ମନରେଗା ଯୋଜନାର ପ୍ରକଳ୍ପକୁ ଅନ୍ୟ ସହଯୋଗୀ ବିଭାଗର ଅଣଦେଖା

ଖୋର୍ଦ୍ଧା: ଜାତୀୟ ଗ୍ରାମୀଣ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ପଂଚାୟତରାଜ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । କୋଭିଡ ମହାମାରୀ ସମୟରେ ସହରରୁ ଗାଁକୁ ଫେରିଥିବା ବେକାର ପ୍ରବାସୀ ଶ୍ରମିକଙ୍କୁ ଏହି ଯୋଜନାରେ କର୍ମ ସଂସ୍ଥାନ ମିଳିଥିଲା । ତେବେ ଏହି ଯୋଜନାରେ ଅନୁଦିତ କାର୍ଯ୍ୟର ସମ୍ପାଦନ ପ୍ରତି ପଂଚାୟତ ଓ ପଂଚାୟତ ସମିତି (ବ୍ଲକ) ଯେଭଳି ଆଗ୍ରହ ଦେଖାଉଛନ୍ତି ଅନ୍ୟ ସହଯୋଗୀ ବିଭାଗ ନିକଟରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ । ମନରେଗା ଯୋଜନାରୁ ଅର୍ଥ ଆଣି କାର୍ଯ୍ୟାନ୍ୱୟନ କରୁଥିବା ଅନ୍ୟ ବିଭାଗ କେବଳ ୨୦ରୁ ୩୦ ପ୍ରତିଶତ ହିଁ ଶେଷ କରିପାରୁଛନ୍ତି ।

ମନରେଗା ଯୋଜନାରେ ପଂଚାୟତିରାଜ ବିଭାଗ ପ୍ରମୁଖ କାର୍ଯ୍ୟାନ୍ୱୟନ ସଂସ୍ଥା ହୋଇଥିଲେ ମଧ୍ୟ ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ, ରୁରାଲ୍ ୱାର୍କସ୍, କୃଷି, ଉଦ୍ୟାନ, କ୍ଷୁଦ୍ର ଜଳସେଚନ ଆଦି ଅନ୍ୟ ସରକାରୀ ବିଭାଗ ଏହି ଯୋଜନାରେ ଅନୁଦିତ ପ୍ରକଳ୍ପର କାର୍ଯ୍ୟ କରିଥାନ୍ତି । କିନ୍ତୁ ଯୋଜନାର ଅନୁଦିତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ପଂଚାୟତ ଓ ବ୍ଲକ ଯେଭଳି ଆଗ୍ରହ ଦେଖାଉଛନ୍ତି ସେଭଳି ଆଗ୍ରହ ଅନ୍ୟ ସହଯୋଗୀ ସଂସ୍ଥା ନିକଟରେ ଦେଖିବାକୁ ମିଳୁନାହିଁ ।

ପଂଚାୟତିରାଜ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୧୦୭୬ଟି ମନରେଗା ପ୍ରକଳ୍ପ ଶେଷ ହେବା ତ ଦୂରର କଥା ଆରମ୍ଭ ମଧ୍ୟ ହୋଇପାରିନଥିଲା ।, ୨୦୨୦-୨୧ରେ ଏଭଳି ପ୍ରକଳ୍ପର ସଂଖ୍ୟା ୫୦୫୮ ଥିବା ବେଳେ ୨୦୨୧-୨୨ରେ ଏହା ୩୪୬୧ ରହିଥିଲା । ଏଭଳି ତିନି ବର୍ଷରେ ଅନୁଦାନ ପାଇ ଆରମ୍ଭ ହୋଇପାରିନଥିବା ପ୍ରକଳ୍ପ ସଂଖ୍ୟା ୯୫୯୫ ଅଟେ । ଚଳିତ (୨୦୨୨-୨୩) ଆର୍ଥିକ ବର୍ଷରେ ୧୨୩୩ଟି ନୂତନ ପ୍ରକଳ୍ପ ପାଇଁ ଅନୁଦାନ ମିଳିଛି । ୪ ବର୍ଷରେ ମୋଟ ୧୦,୮୨୮ଟି ପ୍ରକଳ୍ପ ମଧ୍ୟରୁ ଚଳିତ ବର୍ଷ ୬୫୭ଟି ପ୍ରକଳ୍ପ କାମ ହାତକୁ ନିଆଯାଇଛି । କିନ୍ତୁ ଚଳିତ ଆର୍ଥିକ ବର୍ଷର ୪ ମାସ ବିତିଯାଇଥିବା ବେଳେ କେବଳ ଗୋଟିଏ ପ୍ରକଳ୍ପ ହିଁ ଶେଷ ହୋଇଛି । ଏ ହେଲା ଖୋର୍ଦ୍ଧା ଜିଲ୍ଲାର ମନରେଗା ପ୍ରକଳ୍ପର ସାମଗ୍ରିକ ସ୍ଥିତି । ଯଦି ପ୍ରକଳ୍ପର କାର୍ଯ୍ୟାନ୍ୱୟନ କରୁଥିବା ସରକାରୀ ସଂସ୍ଥାର ଦକ୍ଷତାର ଅନୁଶୀଳନ କରାଯାଏ ତେବେ ପଂଚାୟତ ଓ ବ୍ଲକ ତୁଳନାରେ ଅନ୍ୟ ସରକାରୀ ବିଭାଗଗୁଡ଼ିକର ସ୍ଥିତି ନୈରାଶ୍ୟଜନକ ଅଟେ ।

ଚଳିତ ଆର୍ଥିକ ବର୍ଷରେ, ଗ୍ରାମ ପଂଚାୟତସ୍ତରରେ, ୭୧୫୫ଟି ପ୍ରକଳ୍ପ ପଂଚାୟତକୁ ଓ ୩୧୬ଟି ପ୍ରକଳ୍ପ ଅନ୍ୟ ବିଭାଗକୁ ଦିଆଯାଇଛି । ସେହିଭଳି ବ୍ଲକସ୍ତରରେ, ବ୍ଲକକୁ ୬୫୧ଟି ପ୍ରକଳ୍ପ ଓ ୨୨୫୭ଟି ପ୍ରକଳ୍ପ ଅନ୍ୟ ବିଭାଗକୁ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ଜିଲ୍ଲା ପରିଷଦକୁ ଦିଆଯାଇନାହିଁ । ଗ୍ରାମପଂଚାୟତସ୍ତରରେ ପଂଚାୟତକୁ ଦିଆଯାଇଥିବା ମୋଟ ୭୧୫୫ଟି ପ୍ରକଳ୍ପ ମଧ୍ୟରୁ ୬୮.୯୪ ପ୍ରତିଶତ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଅନ୍ୟ ବିଭାଗକୁ ଦିଆଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୩୨ ପ୍ରତିଶତ ହିଁ କାମ ଆରମ୍ଭ ହୋଇପାରିଛି ।

ସମ୍ବନ୍ଧିତ ଖବର