ବରଗଡ଼ ଧନୁଯାତ୍ରା ତାତି:ସାଂସ୍କୃତିକ କମିଟି ବୈଠକରେ ଖଣ୍ଡଯୁଦ୍ଧ    

ବରଗଡ଼: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ନେଇ ତାତି ବଢ଼ିଛି। ପ୍ରଥମତଃ କଳାକାର ଚୟନ ପ୍ରକ୍ରିୟା ପାଇଁ ଝଡ଼ ସୃଷ୍ଟି ହୋଇଥିଲା। ଏହି ତର୍କ ଅସମ୍ଭାଳ ହେବାରୁ ପ୍ରଥମ ଥର ପାଇଁ ଭୋଟିଂର ସାହାରା ନିଆଗଲା। ଭୋଟ୍‌ ମାଧ୍ୟମରେ ନିଷ୍ପତ୍ତି ହେଲା, କଳାକାର ଚୟନ ହେବ। ଏବେ କଳାକାରମାନେ ଚୟନ ପ୍ରକ୍ରିୟାରେ ଭା‌ଗ ନେବା ପାଇଁ ଆବେଦନପତ୍ର ଦାଖଲ କରିବା ଆରମ୍ଭ କରିଛନ୍ତି। ଶନିବାର ୪ଜଣ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି। ଆବେଦନ କରିବା ପରେ ଗଣମାଧ୍ୟମ ସମ୍ମୁଖରେ ଆଶାୟୀ କଳାକାରମାନେ ନିଜ ଦାବିଦାରି ଉପସ୍ଥାପନ କରୁଛନ୍ତି। ଦମ୍‌ଦାର୍‌ ସଂଳାପ ସହ ସଂକ୍ଷିପ୍ତ ଅଭିନୟ କରି ମନ ମୋହିବାକୁ ଉଦ୍ୟମ କରୁଛନ୍ତି। ୩୧ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ରହିଛି।

ତେଣୁ ଆଗକୁ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବଢ଼ିବା ନିଶ୍ଚିତ। ଗୋଟିଏ ପଟେ କଳାକାର ଚୟନକୁ ନେଇ ମାହୋଲ ଗରମ ରହିଥିବାବେଳେ ସାଂସ୍କୃତିକ କମିଟିର ବୈଠକରେ ଖଣ୍ଡଯୁଦ୍ଧ ଦେଖାଯାଇଛି। ଶନିବାର ସାଂସ୍କୃତିକ କମିଟିର ବୈଠକ ବସିଥିଲା। ଏଥିରେ ବିିଭିନ୍ନ ପ୍ରସଂଗ ନେଇ ଆଲୋଚନା ପାଇଁ ଧାର୍ଯ୍ୟ ରହିଥିଲା। ବୈଠକ ଆରମ୍ଭରୁ ଗୋପପୁର ଏବଂ ମଥୁରାର ରଂଗମହଲ, ରାଜଦରବାର ପାଇଁ ପୃଥକ୍‌ ପୃଥକ୍‌ ତିନିଜଣ ସାଂସ୍କୃତିକ ସହଆବାହାକଙ୍କୁ ଦାୟିତ୍ବ ଦେବାକୁ ପ୍ରସ୍ତାବ ପଡ଼ିଥିଲା। ତେବେ ଏନେଇ ତର୍କବିତର୍କ ଆରମ୍ଭ ହୋଇଥିଲା। ଏହାର ସପକ୍ଷ ଏବଂ ବିପକ୍ଷରେ ଥିବା କର୍ମକର୍ତା ମୁହାଁମୁହିଁ ହୋଇଥିଲେ। କ୍ରମଶଃ ଯୁକ୍ତିତର୍କ ବ୍ୟକ୍ତିଗତ ସ୍ତରକୁ ଚାଲି ଯାଇଥିଲା। ଏଡିଏମ୍‌ ମିର୍ଦ୍ଧା ଟପ୍ପୋଙ୍କ ସମ୍ମୁଖରେ ପ୍ରାୟ ଅଧଘଣ୍ଟା ଧରି ଏହି ଖଣ୍ଡଯୁଦ୍ଧ ଚାଲିଥିଲା। ପରେ ବୈଠକ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର