ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ସନ୍ଦେଶ: ବୟସ୍କ ମହିଳାଙ୍କ ଦୃଢ଼ତା ଏବଂ ଅବଦାନ

ରାଜକିଶୋର ସାମନ୍ତରାୟ

ବରିଷ୍ଠମାନଙ୍କ ସୁରକ୍ଷା ନିମନ୍ତେ ରାଷ୍ଟ୍ର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଥବା କାର୍ଯ୍ୟକ୍ରମ ହେଲା ” ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ “। ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ଦିବସରେ ଏହା ପାଳନ କରାଯାଏ। ବରିଷ୍ଠଙ୍କ ଏକ ପ୍ରମୁଖ ସମସ୍ୟାକୁ ଅଗ୍ରାଧିକାର ଦିଆଯାଇ ଏହା ଉପରେ ସବିଶେଷ ଆଲୋଚନା ହୋଇଥାଏ । ବର୍ଷ ୨୦୨୨ର ଥିମ୍ ଅଥବା ମୁଖ୍ୟ ବିଷୟବସ୍ତୁ ରହିଛି, “ବରିଷ୍ଠ ମହିଳାଙ୍କ ଦୃଢ଼ତା ଏବଂ ସାମର୍ଥ୍ୟ“ ( The Resilience and Contributions of Older Women )। ବରିଷ୍ଠ ମହିଳାଙ୍କର ଅଭିଜ୍ଞତା,ସାମର୍ଥ୍ୟ ଏବଂ ସେମାନଙ୍କ ଅବଦାନ ସମ୍ବନ୍ଧରେ ଅବଗତ କରାଇବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ପରିବାର ତଥା ସମାଜ ପାଇଁ ସେମାନଙ୍କ ଆବଶ୍ୟକତା କେତେ ଜରୁରୀ; କୋଭିଡ୍ ସମୟରେ ବରିଷ୍ଠ ମହିଳାଗଣ ଏହାକୁ ପ୍ରମାଣିତ କରି ପାରିଛନ୍ତି ।

ବିଗତ ତିନି ବର୍ଷ, ସାରା ବିଶ୍ୱ ସାମ୍ନା କରିଛି ଏକ ଅଦ୍ଭୁତପୂର୍ବ ପରିସ୍ଥିତି। ପ୍ରଥମ ଦୁଇ ବର୍ଷର ସ୍ଥିତି ସମ୍ପୂର୍ଣ୍ଣ ଆୟତର ବାହାରେ ଥିଲା। ୨୦୨୦ ମସିହା ମାର୍ଚ୍ଚ ମାସରୁ ହିଁ ଦେଖିବାକୁ ମିଳିଥିଲା କୋଭିଡର ଭୟଙ୍କର ରୂପ ।ହଠାତ୍ ଆରମ୍ଭ ହୋଇଗଲା ଲକ ଡାଉନ, ସଟ୍ ଡାଉନ। ବଜାର, ସ୍କୁଲ କଲେଜ , ଅଫିସ ସବୁ ବନ୍ଦ । ବାହାରକୁ ବାହାରିବା ମନା । ଅନୁମତି ମିଳିଥିଲା କେବଳ ଡାକ୍ତର, ଓ ସ୍ୱାସ୍ଥ୍ୟକର୍ମୀ, ଗୁରୁତ୍ୱପୂର୍ଣ୍ଣ ବିଭାଗ କର୍ମଚାରୀ, ପରିବା ଏବଂ ଔଷଧ ଦୋକାନ। ପ୍ରାୟତଃ ପ୍ରତ୍ୟେକ ପରିବାରରୁ କେହି ନା କେହି କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଅଥବା ଘରେ କ୍ଵାରାଣ୍ଟାଇନରେ; ନଚେତ ଆଇସୋଲେସନରେ ରହିବାକୁ ପଡ଼ୁଥିଲା। ଚାକିରିରେ ଥିବା ପୁଅ ଝିଅ ଘରେ ରହି କାମ କଲେ । ସବୁଠାରୁ ଅଧିକ ଚାପ ମଧ୍ୟରେ ରହିଥିଲେ ମହିଳା, କାରଣ ପରିବାର ସମ୍ଭାଳିବାର ଦାୟିତ୍ୱ ସମ୍ପୂର୍ଣ୍ଣ ନ୍ୟସ୍ତ ଥିଲା ସେମାନଙ୍କ ଉପରେ। ଏକ ଜଟିଳ ତଥା ଅସାଧାରଣ ସମସ୍ୟାକୁ ସଫଳତାର ସହିତ ମୁକାବିଲା କରିବା ସମ୍ଭବ ହୋଇ ପାରିଥିଲା ବରିଷ୍ଠ ମହିଳାଙ୍କ ନମନୀୟତା, ସହନଶୀଳତା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ; ଯାହାକୁ ଆମେ The Resilience and Contribution of Older Women ର ଆଖ୍ୟା ଦେଇଛେ । ମାତ୍ର ଜାତି ସଂଘର ଉଦ୍ଦେଶ୍ୟ କେବଳ ମହିଳାଙ୍କ ସାମର୍ଥ୍ୟକୁ ସ୍ୱୀକୃତି ଦେବା ନୁହେଁ ବରଂ ସେମାନଙ୍କ ପ୍ରତି ସମାଜର ଅଭିମୁଖ୍ୟରେ ପରିବର୍ତ୍ତନ ଏବଂ ଅବସ୍ଥାରେ ସୁଧାର ଆଣିବା।

ଆମ ସମାଜରେ ଝିଅଟିଏ ପ୍ରାରମ୍ଭରୁ ହିଁ ପ୍ରତିକୂଳ ପରିବେଶ ମଧ୍ୟରେ ବଡ଼ ହୋଇଥାଏ। ଅନେକ ପରିବର୍ତ୍ତନ ଘଟିଲାଣି, ତଥାପି ନାରୀ ଜାତି ସମାନ ଅଧିକାର ପାଇଁ ସଂଘର୍ଷ କରୁଛି । ବରିଷ୍ଠ ମହିଳାଙ୍କ ସାମାଜିକ ସ୍ଥିତି ଅଧିକ ଶୋଚନୀୟ। ମୁଖ୍ୟ କାରଣ ଗୁଡ଼ିକ ହେଲା – ଶିକ୍ଷାର ଅଭାବ, କୁପୋଷଣ, ଅସୁସ୍ଥତା। ରହିବା ପାଇଁ ସେମାନଙ୍କ ନାମରେ କୌଣସି ଘର ନ ଥାଏ । ସବୁବେଳେ ପୁରୁଷଙ୍କ ଉପରେ ନିର୍ଭରଶୀଳ ଥିବାରୁ ଏବଂ ଆର୍ଥିକ ସ୍ୱାଧୀନତା ଅଭାବରୁ ସେମାନଙ୍କୁ ଅସମ୍ମାନ ଏବଂ ଅବହେଳାର ଶିକାର ହେବାକୁ ପଡ଼ିଥାଏ ।

ଅବସ୍ଥାରେ ସୁଧାର ଆଣିବାକୁ ହେଲେ ଜାତୀୟ ମହିଳା କମିଶନ ମାଧ୍ୟମରେ ଆଇନଗତ ଅଧିକାର ସମ୍ବନ୍ଧରେ ସଚେତନ କରାଯିବା ଦରକାର। କେତେକ ମୌଳିକ ଆବଶ୍ୟକତା ପୂରଣ ସହିତ, ସମ୍ପୁର୍ଣ୍ଣ ମାଗଣାରେ ଯାତାୟାତର ସୁବିଧା ଦେବା, ଅବିବାହିତ ବରିଷ୍ଠଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବା ଏବଂ ପେନସନ ସହିତ କାର୍ଯ୍ୟକ୍ଷମ ବରିଷ୍ଠ ମହିଳାଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବା ଦରକାର। ଏହା ସ୍ୱୀକାର କରିବାକୁ ହେବ, ପରିସ୍ଥିତିରେ ସୁଧାର ଆସୁଛି ; ମାତ୍ର ଏହା ତ୍ଵରାନ୍ଵିତ ହେବା ଦରକାର । ସବୁଠାରୁ ମୁଖ୍ୟ କଥା ହେଲା ପୁରୁଷ ପ୍ରଧାନ ସମାଜରେ ମହିଳାଙ୍କ ପ୍ରତି ମାନସିକତାରେ ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ ।

ଏହି ପବିତ୍ର ଦିବସରେ ଆମେ ଏତିକି ଆଶା କରିବା, ସମାଜ ଏବଂ ସରକାର ଏଭଳି କିଛି ବରିଷ୍ଠ ପଦକ୍ଷେପ ନିଅନ୍ତୁ ଯାହା ବରିଷ୍ଠ ମହିଳାଙ୍କୁ ଜୀବନର ଶେଷ ପର୍ଯାୟରେ ସୁଖ, ଶାନ୍ତି ଏବଂ ସମାନ ଅଧିକାର ନେଇ ବଞ୍ଚିବାରେ ସହାୟତା ହେବ !

 -ରାଜକିଶୋର ସାମନ୍ତରାୟ

ଯୁଗ୍ମ ସମ୍ପାଦକ, ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ

ସମ୍ବନ୍ଧିତ ଖବର