କାଳିଆପାଣି : ବୁଡ଼ିଯାଉଛି ଆଦିମ ଜନଜାତି ମହ୍ଲାର ବଂଶ। ଯାଜପୁର ଜିଲ୍ଲାରେ କେବଳ ସୁକିନ୍ଦା ବ୍ଲକର ଉପାନ୍ତ ଇଲାକାରେ ଦେଖାଯାଉଥିବା ଏହି ଜନଜାତି ଏବେ ବିଲୁପ୍ତ ପ୍ରାୟ। ଜିଲ୍ଲାରେ ଅନ୍ୟ ଜନଜାତିର ସଂଖ୍ୟାରେ ଅହେତୁକ ବୃଦ୍ଧି ପାଉଥିବାବେଳେ ଏହାର ସଂଖ୍ୟା ହ୍ରାସ ଏବେ ଚିନ୍ତାର କାରଣ ପାଲଟିଛି। ଗୋଟିଏ ପଟେ ସଂଖ୍ୟା ହ୍ରାସ ଏବଂ ଅନ୍ୟପଟେ ସରକାରୀ ଯୋଜନାରେ ସାମିଲ୍ ହୋଇନାହାନ୍ତି। ଫଳରେ, ଏକପ୍ରକାର ଦୁର୍ବିସହ ଜୀବନ ଜିଉଁଛନ୍ତି ଏହି ବଂଶର ଲୋକମାନେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ୪୦ ଦଶକରେ ଅବିଭକ୍ତ କାଙ୍କଡ଼ପାଳ ପଞ୍ଚାୟତ(ଅଧୁନା ରାଁସୋଳ ପଞ୍ଚାୟତ) ଅଧୀନ ସୁକିନ୍ଦା କ୍ରୋମ୍ ଉପତ୍ୟକାର କେନ୍ଦ୍ରସ୍ଥଳରେ ଥିବା ମହ୍ଲାର ବସ୍ତିର ପରିବାର ସଂଖ୍ୟା ଥିଲା ୨୭। ୧୯୭୫ ମସିହା ବେଳକୁ ପରିବାର ସଂଖ୍ୟା ୫୦କୁ ଅତିକ୍ରମ କରିଥିଲା। ସେମାନଙ୍କ ସଂଖ୍ୟା ୨ଶହ ପାଖାପାଖି ଛୁଇଁଥିଲା। ତେବେ; ଯେବେଠାରୁ ମହ୍ଲାରସାହି ବସ୍ତି ସଂଲଗ୍ନ ଇଲାକା କ୍ରୋମ୍ ଗନ୍ତାଘର ଭାବେ ଚିହ୍ନଟ ହେଲା ଏବଂ ପରବର୍ତ୍ତୀ ସମୟରେ ସର୍ବେକ୍ଷଣ କରାଗଲା, ତା’ ପରଠାରୁ ମହ୍ଲାର ବଂଶ ପ୍ରତି ବିପଦ ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୧୯୬୦ ମସିହାରେ ଟାଟାଷ୍ଟିଲ କମ୍ପାନିକୁ ସୁକିନ୍ଦା କ୍ରୋମାଇଟ୍ ଖଣିର ଲିଜ୍ ମିଳିଥିଲା। ସୁକିନ୍ଦାଗଡ଼ର ତତ୍କାଳୀନ ରାଜା ପିତାମ୍ବର ଭୂପତି ହରିଚନ୍ଦନ ମହାପାତ୍ରଙ୍କଠାରୁ ଟାଟାଷ୍ଟିଲ କର୍ତ୍ତୃପକ୍ଷ ଲିଜ୍ ହାତେଇଥିଲେ। ପ୍ରଶାସନିକ କଳ ସହାୟତାରେ ପୁରୁଣା ମହ୍ଲାର ବସ୍ତି ଓ ସେମାନଙ୍କ ଚାଷଜମି ଉଚ୍ଛେଦ କରାଯାଇଥିଲା। ଫଳରେ, ମହ୍ଳାରମାନେ ପିଲାଛୁଆ ଧରି ଟାଟାଷ୍ଟିଲ ମେନ୍ଗେଟ୍ ଅପରପାର୍ଶ୍ବକୁ ପଳାଇଥିଲେ। ସେମାନଙ୍କ ପୂର୍ବ ସମୟ କଥା ମନେପକାଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଧାରୀ ସାମଲ କୁହନ୍ତି, ସେମାନେ ସୁକିନ୍ଦା ରାଜାଙ୍କ ଅନୁମତି ନେଇ ଏହା ଆଖପାଖ ଇଲାକାରେ ଚାଷବାସ କରି ଭଲରେ ଚଳୁଥିଲେ। ଏପରିକି ମହ୍ଲାର ସଂପ୍ରଦାୟର ମୁଖିଆ ଭାବେ ଶୁକୁଟା ପ୍ରଧାନ, କାଶିଆ ପ୍ରଧାନ, ହରି ମହ୍ଲାର, ସୁରିଆ ମହ୍ଲାର, ଅନନ୍ତ ମହ୍ଲାର, ସଦା ମହ୍ଲାର, ସୁନ ମହ୍ଲାର, ଆରତି ମହ୍ଲାର ପ୍ରମୁଖଙ୍କର ବେଶ୍ ପ୍ରତିପତ୍ତି ରହିଥିଲା ।
ଏହାପରଠାରୁ ମହ୍ଲାରମାନେ ଏକପ୍ରକାର ସଂଘର୍ଷପୂର୍ଣ୍ଣ ଜୀବନ ଅତିବାହିତ କରିଥିବାବେଳେ ନବେ ଦଶକ ବେଳକୁ ସେମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏଥିପାଇଁ କେତେକ କାରଣ ଦାୟୀ ବୋଲି କୁହାଯାଉଛି। ପ୍ରଥମତଃ, ଅଧିକାଂଶ ମହ୍ଲାର ଯକ୍ଷ୍ମାରୋଗରେ ପୀଡ଼ିତ ହେଉଥିବାରୁ ଉପଯୁକ୍ତ ଚିକିତ୍ସା ଅଭାବରୁ ସେମାନେ ପ୍ରାଣ ହରାଉଛନ୍ତି। ଦ୍ବିତୀୟତଃ, ସେମାନଙ୍କ ପାଖରୁ ଛଡ଼ାଇ ନିଆଯିବା ପରେ ଜଙ୍ଗଲରୁ ମହୁ, ଝୁଣା, ଦାନ୍ତକାଠି ସଂଗ୍ରହ ଏବଂ ଶୁଆ, ଶାରୀ, ମୟୂର, ବାରହା ଶାବକ ଆଦି ବିକ୍ରିକରି ବହୁକଷ୍ଟରେ ଚଳିଆସୁଥିଲେ। କ୍ରମଶଃ, ଜଙ୍ଗଲ ମୁହଁା ହେବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି। ଫଳରେ, ଉପଯୁକ୍ତ ଖାଦ୍ୟ ଓ ଆନୁସଙ୍ଗକି ଖାଦ୍ୟରୁ ବଂଚିତ ହୋଇ ଆସୁଛନ୍ତି। ପୁରୁଷପୁରୁଷ ଧରି ଭୂମିହୀନ ହୋଇ ରହିଥିଲେ ମଧ୍ୟ ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬) ଓ ବସୁନ୍ଧରା ଯୋଜନାରୁ ବଞ୍ଚିତ ରହିଛନ୍ତି। କୌଣସି ଗୋଟିଏ ପରିବାର ଏଯାବତ୍ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନା କିମ୍ବା ମୋ’ କୁଡ଼ିଆରେ ସାମିଲ ହୋଇନାହାନ୍ତି। ପଲାମରା କୁଡ଼ିଆରେ ଜରିପାଲ କିମ୍ବା ଡାଳପତ୍ର ଢାଙ୍କି ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି ସତ, ହେଲେ ମିଳୁଥିବା ସରକାରୀ ଚାଉଳ ଗଣ୍ଡାକ ସପ୍ତାହେ ବି ଯାଉନି। ଖାଦ୍ୟ ସମସ୍ୟା ପାଇଁ ସବଳ ମହ୍ଲାର ଦେଖିବାକୁ ମିଳନ୍ତି ନାହିଁ। ତୃତୀୟତଃ, ମହ୍ଲାର ସମ୍ପ୍ରଦାୟର ଶିଶୁ ଓ ମାତୃ ମୃତ୍ୟୁହାର ଅଧିକ। ପିଢ଼ି ପରେ ପିଢ଼ି ନିରକ୍ଷର ରହିଛନ୍ତି। ସମସ୍ତ ମହ୍ଲାର ବାଲ୍ୟବିବାହ କରିଥାନ୍ତି। ମହିଳାମାନେ ଜନନୀ ସୁରକ୍ଷା ଓ ମମତା ଯୋଜନାର ଧାର୍ ଧାରିନାହାନ୍ତି। ୩ ଦଶନ୍ଧି ଧରି ବଂଶଜ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଆସିଛନ୍ତି।
ଏସୁବୁକୁ ମହ୍ଲାର ସମ୍ପ୍ରଦାୟର ମୃତ୍ୟୁର କାରଣ ବୋଲି କୁହାଯାଉଥିବାବେଳେ ଏଯାବତ୍ ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍ଏଫ୍) ପାଣ୍ଠିରୁ ଟଙ୍କାଟିଏ ବି ସେମାନଙ୍କ ପାଇଁ ଖର୍ଚ୍ଚ ହୋଇନଥିବା ସାଧାରଣରେ ଅଭିଯୋଗ ହୋଇଛି।
ଏ ସଂପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ(ଡିଡବ୍ଲ୍ୟୁଓ) ବୁଦ୍ଧଦେବ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ ମହ୍ଲାରମାନଙ୍କ ଏଦାଦୃଶ ଅବସ୍ଥା ନେଇ ସେ ଅବଗତ ନଥିବା କହିଥିଲେ। ସେମାନଙ୍କ ପରିସ୍ଥିତି ଓ ଚଳଣି ଅନୁଧ୍ୟାନ ପରେ ଯଥାଶୀଘ୍ର ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ସହାୟତାରେ ସେମାନଙ୍କ ଥଇଥାନ ଉଦ୍ୟମ କରାଯିବ ବୋଲି ଡିଡବ୍ଲ୍ୟୁଓ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି।