ସ୍ମାର୍ଟ କ୍ଲାସରୁମ୍‌ ପାଇଁ ଟଙ୍କାଟିଏ ମିଳିବନି, ରୋକ୍‌ଠୋକ୍‌ ମନା କଲେ ସରକାର

ଉତ୍କଳ‌ରେ ପଡ଼ି ରହିଛି ୫୦୦ କୋଟି, ଦୁଇ ମାସରେ ଦୁଇଟି ପ୍ରସ୍ତାବକୁ ଫେରାଇଲେ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସ୍ମାର୍ଟ କ୍ଲାସ ରୁମ୍‌ ପାଇଁ ରାଜ୍ୟ ସରକାର ଟଙ୍କାଟିଏ ବି ଦେବେନି। ବିଶ୍ବବିଦ୍ୟାଳୟ ପାଖରେ ପ୍ରଚୁର ଅର୍ଥ ମହଜୁଦ ରହିଛି। ସେହି ପାଣ୍ଠିରୁ ସ୍ମାର୍ଟକ୍ଲାସ୍‌ ରୁମ୍‌ ବାବଦରେ ବ୍ୟୟ କରିପାରିବେ। ଏ ବାବଦରେ ବ୍ୟୟବରାଦ କରିବା ନେଇ ରାଜ୍ୟ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ। କ୍ୟାମ୍ପସରେ ସ୍ମାର୍ଟ କ୍ଲାସରୁମ୍‌ ପ୍ରତିଷ୍ଠା ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ଏପ୍ରିଲ୍‌ ୨୨ରେ ଲେଖାଯାଇଥିବା ପତ୍ରର ଏଭଳି ଢଙ୍ଗରେ ଉତ୍ତର ରଖିଛି ଉଚ୍ଚଶିକ୍ଷା ବିଭାଗ।

ବିଭାଗ ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଲେଖାଯାଇଥିବା ପତ୍ରରେ ସ୍ପଷ୍ଟ କରାଯାଇଛି ଯେ ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ ଓ ଏଥିପାଇଁ ଆବଶ୍ୟକ ଉପକରଣ କ୍ରୟ କରିବା ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ରାଜ୍ୟ ସରକାର କୌଣସି ପାଣ୍ଠି ଯୋଗାଇ ପାରିବେ ନାହିଁ। ବିଶ୍ୱବିଦ୍ୟାଳୟ ପାଖରେ ମଧ୍ୟ ବହୁ ପରିମାଣର ଅର୍ଥ ଗଚ୍ଛିତ ରହିଛି। ସେହି ପାଣ୍ଠିରୁ ସ୍ମାର୍ଟକ୍ଲାସ୍‌ ରୁମ୍‌ ବାବଦରେ ବ୍ୟୟ କରାଯିବା ଉଚିତ। ସ୍ମାର୍ଟକ୍ଲାସ ରୁମ୍ ପ୍ରତିଷ୍ଠା କରିବାରେ ଯେହେତୁ ଅଧିକ ଅର୍ଥ ବ୍ୟୟ ହେବ, ତେଣୁ ଅନାବଶ୍ୟକ ଖର୍ଚ୍ଚରୁ ବିରତ ରହିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଛନ୍ତି। ସ୍ମାର୍ଟକ୍ଲାସ ରୁମ୍ ସ୍ଥାପନ ଆଳରେ ଏଭଳି ସୁବିଧା ଓ ପ୍ରାବଧାନ ସୃଷ୍ଟି ନିମନ୍ତେ ଅର୍ଥ ବ୍ୟୟ କରାଯିବା ଅନୁଚିତ, ଯାହାକି ଶିକ୍ଷାଦାନ ପ୍ରକ୍ରିୟାରେ ବିଶେଷ ଉପଯୋଗ ହେବ ନାହିଁ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

