ଏସିଆ କପ୍‌: ପାକିସ୍ତାନ-ଶ୍ରୀଲଙ୍କା ଫାଇନାଲ୍ ଆଜି

ଦୁବାଇ: ସାମାଜିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା କ୍ରିକେଟ୍‌ର ପୁନର୍ଜନ୍ମ ପଥରେ ଏବେ ପ୍ରତିବଂଧକ ଭାବେ ଉଭା ହୋଇଛି ପାକିସ୍ତାନ। ତେବେ ଏସିଆ କପ୍‌ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଥିବାରୁ ରବିବାରର ଫାଇନାଲ୍‌ରେ ମଧ୍ୟ ସମାନ ପ୍ରଦର୍ଶନ କରିବାକୁ ଆଶା ବାନ୍ଧିଛି ଦାସୁନ ଶଣକାଙ୍କ ସିଂହଳୀ ସେନା। ବିଗତ ୪ଟି ମ୍ୟାଚ୍‌ରେ ଟସ୍ ଜିତି ସଫଳ ପଶ୍ଚାତଧାବନ କରିଥିବା ଶ୍ରୀଲଙ୍କା ମଧ୍ୟ ରବିବାର ପ୍ରଥମେ ଟସ୍ ଜିତିବା ଲକ୍ଷ୍ୟରେ ରହିବ। ବାସ୍ତବରେ ‌ଏସିଆ କପ୍‌ ଶ୍ରୀଲଙ୍କାରେ ହେବାର ଥିଲା, ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଥିଲା। ଏବେ ଅନେକ ପ୍ରତିକୂଳ ପରିସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାର ଯୁବ ଦଳ କିନ୍ତୁ ଆଶାଠାରୁ ଢେର ଅଧିକ ଉନ୍ନତ ପ୍ରଦର୍ଶନ ଦେଖାଇ ଏବେ ଟ୍ରଫି ଜିତିବାର ସମ୍ଭାବନା ସୃଷ୍ଟି କରିଛି। ସୁପର୍‌-୪ରେ ସୁପର୍‌ ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ଦଳକୁ ନେଇ ମଧ୍ୟ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଚିନ୍ତାରେ ପଡିଛି। ଦୁବାଇରେ ଖେଳାଯିବାକୁ ଥିବା ଫାଇନାଲରେ ପାକିସ୍ତାନକୁ ଟ୍ରଫି ବିଜୟ ପାଇଁ ମହମ୍ମଦ ରିଜୱାନ, ମହମ୍ମଦ ନୱାଜ ଓ ନସିମ୍ ସାହାଙ୍କ ଭଳି ଖେଳାଳିଙ୍କୁ ପୁଣି ଦମ୍‌ ଦେଖାଇବାକୁ ହେବ। ୨୦୧୪ରେ ଏହି ଫର୍ମାଟ (ଟ୍ବେଣ୍ଟି-୨୦)ରେ ଏସିଆ କପ୍‌ ଓ ବିଶ୍ବ ବିଜେତା ହୋଇଥିବା ଶ୍ରୀଲଙ୍କା ମଧ୍ୟ ଏହା ପରଠାରୁ ବଡ଼ ପ୍ରତିଯୋଗିତା ଜିତିନାହିଁ। ସେହି ଦୃଷ୍ଟିରୁ ଶ୍ରୀଲଙ୍କା ରବିବାର ଏସିଆ କପ୍‌ ଜିତିଲେ ଏହି ସଂଘର୍ଷରତ ଦେଶରେ କ୍ରି‌କେଟ୍‌ର ପୁନର୍ଜନ୍ମ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶ୍ରୀଲଙ୍କା ମଧ୍ୟ ଷଷ୍ଠ ଥର ଏସିଆ କପ୍‌ ଜିତିବା ଲକ୍ଷ୍ୟରେ ରହିଛି। ପାକିସ୍ତାନ କିନ୍ତୁ ୧୦ ବର୍ଷ ପରେ ଏସିଆ କପ୍‌ ଜିତିବାର ସୁଯୋଗ ପାଇଛି। ଦୁଇ ଥର ବିଜେତା ପାକିସ୍ତାନ ଶେଷ ଥର ପାଇଁ ୨୦୧୨ରେ ବିଜେତା ହୋଇଥିଲା।

ଶ୍ରୀଲଙ୍କା ପାଇଁ ଏହାର ଦୁଇ ଡାହାଣହାତୀ ପ୍ରାରମ୍ଭିକ ବ୍ୟାଟର୍‌ କୁସାଲ ମେଣ୍ଡିସ୍‌ ଓ ପଥୁମ ନିଶଙ୍କଙ୍କ ସହିତ ଦନୁଷ୍କା ଗୁଣତିଳକ, ଭାନୁକା ରାଜପକ୍ଷ, ଦାସୁନ ଶଣକା, ଚାମିକା କରୁଣାରତ୍ନେ ପ୍ରମୁଖ ବ୍ୟକ୍ତିଗତ ଭାବେ ଭଲ କରୁଛନ୍ତି। ଦଳର ବୋଲିଂ ବିବିଧତା ଏହି ଦଳକୁ ଶକ୍ତିଶାଳୀ ଭାବେ ଉଭା କରାଇଛି। ଶ୍ରୀଲଙ୍କା କ୍ରିକେଟ୍ ଦଳ ଗତ ୫ଟି ମ୍ୟାଚ୍‌ରେ ୨୮ ଛକା ଓ ୬୨ ଚୌକା ମାରିବା ଏହି ଦଳର କାହାଣୀକୁ ବ୍ୟାଖା କରୁଛି। ବୋଲିଂରେ ମଧ୍ୟ ମହେଶ ତିକ୍ଷଶାଣା, ଦିଲସାନ ମଧୁଶଙ୍କା, ୱାନିନ୍ଦୁ ହସରଙ୍ଗା ପ୍ରମୁଖ ଦାୟିତ୍ବ ସମ୍ଭାଳିଛନ୍ତି। ପାକିସ୍ତାନ ବ୍ୟାଟିଂ ମହମ୍ମଦ ରିଜୱାନ, ବାବର ଆଜମ, ଫକର ଜମାନ, ଇଫ୍‌ତିକାର ଅହମ୍ମଦ, ଖୁସଦିଲ ସାହାଙ୍କ ଉପରେ ରହିବ। ବୋଲିଂରେ ଦଳକୁ ନସିମ୍ ସାହା, ହାରିସ ‌ରୌଫ, ମହମ୍ମଦ ହସନୈନ, ସଦାବ ଖାନ୍‌ଙ୍କଠାରୁ ଭରସା ରହିବ।

ଟସ୍ ନିର୍ଣ୍ଣାୟକ ଭୂମିକା ନେବ ଏବଂ ଉଭୟ ଦଳ ଚାହିଁବେ ଜିତିବାକୁ। କାରଣ ବିଗତ ୩୦ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୨୬ଟି ଦଳ ପଛ ବ୍ୟାଟିଂରେ ଜିତିଛି। ଦୁଇ ଫାଇନାଲ୍ ପ୍ରତିଦ୍ବନ୍ଦ୍ବୀଙ୍କ ଦୃଷ୍ଟିରୁ ଦେଖିଲେ ପାକିସ୍ତାନ ଉନ୍ନତ ରହିଛି। ୨୦୨୧ ପରଠାରୁ ପ୍ରଥମେ ବ୍ୟାଟିଂ ବେଳେ ଶୀର୍ଷ ୧୦ ଦଳ ବିପକ୍ଷରେ ପାକିସ୍ତାନ ୧୨ ମ୍ୟାଚ୍‌ ଖେଳି ୫ ଜିତିଛି, ଶ୍ରୀଲଙ୍କା ୧୭ରୁ ମାତ୍ର ୨ଟି ଜିତିଛି। ଦ୍ବିତୀୟ ବ୍ୟାଟିଂ ବେଳେ ପାକିସ୍ତାନ ୧୭ରୁ ୧୩ ଏବଂ ଶ୍ରୀଲଙ୍କା ୧୯ରୁ ୯ ଜିତିଛି। ପୂର୍ବରୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ଏସିଆ କପ୍‌ ଫାଇନାଲ୍‌ରେ ପରସ୍ପରକୁ ୩ ଥର ଭେଟିଛନ୍ତି। ଶ୍ରୀଲଙ୍କା ଦୁଇ ଥର (୧୯୮୬ ଓ ୨୦୧୪) ଜିତିଥିବା ବେଳେ ପାକିସ୍ତାନ ୨୦୦୦ରେ ଟ୍ରଫି ହାସଲ କରିଥିଲା। ଶ୍ରୀଲଙ୍କା କିନ୍ତୁ ରେକର୍ଡ ସର୍ବାଧିକ ୧୧ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି।

ଶ୍ରୀଲଙ୍କା ସମ୍ଭାବ୍ୟ ୧୧: ପଥୁମ ନିଶଙ୍କା, କୁସାଲ ମେଣ୍ଡିସ୍, ଚରିତ ଅସଲଙ୍କା/ଧନଞ୍ଜୟ ଡି ସିଲ୍‌ଭା, ଦନୁଷ୍କା ଗୁଣତିଳକ, ଭାନୁକା ରାଜପକ୍ଷ, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତିକ୍ଷଶାଣା, ପ୍ରମୋଦ ମଧୁଶନ/ଅସିଥ ଫର୍ଣ୍ଣାଣ୍ଡୋ, ଦିଲସାନ ମଧୁଶଙ୍କା।

ପାକିସ୍ତାନ ସମ୍ଭାବ୍ୟ ୧୧: ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ଫକର ଜମାନ, ଇଫତିକାର ଅହମ୍ମଦ, ‌ସଦାବ ଖାନ୍‌, ମହମ୍ମଦ ନୱାଜ, ଅାସିଫ୍ ଅଲୀ, ଖୁସଦିଲ ସାହା, ହାରିସ ରୌଫ, ନସିମ୍ ସାହା, ମହମ୍ମଦ ହସନୈନ।

ସମ୍ବନ୍ଧିତ ଖବର