ଠାକୁର ଦର୍ଶନ ପାଇଁ ଅନ୍ଲାଇନ୍ ଟିକେଟ୍ ସୁବିଧା ଆରମ୍ଭ ହେବ
ଖୁବ୍ ଶୀଘ୍ର ଆରମ୍ଭ ହେବ ‘ଇଣ୍ଟିଗ୍ରେଟେଡ୍ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ’
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ପ୍ରମୁଖ ମନ୍ଦିରର ହେଉଥିବା ନୀତିକ୍ରାନ୍ତି, କାର୍ଯ୍ୟକ୍ରମ, ମନ୍ଦିର ଖୋଲିବା ଓ ବନ୍ଦ ହେବା ସମୟ, କେଉଁ ଦିନ ସ୍ବତନ୍ତ୍ର ପୂଜାର୍ଚ୍ଚନା ହେବ ସେନେଇ ଗୋଟିଏ ୱେବସାଇଟ୍ରେ ତଥ୍ୟ ରହିବ। ଏପରିକି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁମାନେ ଅନଲାଇନ୍ରେ ଆଗୁଆ ଟିକେଟ୍ କରି ସହଜରେ ଯେପରି ଶ୍ରୀ ଜୀଉଙ୍କ ଦର୍ଶନ କରିପାରିବେ ସେନେଇ ସୁବିଧା ରହିବ। ଶ୍ରଦ୍ଧାଳୁମାନଙ୍କ ପାଇଁ ଅନଲାଇନ୍ରେ ଦାନ ବ୍ୟବସ୍ଥା, ଭୋଗ ପାଇବା, ସ୍ବତନ୍ତ୍ର ପୂଜା କରିବା ପାଇଁ ବୁକିଂ ବ୍ୟବସ୍ଥା ରହିବ। ଏଥିପାଇଁ ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ୍ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ କରିବାକୁ ଯାଉଥିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀ ଶ୍ରୀ ସାରକା ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟରେ ଯେପରି ଇଣ୍ଟିଗ୍ରେଟେଡ୍ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ ହେଉଛି ସେହିଭଳି ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଯିବ। ବିଭିନ୍ନ ପଦାଧିକାରୀଙ୍କ ସହ ବହୁଥର ଆଲୋଚନା ହେବା ପରେ ଏନେଇ ନିଷ୍ପତ୍ତି ହୋଇଛି। ହିନ୍ଦୁ ଧର୍ମର ଭାବାବେଗ ଆଘାତ ନ ହେବା ଭଳି ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯିବ। ଏଥିରେ ବିଭିନ୍ନ ମନ୍ଦିରର ସବିଶେଷ ତଥ୍ୟ ରହିବ। ଶ୍ରଦ୍ଧାଳୁମାନେ ବିନା ଟିକେଟ୍ରେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ, ଯିଏ ଅଧିକ ସମୟ ଧାଡ଼ିରେ ରହିବାକୁ ଚାହିଁବେନି ସେମାନେ ଟିକେଟ୍ କରି ଦର୍ଶନ କରିପାରିବେ। ଏହାସହ ଶ୍ରଦ୍ଧାଳୁମାନେ ଯେଉଁ ମନ୍ଦିରକୁ ଚାହିଁବେ ସେହି ମନ୍ଦିରକୁ ଦାନ ମଧ୍ୟ କରିପାରିବେ। ମନ୍ଦିରଗୁଡ଼ିକର ଜମା ଖାତା ସରକାରୀ ବ୍ୟାଙ୍କରେ ରହିବ। ହେଲେ ଅନଲାଇନ୍ ପେମେଣ୍ଟ ପାଇଁ ପେମେଣ୍ଟ ଗେଟ୍ୱେ ଏଚ୍ଡିଏଫ୍ସି ବ୍ୟାଙ୍କର ରହିବ ବୋଲି ନିଷ୍ପତ୍ତି ହୋଇଛି।