ଏହା ପ୍ରଥମ ଘଟଣା ନୁହେଁ, ଭୂତତ୍ତ୍ବ ବିଭାଗର ବିକାଶ ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ଆର୍ଥିକ ସହାୟତା ମଗାଯିବା ଘଟଣାରେ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଗତ ମେ’ ମାସରେ କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ସଚିବ ଶ୍ରୀ ମିଶ୍ର କୁଳପତିଙ୍କୁ ଚିଠି ଲେଖି କହିଥିଲେ ଯେ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ସହାୟତାର ହାତ ବଢ଼ାଉଛନ୍ତି। ବର୍ତ୍ତମାନ ବିଶ୍ବବିଦ୍ୟାଳୟ ପାଖରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି, ଯେଉଁଥିରେ ଭିତ୍ତିଭୂମିର ଉନ୍ନତି କରାଯାଇପାରିବ। ମହଜୁଦ ଥିବା ଏହି ଅର୍ଥକୁ ବ୍ୟବହାର କରି ଭୂତତ୍ତ୍ବ ବିଭାଗର ବିକାଶ ସହଜରେ ହୋଇପାରିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓଏମ୍‌ସି କିମ୍ବା ଅନ୍ୟ କୌଣସି ସଂସ୍ଥା ନିକଟରେ ଅର୍ଥିକ ସହାୟତା ଲାଗି ହାତ ପତାଇବା ଠିକ୍‌ ନୁହେଁ ବୋଲି ସଚିବ କହିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଚୁର ଅର୍ଥ ପଡ଼ିଛି। ତାହାକୁ ଖର୍ଚ୍ଚ କରିପାରୁନାହାନ୍ତି। ତା’ ପରେ ବି ଭିତ୍ତିଭୂମି ବିକାଶ ଲାଗି ସହଯୋଗ ମାଗିବା ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଶ୍ବବିଦ୍ୟାଳୟର ପ୍ରସ୍ତାବକୁ ଉଚ୍ଚଶିକ୍ଷା ବିଭାଗ ବାରମ୍ବାର ପ୍ରତ୍ୟାଖାନ କରୁଛି। ଏବେ ବି କ୍ୟାମ୍ପସ୍‌ରେ ୨୦ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଜାରି ରହିଛି। ପାଚେରି ବୁଲାଇବାଠାରୁ ହଷ୍ଟେଲ ମରାମତି ପର୍ଯ୍ୟନ୍ତ କାମ ଚାଲିଛି। କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟରେ ପାତରଅନ୍ତର ହୋଇଥିବା ନେଇ ଅଭିଯୋଗ ଉଠିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ନିକଟରେ ଏକାଧିକ ଅଭିଯୋଗ ମଧ୍ୟ ହୋଇଛି। ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ରୋକଠୋକ୍ ନାସ୍ତିବାଣୀ ଶୁଣାଇଥିବା ଚର୍ଚ୍ଚା ହେଉଛି।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବିଦ୍ୟାଳୟ ଢାଞ୍ଚାରେ ବିଶ୍ବବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍‌ ପାଇଁ ଟଙ୍କା ମାଗିବା ଆଦୌ ଠିକ୍‌ ନୁହେଁ। କାରଣ ବିଶ୍ବବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍‌ ଲାଗି କୌଣସି ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ହିଁ ନାହିଁ। ଯଦି ଗୋଟିଏ ବିଶ୍ବବିଦ୍ୟାଳୟକୁ ଅର୍ଥ ଦିଆଯାଏ ତେବେ ରାଜ୍ୟର ସମସ୍ତ ୧୩ଟି ବିଶ୍ବବିଦ୍ୟାଳୟ ଅର୍ଥ ମାଗିବେ। ସେପଟେ ଉତ୍କଳ ପାଖରେ ଅର୍ଥର ଆଦୌ ଅଭାବ ନାହିଁ। କୋଟି କୋଟି ଟଙ୍କା ପଡ଼ିଛି। ହେଲେ ସେମାନେ ଖର୍ଚ୍ଚ କରିପାରୁ ନାହାନ୍ତି। ପୂର୍ବରୁ ସଚିବ ବି ଏନେଇ ତାଗିଦ୍‌ କରିଥିଲେ। ତା’ପରେ ବି କର୍ତୃପକ୍ଷ ଅବୁଝା ରହୁଛନ୍ତି।
ଏନେଇ ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହେଇ ନ ଥିଲା।

 

ସମ୍ବନ୍ଧିତ ଖବର