ଚ ୨, ୧୯୧୬ଠାରୁ ଯୁଦ୍ଧର ପରିସମାପ୍ତି ପର୍ଯ୍ୟନ୍ତ ସେନାବାହିନୀର ଅଂଶ ଭାବେ ଧରି ନିଆଗଲା। ‘ନୋ-କନସ୍କ୍ରିପସନ ଫେଲୋସିପ’ ସଂସ୍ଥାର ଅଭିଯାନ ଫଳରେ ଏହି ଆଇନରେ ଏକ ବିବେକ ଧାରା (କନସାଇନ୍‌ସ କ୍ଲଜ୍) ଯୋଡ଼ାଗଲା। ତଦନୁଯାୟୀ ବିବେକୀ ପ୍ରତିବାଦୀମାନେ ଛାଡ଼ ପାଇବା ଲାଗି ଏକ ଟ୍ରିବ୍ୟୁନାଲ ସମ୍ମୁଖରେ ନିଜ ପକ୍ଷ ରଖି ପାରିଲେ। ଏହି ଭଳି ପ୍ରାୟ ୧୬୦୦୦ ପ୍ରତିବାଦକାରୀ ଛାଡ଼ ପାଇବା ପାଇଁ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଧିକାଂଶଙ୍କର ଆବେଦନ ଖାରଜ ହୋଇ ସେମାନଙ୍କୁ ସେନାବାହିନୀରେ ଭର୍ତ୍ତି ହେବା ଲାଗି ବାଧ୍ୟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କୌଣସି ମିଲିଟାରି ଆଦେଶ ପାଳନ କରିବାକୁ ମନା କରି ଦେଇଥିବା ପ୍ରାୟ ୬୦୦୦ ପ୍ରତିବାଦକାରୀଙ୍କୁ ‘ଆବସଲ୍ୟୁଟିଷ୍ଟ’ ଭାବେ ଅଭିହିତ କରାଗଲା। ସାମରିକ ଅନୁଶାସନକୁ ବିରୋଧ କରୁଥିବା ପ୍ରତିବାଦକାରୀମାନଙ୍କୁ କୋର୍ଟ ମାର୍ସଲ ଜରିଆରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା।

ଅନ୍ୟ ପକ୍ଷରେ ସେନାବାହିନୀରେ ଭର୍ତ୍ତି ହୋଇ ଯୁଦ୍ଧରେ ଅଂଶ ଗ୍ରହଣ କରିବାକୁ ରାଜି ନ ଥିବା ପ୍ରାୟ ୧୦୦୦୦ ପ୍ରତିବାଦକାରୀଙ୍କ ପାଇଁ ସେନାବାହିନୀରେ ଏକ ‘ନନ୍-କମ୍ୱାଟାଣ୍ଟ୍‌ କୋର୍‌’ ବା ଅଣଯୋଦ୍ଧା ବାହିନୀର ଗଠନ କରାଗଲା। ଏହାର ସଦସ୍ୟମାନେ ଅସ୍ତ୍ର ଧାରଣ ନ କଲେ ବି ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟରେ ସେନାବାହିନୀକୁ ସହଯୋଗ କଲେ। ସେତେବେଳେ ବ୍ରିଟେନ୍‌ରେ ବିବେକୀ ପ୍ରତିବାଦୀମାନେ ଆଇସିଏସ ପରୀକ୍ଷାରେ ବସିବା ପାଇଁ ଅଯୋଗ୍ୟ ଥିଲେ। ଏହାର କାରଣ ସମ୍ପର୍କରେ ୧୯୧୬ରେ ବ୍ରିଟିସ୍‌ ପାର୍ଲିଆମେଣ୍ଟରେ ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ଚେମ୍ୱରଲେନ କହିଥିଲେ, ‘ଜଣେ ବ୍ୟକ୍ତି ଯାହାର ଯେ କୌଣସି ପରିସ୍ଥିତିରେ ରାଷ୍ଟ୍ର ଦ୍ୱାରା ବଳ ପ୍ରୟୋଗ ପ୍ରତି ନୈତିକ ବିରୋଧ ରହିଛି, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତୀୟ ସିଭିଲ ସର୍ଭିସେସର ସଦସ୍ୟମାନଙ୍କୁ ଯେଉଁ କର୍ତ୍ତବ୍ୟ ନିର୍ବାହ କରିବାକୁ ହୋଇଥାଏ ତାହା ତାଠାରୁ ଆଶା କରିବା ସମ୍ଭବପର ହେଉ ନଥିବାରୁ ତାକୁ ଆଇସିଏସ ପାଇଁ ଅଯୋଗ୍ୟ ମଣିବା ଯୁକ୍ତିଯୁକ୍ତ।’ ଏଥିରୁ ସେ ସମୟର ବ୍ରିଟେନରେ ବିବେକବାନ ପ୍ରତିବାଦ ସମସ୍ୟା ଯେ କେତେ ଉତ୍କଟ ଥିଲା, ତାହା ଅନୁମେୟ।

ଆମେରିକାରେ ସେନାଭର୍ତ୍ତି ସ୍ୱେଚ୍ଛାକୃତ ଭାବେ ହୋଇଥାଏ। ତେବେ ୧୯୪୦ରୁ ୧୯୭୩ ପର୍ଯ୍ୟନ୍ତ ସେନାବାହିନୀରେ ଅନେକ ଶୂନ୍ୟ ପଦ ପଡ଼ିରହିବାରୁ ଯୁବକମାନଙ୍କୁ ବାଧ୍ୟତାମୂଳକ ଭାବେ ସେନାବାହିନୀରେ ଭର୍ତ୍ତି କରାଯିବାକୁ ଲାଗିଲା। ଷଷ୍ଠ ଓ ସପ୍ତମ ଦଶକରେ ଭିଏତ୍‌ନାମ ଯୁଦ୍ଧ ଯୋଗୁଁ ଆମେରିକାକୁ ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହେବାକୁ ପଡ଼ିଥିଲା। ଏହି ସମୟରେ ନିଜ ବ୍ୟକ୍ତିଗତ ବିଶ୍ୱାସ ସାମରିକ ସେବା ପ୍ରଦାନର ବିରୋଧାଚରଣ କରୁଥିବା ଦର୍ଶାଇ ଆମେରିକାରେ ବହୁ ସଂଖ୍ୟାରେ ବିବେକୀ ପ୍ରତିବାଦୀ ସେନାବାହିନୀରେ ଯୋଗ ଦେବାକୁ ମନା କରି ଦେଉଥିଲେ। ଏହିପରି ୧.୭୦ ଲକ୍ଷରୁ ଅଧିକ ଲୋକଙ୍କୁ ଆଧିକାରିକ ଭାବେ ବିବେକୀ ପ୍ରତିବାଦୀ ବୋଲି ଘୋଷଣା କରାଯାଇଥିଲା। ସାମରିକ ସେବା ପ୍ରଦାନ ନ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଜଣେ ବିବେକୀ ପ୍ରତିବାଦୀ ପକ୍ଷରେ ତାହା ଏପରି ଏକ କଠିନ ସମୟ ଥିଲା, ଯେତେବେଳେ ତାକୁ ନିଜ ବିବେକର ଡାକ ଶୁଣି ଜେଲଦଣ୍ଡ ଭୋଗିବା ବା ଦେଶ ତ୍ୟାଗ କରିବା ଭିତରୁ ଗୋଟିଏକୁ ବାଛିବାକୁ ପଡୁଥିଲା ଓ ଅଧିକାଂଶ ପ୍ରଥମଟିକୁ ହିଁ ବାଛୁଥିଲେ। ତେବେ ଆହୁରି କେତେକ ଦେଶ ତ୍ୟାଗ କରି ସେନାବାହିନୀରେ ଭର୍ତ୍ତି ଆଦେଶକୁ ଏଡ଼ାଇବାରେ ସକ୍ଷମ ହେଉଥିଲେ। ସେହି ସମୟର ଅନେକ ବିବେକୀ ପ୍ରତିବାଦୀଙ୍କ ପାଇଁ ଓକିଲାତି କରିଥିବା ସାମ ଜାକବସନଙ୍କ ଅନୁଯାୟୀ, ‘ପ୍ରତିବାଦକାରୀ ଯୁବକମାନେ ଭିଏତ୍‌ନାମ ଯୁଦ୍ଧକୁ ନୈତିକତା ଦୃଷ୍ଟିରୁ ଗ୍ରହଣ କରି ନ ପାରି ପ୍ରକୃତ ପକ୍ଷେ ଯୁଦ୍ଧକୁ ବିରୋଧ କରି ବିବେକୀ ପ୍ରତିବାଦୀ ସାଜିଥିଲେ। x x x ମୋଟାମୋଟି ଭାବେ ସେମାନେ ମୁଖ୍ୟଧାରାର ସାଧାରଣ ଆମେରିକୀୟ ଥିଲେ ଆଉ ନିଶ୍ଚିତ ରୂପେ ଅପରାଧୀ ନ ଥିଲେ। ଏହି ଭଦ୍ର ଯୁବକମାନଙ୍କୁ ସେମାନଙ୍କ ବିଶ୍ୱାସ ପାଇଁ ଜେଲ ଭିତରକୁ ଅଡ଼େଇ ନିଆଯାଉଥିବା ଦୃଶ୍ୟ ବାସ୍ତବିକ ହୃଦୟ ବିଦାରକ ଥିଲା।’

ଜାତିସଂଘରେ ୧୯୭୬ରେ ସ୍ୱାକ୍ଷରିତ ଆନ୍ତର୍ଜାତିକ ନାଗରିକ ଓ ରାଜନୈତିକ ଅଧିକାର ଚୁକ୍ତି (ଆଇସିସିପିଆର)ର ଧାରା ୧୮ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କର ମତ, ବିବେକ ଓ ଧର୍ମର ସ୍ୱାଧୀନତାର ଅଧିକାର ରହିଛି। ତେବେ ସେଥିରେ ସେନାବାହିନୀରେ ସେବା ପ୍ରଦାନ କରିବାକୁ ମନା କରିବା ଲାଗି ବିବେକୀ ପ୍ରତିବାଦୀଙ୍କ ଅଧିକାର ସମ୍ପର୍କରେ କୌଣସି ସ୍ପଷ୍ଟ ଉଲ୍ଲେଖ ନ ଥିଲେ ବି ୨୦୦୬ରେ କମିଟି ପ୍ରଥମ ଥର ଲାଗି ଏହି ଅଧିକାରକୁ ମାନ୍ୟତା ପ୍ରଦାନ କରିଥିଲା। ଏଣିକି ପ୍ରତି ବର୍ଷ ମେ ୧୫ ଦିନଟିକୁ ବିଶ୍ୱବ୍ୟାପୀ ବିଭିନ୍ନ ସଂଗଠନଙ୍କ ଦ୍ୱାରା ‘ଅନ୍ତର୍ଜାତୀୟ ବିବେକବାନ ପ୍ରତିବାଦ ଦିବସ’ ରୂପେ ପାଳନ କରାଯାଉଛି। ଏହା ସତ୍ତ୍ୱେ ବିଶ୍ୱର ଅଧିକାଂଶ ଦେଶରେ ‘ବିବେକୀ ପ୍ରତିବାଦୀ’ଙ୍କ ଅଧିକାର ଗ୍ରହଣୀୟ ହୋଇନାହିଁ। ଅନେକ ଦେଶରେ ସେନାବାହିନୀରେ ଯୋଗଦାନ ବାଧ୍ୟତାମୂଳକ ଥିଲା ବେଳେ କିଛି ଦେଶରେ ସେ ନେଇ ଆଇନ ଥିଲେ ବି ତାହା କଡ଼ାକଡ଼ି ଭାବେ ଅନୁପାଳନ କରାଯାଇ ନ ଥାଏ। ଏମାନଙ୍କ ମଧ୍ୟରୁ ପ୍ରାୟ ୩୦ଟି ଦେଶରେ ବିବେକୀ ପ୍ରତିବାଦୀଙ୍କ ସେନାବାହିନୀରେ ଯୋଗଦାନକୁ ମନା କରିବାର ଅଧିକାରକୁ ସମ୍ମାନ ଜଣାଇ ଆଇନ ପ୍ରଣୀତ ହୋଇଛି। କୋଷ୍ଟାରିକା, ଆଇସଲାଣ୍ଡ, ମରିସସ, ମୋନାକୋ, ନାଉରୁ, ପାନାମା, ଭଟିକାନ ସିଟି ଭଳି ୧୮ଟି ଛୋଟ ଛୋଟ ଦେଶରେ କୌଣସି ସ୍ଥାୟୀ ସେନାବାହିନୀ ନ ଥିଲେ ବି ସେଗୁଡ଼ିକ କୌଣସି ଯୁଦ୍ଧ ବା ବହିଃ ଆକ୍ରମଣର ଶିକାର ହୋଇନାହାନ୍ତି। ଭାରତରେ ସେନାବାହିନୀରେ ଅଂଶଗ୍ରହଣ ବାଧ୍ୟତାମୂଳକ ନୁହେଁ। ତେବେ ଅନୁଧ୍ୟାନ କଲେ ଜଣାଯାଏ ଯେ ସୈନ୍ୟ ଭାବେ ଯୋଗ ଦେଉଥିବା ଅଧିକାଂଶ ଗରିବ ପରିବାରରୁ ଆସିଥାଆନ୍ତି। ସେମାନଙ୍କୁ ସୈନ୍ୟବାହିନୀରେ ଏକ ସ୍ଥାୟୀ ଚାକିରି କେବଳ ରୋଜଗାରର ଗ୍ୟାରେଣ୍ଟି ଦେଇ ନ ଥାଏ ବରଂ ଏକ ପରିଚୟ ପ୍ରଦାନ କରି ସାମାଜିକ ପ୍ରତିଷ୍ଠା ମଧ୍ୟ ପ୍ରଦାନ କରିଥାଏ।

ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ଲାଗି ଜାତୀୟତାବାଦୀମାନେ ଯୁଦ୍ଧର ମହିମା ଗାନ କରୁଥିବା ବେଳେ ଅନ୍ତର୍ଜାତୀୟତାବାଦରେ ଉଦ୍‌ବୁଦ୍ଧ ମାନବବାଦୀମାନେ ଯୁଦ୍ଧର ବିଭୀଷିକାକୁ ଏଡ଼ାଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥାଆନ୍ତି। ‘ଆମେ, ମଣିଷମାନେ ଯିଏ ଯେଉଁଠି ଅଛନ୍ତି ସମସ୍ତଙ୍କ ଏକ ସରଳ ଓ ସ୍ପଷ୍ଟ ଉଦ୍ଦେଶ୍ୟ ଯେ ଆମେ ପ୍ରକୃତ ଶାନ୍ତି ଓ ସୁରକ୍ଷିତ ଭାବେ ରହିବା। ଏହି ଅତ୍ୟନ୍ତ ବିଭାଜିତ ଓ ରକ୍ତାକ୍ତ ପୃଥିବୀରେ ମଣିଷମାନେ ନିଜ ନିଜ ଭିତରେ ଲଢୁଥିବା ବେଳେ ଏଠିକା ସମେତ ସର୍ବତ୍ର ଜୀବନ ଜିଇବାକୁ ସେତିକି ମିଳିଗଲେ ଯଥେଷ୍ଟ’ ବୋଲି ଜେଲରୁ ମୁକ୍ତି ପାଇବା ପରେ ରବିନ କହିଛନ୍ତି। ଏହି ଉକ୍ତି ଯୁଦ୍ଧର ବିଭୀଷିକାକୁ ଏଡ଼ାଇ, ଦ୍ୱନ୍ଦ୍ୱର ପଥକୁ ପରିହାର କରି ଶାନ୍ତି ପ୍ରତିଷ୍ଠା ଦିଗରେ ଅଧିକ ଚିନ୍ତା ଓ ପ୍ରୟାସ କରିବାକୁ ବିଶ୍ୱବାସୀଙ୍କୁ ବିବଶ କରିପାରେ।

ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର