ମହିଳା ଡାକ କର୍ମଚାରୀଙ୍କୁ କାମୁଡ଼ି ମାରିପକାଇଲେ କୁକୁରପଲ

ଫ୍ଲୋରିଡା: ରବିବାର ଦିନ ଫ୍ଲୋରିଡାର ମଫସଲ ଅଞ୍ଚଳ ଇଣ୍ଟର୍‌ଲେଚେନ୍‌ ଲେକ୍‌ ଇଷ୍ଟେଟ୍‌ରେ ଆମେରିକା ଡାକ ସେବା ବିଭାଗର ଜଣେ ମହିଳା କର୍ମଚାରୀଙ୍କୁ ୫ଟି କୁକୁର କାମୁଡ଼ି ମାରି ପକାଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ମୃତା ଡାକ କର୍ମଚାରିଣୀ ହେଉଛନ୍ତି ପାମେଲା ରକ୍‌ ମେଲ୍‌ରୋଜ୍‌। ତାଙ୍କ ଗାଡ଼ି ଅଚଳ ହୋଇଯିବା ପରେ କୁକୁରପଲ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ପଟ୍‌ନମ୍‌ କାଉଣ୍ଟି ଶେରିଫ୍‌ଙ୍କ କାର୍ଯ୍ୟାଳୟ କହିଛି।

ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ସୋମବାର ରାତିରେ ଡାକ୍ତରଖାନାରେ ୬୧ ବର୍ଷୀୟ ପାମେଲା ଜେନ୍‌ ରକ୍‌ଙ୍କର ଦେହାନ୍ତ ହୋଇଯାଇଛି। ରକ୍‌ଙ୍କ ଚିତ୍କାର ଶୁଣି କୁକୁରମାନଙ୍କର ମାଲିକ, ତାଙ୍କ ପଡ଼ୋଶୀଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଧାଇଁ ଆସିଥିଲେ। ସେତେବେଳକୁ ଭୂଇଁ ପଡ଼ି ସାହାଯ୍ୟ ପାଇଁ ଚିତ୍କାର କରୁଥିବା ରକ୍‌ କୁକୁରମାନଙ୍କୁ ଘଉଡ଼ାଇବାକୁ ଯଥାସାଧ୍ୟ ଉଦ୍ୟମ କରୁଥିଲେ।

Image Courtesy of Todaybreeze

କୁକୁରମାନଙ୍କ ଆକ୍ରମଣରେ ବାଧା ସୃଷ୍ଟି କରିବା ଲାଗି ଜଣେ ପଡ଼ୋଶୀ ତାଙ୍କର ବନ୍ଧୁକ ଆଣି ଶୂନ୍ୟକୁ ଓ ଭୂଇଁକୁ କେତୋଟି ଗୁଳି ମାରିଥିଲେ। ଶେଷରେ ସମସ୍ତେ ମିଶି କୁକୁରମାନଙ୍କୁ ପୀଡ଼ିତାଙ୍କଠାରୁ ଟାଣି ଘୋଷାରି ଘରକୁ ନେଇଯାଇଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚିଲା ବେଳକୁ ଘଟଣାସ୍ଥଳରେ ପାମେଲା ରକ୍ତାକ୍ତ ହୋଇ ପଡ଼ିଥିଲେ। ତାଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ରକ୍ତସ୍ରାବ ନିୟନ୍ତ୍ରଣ କରିବା ଲାଗି ସେମାନେ ୩ଟି ‘ଟୋର୍ଣ୍ଣିକ୍ବେଟ୍‌’ (ବାନ୍ଧୁଣି) ବାନ୍ଧିବା ପରେ ତୁରନ୍ତ ପାମେଲାଙ୍କୁ ଡାକ୍ତରଖାନାକୁ ନେଇଥିଲେ।

ଡାକ୍ତରଖାନାକୁ ନେବା ବାଟରେ ଗାଡ଼ିରେ ତାଙ୍କର ହୃତ୍‌ଘାତ୍‌ ହେଲା ଏବଂ ତହିଁ ଆରଦିନ ତାଙ୍କର ମୃତ୍ୟୁ ଘଟିଲା ବୋଲି ପଟ୍‌ନାମ୍‌ କାଉଣ୍ଟି ସେରିଫ୍‌ ଚିଫ୍‌ ଡେପ୍ୟୁଟି କର୍ଣ୍ଣେଲ୍‌ ଜୋସେଫ ୱେଲ୍‌ସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର