ଦ୍ରୌପଦୀ ମଣ୍ଡଳଙ୍କ ଆଖିରେ ଆନନ୍ଦାଶ୍ରୁ

ବାରିପଦା : ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ମୟୂରଭଞ୍ଜର ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସାରାଜିଲ୍ଲାରେ ଏବେ ଉତ୍ସବର ମାହୋଲ। ସେ ରାଷ୍ଟ୍ରପତି ହୁଅନ୍ତୁ ବୋଲି ନାମାଙ୍କନ ଭରିବା ଦିନଠାରୁ ତାଙ୍କ ଶୁଭମନାସୀ ସବୁଠି ପୂଜାର୍ଚ୍ଚନା ଚାଲିଥିଲା। ଶ୍ରୀମତୀ ମୁର୍ମୁଙ୍କ ନିଜ ଗାଁ ଉପରବେଡ଼ାର ସାଙ୍ଗ ଦ୍ରୌପଦୀ ମଣ୍ଡଳ ବି ତାଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିଥିଲେ। ଆଉ ଆଜି ତାଙ୍କ ବିଜୟ ପରେ ଖୁସି ମନାଇବା ସହ ଗାଁରେ ପିଲାମାନଙ୍କୁ ମିଠା ବାଣ୍ଟିଛନ୍ତି। ଦ୍ରୌପଦୀଙ୍କ ପାଇଁ ସେ ଆଜି ଗର୍ବିତ ବୋଲି କହିବା ସହ ପିଲାଦିନର ସ୍ମୃତି ମନେ ପକାଇ ‘ସମ୍ବାଦ’ ସହ ବାଣ୍ଟିଥିଲେ।

‌ଗାଁ ସ୍କୁଲରେ ‌ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଦିହେଁ ଏକାଠି ପଢୁଥିଲେ। ପିଲାବେଳେ ସେମାନେ ଖୁବ୍ ଅନ୍ତରଙ୍ଗ ସାଙ୍ଗ ଥିଲେ, ଏକାଠି ଖେଳୁଥିଲେ, ସ୍କୁଲ ଛୁଟିପରେ ଦ୍ରୌପଦୀ ମୁର୍ମୁ ତାଙ୍କ ଘରକୁ ଆସି କିଛି ସମୟ ବିତାଉଥିଲେ। ଦ୍ରୌପଦୀ ବେଶ୍‌ ଭଲ୍‌ ପାଠ ପଢୁଥିଲେ ଓ ଭବିଷ୍ୟତରେ ଜଣେ ବଡ଼ ମଣିଷ ହେବ ବୋଲି ସବୁବେଳେ କହୁଥିଲେ। ଯାହା ଏବେ ପୂରଣ ହୋଇଛି ବୋଲି କହିବା ବେଳେ ସାଙ୍ଗ ଦ୍ରୌପଦୀ ମଣ୍ଡଳଙ୍କ ଆନନ୍ଦାଶ୍ରୁରେ ଆଖି ଛଳଛଳ ହୋଇଯାଇଥିଲା।

ସାଙ୍ଗଙ୍କ ପାଖରୁ କ’ଣ ଆଶା ରହିଛି ବୋଲି ପଚାରିବାରୁ ରାଷ୍ଟ୍ରପତି ଭବନରେ ଥରେ ସାଙ୍ଗକୁ ରାଷ୍ଟ୍ରପତି ଭାବେ ଭେଟିବାର ସୁଯୋଗ ମିଳନ୍ତା କି ବୋଲି କହିଥିଲେ ଦ୍ରୌପଦୀ ମଣ୍ଡଳ।

ସମ୍ବନ୍ଧିତ ଖବର