ଭୟ ଥାଏ କେଉଁଠି?

ସ୍ୱାମୀ ଶୁଦ୍ଧାନନ୍ଦ

ଲୋକେ ଅନେକ ସମୟରେ ପଚାରନ୍ତି- ଏତେ ଭୟ ଲାଗୁଛି କାହିଁକି? ସେ ଭୟ ଦୂର ହେବ କିପରି? ଏହାର କାରଣ ଆମେ ଭାବିଥାଉ ଯେ ଭୟ ବାହାରୁ ଆସୁଛି। ତେଣୁ ବାହାରେ ଥିବା ଭୟର କାରଣଗୁଡ଼ିକୁ ଦୂର କରିଦେଲେ ଭୟ ଦୂର ହୋଇଯିବ। କିନ୍ତୁ ସେମିତି ହୁଏନାହିଁ। କାରଣ ପ୍ରକୃତରେ କୌଣସି ବସ୍ତୁ ବା ଘଟଣା ଭୟପ୍ରଦ ନୁହେଁ। ସେହି ସ୍ଥିତିରେ ଆମର ପ୍ରତିକ୍ରିୟା ହିଁ ହେଉଛି ଭୟ। ଉଦାହରଣ ସ୍ବରୂପ କିଛି ଲୋକ ଅନ୍ଧକାରକୁ ଭୟ କରନ୍ତି, ମାତ୍ର ଅନ୍ୟ କେତେକ ଅନ୍ଧକାରକୁ ଆଦୌ ଡରନ୍ତି ନାହିଁ। ତେଣୁ ଅନ୍ଧକାରର ଅର୍ଥ ଯେ ଭୟ; ତାହା ଠିକ ନୁହେଁ। ଭୟରୁ ଅଶାନ୍ତି ବା ଉଦ୍‌ବେଗ ଜାତ ହୁଏ, ଯାହା ଅନେକ ସମୟରେ ଅକାରଣ ମଧ୍ୟ ହୋଇଥାଏ; ଯେମିତି ରୋଗ ନଥିଲେ ମଧ୍ୟ ରୋଗ ଅଛି ବୋଲି ଭୟ ବା ସବୁ କିଛି ଠିକ୍‌ ଥିଲେ ମଧ୍ୟ ଅନାଗତ ଭବିଷ୍ୟତ୍‌ରେ ବିପଦ ଘଟିଯିବାର କାଳ୍ପନିକ ଉଦ୍‌ବେଗ ଅଥବା କୌଣସି ଶୁଭେଚ୍ଛୁ ଠାରେ ଅଭିସନ୍ଧି ଥିବାର ସନ୍ଦେହଜନିତ ଆଶଙ୍କା ଆନେକଙ୍କ ଜୀବନକୁ ଆକ୍ରାନ୍ତ କରିଥାଏ। ତେଣୁ ଏ ସବୁଥିରୁ ମୁକ୍ତ ହେବା ଆଜିକାଲି ଲୋକଙ୍କ ଲାଗି ଏକ ବଡ଼ ଆହ୍ବାନରେ ପରିଣତ ହେଲାଣି।

ଯୋଗ ବଶିଷ୍ଠ ରାମାୟଣରେ ଶ୍ରୀରାମ ଗୁରୁ ବଶିଷ୍ଠଙ୍କୁ ପଚାରିଥିଲେ- ସଂସାରରେ ସବୁ କିଛି ଅସ୍ଥାୟୀ ଓ ଅସ୍ଥିର। ଏଭଳି ସ୍ଥଳେ ମଣିଷ କିଭଳି ବଞ୍ଚିବା ଉଚିତ? କିଭଳି ମନୁଷ୍ୟର ଜୀବନ ଭୟଶୂନ୍ୟ ଏବଂ ଶାନ୍ତ ହେବ? ଏହାର ଉତ୍ତରରେ ବଶିଷ୍ଠ ଶ୍ରୀରାମଙ୍କୁ ଗୋଟିଏ ସାଧାରଣ ପ୍ରଶ୍ନ ପଚାରିଥିଲେ। ତାହା ଥିଲା: ଧରାପୃଷ୍ଠରେ ଖାଲି ପାଦରେ ଚାଲିବା ବେଳେ କର୍କଶ ଭୂମି, ବନ୍ଧୁର ଶିଳା ବା ତୀକ୍ଷ୍‌ଣ କଣ୍ଟା ଦ୍ବାରା ପାଦ ଆଘାତ ପାଇଲେ, ତୁମେ ଧରିତ୍ରୀକୁ ବଦଳାଇ ମସୃଣ କରି‌ବାକୁ ଉଦ୍ୟମ କରିବ ନା ପାଦରେ ପାଦୁକା ପରିଧାନ କରିବ?

ଗୁରୁ ବଶିଷ୍ଠଙ୍କ ପ୍ରଶ୍ନରେ ନିହିତ ଥିବା ଉତ୍ତରଟି ହେଉଛି ଏହା ଯେ ଶାନ୍ତିରେ ବଞ୍ଚିବାକୁ ହେଲେ ସଂସାରକୁ ତୁମ ଅନୁସାରେ ବଦଳାଇବାକୁ ଉଦ୍ୟମ ନ କରି ନିଜ ମଧ୍ୟରେ ପରିବର୍ତ୍ତନ ଘଟାଇବାକୁ ହେବ। ସଂସାରରେ ଅହରହ ପରିବର୍ତ୍ତନମାନ ଘଟି ଚାଲିଛି, ଯାହା ଆମ ନିୟନ୍ତ୍ରଣର ବହିର୍ଭୂତ। ଏଭଳି ସ୍ଥଳେ ଆମର ଚାହିଦା ଅନୁସାରେ ସଂସାର ବଦଳୁ ବୋଲି କାମନା ନ କରି ବରଂ ପରିସ୍ଥିତି ଅନୁସାରେ ଆମେ ନିଜକୁ ବଦଳାଇବାର ଚେଷ୍ଟା କରିବା ପ୍ରଜ୍ଞାର ପରିଚୟ ଦେଇଥାଏ। ତେଣୁ ଉପାୟ ହେଲା ସେହି ଗୋଟାଏ; କୌଣସି ବିଷୟ ଦ୍ବାରା ଗଭୀର ଭାବେ ଆଲୋଡ଼ିତ ବା ବିଚଳିତ ହେବା ବେଳେ ବିଚାର କରିବା ଉଚିତ ଯେ ଏ ଆଲୋଡ଼ନ ବା ଉଦ୍‌ବେଳନ ବା ଭୟ ବା ଅଶାନ୍ତିରୁ ମୁକ୍ତ ହେବା ଲାଗି ମୁଁ କିଭଳି ନିଜକୁ ବଦଳାଇ ପାରିବି ବା ମୋ ନିୟନ୍ତ୍ରଣରେ ଥିବା ସ୍ଥିତିରେ ପରିବର୍ତ୍ତନ ଆଣି ପାରିବି!

ସଂସାରରେ କୌଣସି ଘଟଣା କୌଣସି ପ୍ରାଣୀକୁ ନିର୍ଦ୍ଦିଷ୍ଟ ରୂପେ ଆକ୍ରାନ୍ତ କରିବାକୁ ଘଟି ନ ଥାଏ। କାରଣ ଈଶ୍ବର ବା ପ୍ରକୃତି ବା ସଂସାର ସର୍ବଦା ତଟସ୍ଥ। ସେଠାରେ ଆପଣା ବା ପର ବୋଲି ବାଛବିଚାର ନ ଥାଏ। ବର୍ଷାର ଉଦାହରଣ ନିଅନ୍ତୁ। ବର୍ଷା କେବେ ହେଲେ ବିଚାର କରି ନ ଥାଏ ଯେ ଦରିଦ୍ର ଚାଷୀ ବାହାରେ ଧାନ ଶୁଖାଇଥିବାରୁ ମୁଁ ଏଠି ନ ବର୍ଷି କେବଳ ବିଲ ଉପରେ ବର୍ଷିବି। ତେଣୁ ବର୍ଷା କାହା ଲାଗି ସୌଭାଗ୍ୟର କାରଣ ହୋଇପାରେ ତ କାହା ଲାଗି ଦୁର୍ଭାଗ୍ୟ ଆଣିପାରେ! ଏହି ମୂଳ ନିୟମଟିକୁ ହୃଦୟଙ୍ଗମ କରିପାରିଲେ ଆମେମାନେ ଅନେକ ଜଟିଳ ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜୀବନକୁ ଠିକଣା ଭାବେ ପରିଚାଳନା କରିପାରିବା। ଆମମାନଙ୍କ ଭିତରୁ ଅନେକ ଭାବି ଥାଆନ୍ତି ଯେ ସେମାନେ ହିଁ ‌କେବଳ ଦୁଃଖ ଭୋଗ କରୁଛନ୍ତି। ସଂସାରରେ ଘଟୁଥିବା ଘଟଣାମାନ ସର୍ବଦା ସେମାନଙ୍କ ପ୍ରତିକୂଳରେ ଘଟୁଛି। ସତେ ଯେମିତି ଏହା ପଛରେ ନିୟତିର ଚକ୍ରାନ୍ତ ରହିଛି। କିନ୍ତୁ ତାହା ଯେ ଅମୂଳକ ଏଥିରେ ସନ୍ଦେହ ନାହିଁ।

କିନ୍ତୁ ଆମେ ସମସ୍ତେ ସ୍ବଭାବଗତ ଭାବେ ବାହାରକୁ ହିଁ ଦେଖୁ, ନିଜକୁ ଦେଖୁନା। ବାହାରେ ପରିବର୍ତ୍ତନ ଘଟୁ ବୋଲି ଚାହୁଁ, ନିଜକୁ ବଦଳାଇବା କଥା ଚିନ୍ତା କରୁନା। ଜଣେ ବ୍ୟକ୍ତି ଦୋକାନ ଆଗରେ ମୋଟର ସାଇକେଲ ଥୋଇ ପନ୍ଦର ସେକେଣ୍ଡ ଲାଗି ଭିତରକୁ ଯାଇ ଜିନିଷ ଆଣି ଫେରିବା ବେ‌ଳକୁ ଗାଡ଼ିଟି ନ ଥିଲା। ଅତ୍ୟନ୍ତ ସ୍ବାଭାବିକ ଭାବେ ସେ ଥାନାକୁ ଗଲେ ଏବଂ ଚୋରିହାରି ଖୁବ୍‌ ବଢ଼ି ଗଲାଣି ବୋଲି ଅସନ୍ତୋଷ ପ୍ରକଟ କଲେ। କିନ୍ତୁ ସେ ଭୁଲିଗଲେ‌ ଯେ ସେ ନିଜେ ସତର୍କ ହୋଇ ତାଲା ପକାଇଥିଲେ, ଗାଡ଼ି ଚୋରି ହୋଇ ନ ଥାଆନ୍ତା। ତେଣୁ ସର୍ବଦା ଆପଣାଆଡ଼କୁ ଚାହିଁ ନିଜ ଦୋଷଗୁଣ ଦେଖି ନିଜ ଠାରେ ପରିବର୍ତ୍ତନ ଆଣିବା ହେଉଛି ଅପେକ୍ଷାକୃତ ଭାବେ ଅଧିକ ଶାନ୍ତିରେ ବଞ୍ଚି ରହିବାର ଏକ ଭଲ ବାଟ। ନୁହେଁ କି?

ଚେନ୍ନାଇ

ସମ୍ବନ୍ଧିତ ଖବର