ବିଏମ୍‌ସିରେ ଟିକାକରଣ ନୈରାଶ୍ୟଜନକ: ସ୍ବାସ୍ଥ୍ୟ ବିଭାଗର ତାଗିଦ

‌ଲୋକ ଆସୁନାହାନ୍ତି, ବସି ବସି ଫେରୁଛନ୍ତି କର୍ମଚାରୀ

ଭୁବନେଶ୍ବର : ବିଏମ୍‌ସିରେ ଟିକାକରଣ ନୈରାଶ୍ୟଜନକ ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଆଗକୁ କୋଭିଡ୍‌ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ଶତ ପ୍ରତିଶତ ଟିକାକରଣ ଉପରେ ଗୁରୁତ୍ବ ଦେଇ ଟିକାକରଣ ପରିମାଣ ବଢ଼ାଇବାକୁ ବିଏମ୍‌ସିକୁ ତାଗିଦ୍‌ କରିଛି ସ୍ବାସ୍ଥ୍ୟ ବିଭାଗ। ଏହି ମର୍ମରେ ବିଭାଗ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛି।

ଚିଠି ମୁତାବକ, ବିଏମ୍‌ସିରେ ୧୨ରୁ ୧୪ବର୍ଷ ବୟସ ବର୍ଗର ୪୨ହଜାର ୬୨୭ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଯୋଜନା ରହିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ୧୬ ହଜାର ୬୨୭ଜଣଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇଛି। ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୯ପ୍ରତିଶତ ପୂରଣ ହୋଇପାରିଛି। ସେହିଭଳି ୧୫ରୁ ୧୭ବର୍ଷ ବୟସ ବର୍ଗରେ ୬୨ହଜାର ୬୮୦ ଜଣ ଶିଶୁମାନଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ୫୦ ହଜାର ୬୫୧ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟର ୮୧ ପ୍ରତିଶତ ପୂରଣ ହୋଇପାରିଛି। ୧୮ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗରେ ଧାର୍ଯ୍ୟ ଲକ୍ଷ୍ୟର ୧୬୬ ପ୍ରତିଶତ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୯୪ ପ୍ରତିଶତଙ୍କୁ ଦ୍ବିତୀୟ ଡୋଜ୍‌ ଦିଆଯାଇଛି। ସେହିଭଳି ପ୍ରିକସନ୍‌ ଡୋଜ୍‌ ସବୁଠାରୁ ନୈରାଶ୍ୟଜନକ ରହିଛି। ୯୯୩୯ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରିକସନ୍‌ ଡୋଜ୍‌ ଦିଆଯାଇଛି। ଏହା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୭ ପ୍ରତିଶତ। ୧୬ହଜାର ୮୦୪ ଏଫ୍‌ଏଲ୍‌ଡବ୍ଲୁଙ୍କୁ ପ୍ରିକସନ୍‌ ଡୋଜ୍‌ ଦିଆଯାଇଛି। ଏହା ଧାର୍ଯ୍ୟ ଲକ୍ଷ୍ୟର ୩୦ ପ୍ରତିଶତ। ୬୦ ବର୍ଷରୁ ଊର୍ଦ୍ଧ୍ବ ୬୬ହଜାର ୧୬୪ ବରି‌ଷ୍ଠ ନାଗରିକଙ୍କୁ ପ୍ରିକସନ ଡୋଜ୍‌ ଦିଆଯାଇଛି। ଏହା ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟର ୪୫ ପ୍ରତିଶତ। ଏଣୁ ପ୍ରତି ବୟସ ବର୍ଗରେ କିଭଳି ଶତପ୍ରତିଶତ ଟିକାକରଣ ହୋଇପାରିବ, ସେନେଇ ବିଏମ୍‌ସି ପଦକ୍ଷେପ ନେବାକୁ ତାଗିଦ୍ କରାଯାଇଛି।

Image Courtesy of Reuters

ଏବେ ୨୪ଟି ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ଚାଲିଛି। କିନ୍ତୁ ଲୋକମାନଙ୍କ ପୂର୍ବଭଳି ଟିକାକରଣ ପ୍ରତି ଆଗ୍ରହ ନ ଥିବା ଦେଖାଯାଉଛି। କର୍ମଚାରୀମାନେ ବସି ବସି ଫେରୁଛନ୍ତି। ଲୋକମାନେ କିଭଳି ସଚେତନ ହେବେ ଓ ଟିକା ନେବାକୁ ଆସିବେ, ସେଥିପାଇଁ ଉଦ୍ୟମ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଗତ ୨୨ ତାରିଖରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩ ଓ ୨୪ରେ ୩୫, ୨୫ରେ ୩୭, ୨୬ରେ ୩୦ ଓ ୨୭ ତାରିଖରେ ୨୧ଜଣ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର