୪ ଛେଳି ଚୋର ଗିରଫ

ପଡ଼ିଆବାହାଲ: ଯୁଯୁମୁରା ଥାନା ପୁଲିସ୍‌ ଆଜି ୪ ଜଣ ଛେଳି ଚୋରଙ୍କୁ ଗିରଫ କରିଥିବା ବେଳେ ଏକ ଛେଳି ଓ ସ୍କୁଟର୍‌ ଜବତ କରିଛି। ପ୍ରାପ୍ତ ସୂଚନାନୁସାରେ ଗୋବର୍ଦ୍ଧନ ବଡ଼ମାଲର ଅଶ୍ବିନୀ ବେହେରାଙ୍କ ପୁଅ ଶୀତିକାନ୍ତ ଛେଳି ପାଳନ କରିବା ସହ ଗାଁ ପାକ୍ଷରେ ଏକ ଗୁହାଳ କରି ସେଥିରେ ରଖୁଛନ୍ତି। ତେବେ ଗତ ୪ ତାରିଖ ରାତିରେ ଚୋରମାନେ ଗୁହାଳ ତାଲା ଭାଙ୍ଗି ୨ଟି ଛେଳି ନେଇ ଯାଇଥିଲେ।

ପୁଣି ଥରେ ୭ ତାରିଖ ରାତିରେ ଏକ ଛେଳି ଚୋରି କରି ନେଇଥିଲେ। ଏ ନେଇ ଶୀତିକାନ୍ତ ଯୁଯୁମୁରା ଥାନାରେ ଏତଲା ଦେବା ପରେ କେସ୍‌ ନଂ. ୧୩୭/୨୨ରେ ଏକ ମାମଲା ରୁଜୁ ସହ ଏଏସ୍‌ଆଇ ଦୁର୍ଗା ପ୍ରସାଦ ସୁନା ତଦନ୍ତ କରି ଗୋଡ଼ଭଗା ଅନ୍ଧାରୀପତରାର ରାଜା ଗରଡ଼ିଆ, ଗୋଡ଼ଭଗା ଦଳମପୁରର ସମ୍ବିତ ସ୍ୱାଇଁ, ଗୋଡ଼ଭଗା ଛକର ରବି ସୁନା ଏବଂ ଝାରଖଣ୍ଡ ଛାଚେରିଆରରୁ ଆସି ଗୋଡ଼ଭଗାରେ ରହୁଥିବା ମହେନ୍ଦ୍ର ପ୍ରସାଦ ବରିକୁ ଗିରଫ କରିଥିଲେ। ସେମାନଙ୍କଠାରୁ ଗୋଟିଏ ଛେଳି ସହ ଏକ ସ୍କୁଟର୍‌ (ଓଡି ୧୫ୟୁ-୩୯୫୩)କୁ ପୁଲିସ୍‌ ଜବତ କରିଥିଲା। ଆଇପିସିର ଦଫା ୪୫୭ ଓ ୩୮୦ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର