ପରିବା ଉତ୍ପାଦନ ବାଧାପ୍ରାପ୍ତ, ଚାଷୀ ବି ଖର୍ଚାନ୍ତ

‘ଭାସିଗଲେ ଜାଆଁଳ, ମତ୍ସ୍ୟଚାଷୀଙ୍କ ଦୁଃଖ ବଢିଲା

ଭୁବନେଶ୍ବର : ହୀରାକୁଦ ଜଳଭଣ୍ଡାରର ଗେଟ୍‌ ସଂଖ୍ୟା କ୍ରମାଗତ ଭାବରେ ବନ୍ଦ କରାଯାଉଛି। ଫଳରେ ବନ୍ୟା ସ୍ଥିତି ନିୟନ୍ତ୍ରିତ ହେବା ଯୋଗୁଁ ଚାଷ ଜମିରୁ ବନ୍ୟା ଜଳ ଅପସାରଣ ହେବାରେ ଲାଗିଛି। ଏହା ସତ୍ତ୍ବେ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ପରିବା ଓ ମାଛ ଚାଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ୧୯ ତାରିଖରେ ପୁଣି ଏକ ଲଘୁଚାପର ପୂର୍ବାନୁମାନ ଥିବାରୁ କ୍ଷତି ପରିମାଣ ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି। ଅନ୍ୟଦିଗରେ ବର୍ଷାକୁ ଦୃଷ୍ଟିରେ ରଖି ଓୟୁଏଟି ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

କେନ୍ଦ୍ରୀୟ ଉଦ୍ୟାନ ଗବେଷଣା କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ୬.୬ ଲକ୍ଷ ହେକ୍ଟରରେ ପରିବା ଚାଷ ହୋଇଥାଏ। ବର୍ଷାରେ କାଙ୍କଡ଼, କୁନ୍ଦୁରି, ଭେଣ୍ଡି, ପୋଟଳ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରେ ବନ୍ୟା ଘେରରେ ରହିଥିବା କେନ୍ଦ୍ରାପଡ଼ାର ଲଙ୍କା ଚାଷ, କଟକରେ ଅଗଷ୍ଟରେ ଲଗାଯାଇଥିବା ବିନ୍ସ, ନୟାଗଡ଼ର ବାଇଗଣ, ପୋଟଳ ଓ ଖୋର୍ଧାର ବିଭିନ୍ନ ପ୍ରକାର ପରିବା ମୁଖ୍ୟତଃ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। କୃଷି ବୈଜ୍ଞାନିକ ଗୋବିନ୍ଦ ଆଚାର୍ଯ୍ୟଙ୍କ ଅନୁସାରେ, ପାଣି ଜମିଲେ ହିଁ ପରିବା ଉତ୍ପାଦନ ଏବଂ ଅଭିବୃଦ୍ଧି ହ୍ରାସ ପାଏ। ବଜାର ଦର ପାଇଁ ଯେଉଁ ଚାଷୀ ଆଗୁଆ ଗଛ ଲଗାଇଛନ୍ତି, ସେମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ସାମଗ୍ରିକ ଭାବରେ ଦେଖିଲେ ଏହି ବନ୍ୟାରେ ପରିବା ଉତ୍ପାଦନ ୧୦ ପ୍ରତିଶତ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ରହିଛି। ବର୍ତ୍ତମାନ ସ୍ଥାନୀୟ ପରିବା ବଜାରକୁ ଆସିପାରୁ ନାହିଁ ଏବଂ ଦର ଆକାଶଛୁଆଁ ହୋଇଛି।

ଅନ୍ୟଦିଗରେ ବନ୍ୟା ଯୋଗୁଁ ମତ୍ସ୍ୟଜୀବୀଙ୍କ ଦୁଃଖ ମଧ୍ୟ ବଢ଼ିଛି। କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ସ୍ଥିତି ଆକଳନ ପାଇଁ ନିର୍ଦେଶ ହୋଇଛି। ମତ୍ସ୍ୟ ବିଭାଗର ସୂଚନାନୁସାରେ, କିଛି ବର୍ଷ ମଧ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଛି। ଏହି ସମୟରେ ମୁଖ୍ୟତଃ ଜାଆଁଳ ଉତ୍ପାଦନ ହୋଇଥାଏ ଏବଂ ଏହା ପୋଖରୀରେ ଜାଆଁଳ ଛାଡ଼ିବା ସମୟ ଅଟେ। ବନ୍ୟା ଯୋଗୁଁ ଜାଆଁଳ ଭାସିଯାଇଛି। ସାଧାରଣତଃ ଛୋଟ ପୋଖରୀରେ ଛଡ଼ା ଯାଇଥିବା ଜାଆଁଳ ଭାସିଯାଇଛି। ହୀରାକୁଦ ମାଛ ପଞ୍ଜୁରୀ ଚାଷ ପ୍ରଭାବିତ ହେବା ନେଇ ମଧ୍ୟ ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର