ଏମ୍‌ସ ପ୍ରାଙ୍ଗଣରୁ ତଡ଼ିଲେ, ରାସ୍ତାରେ ଶହଶହ ରୋଗୀ

ବର୍ଷେ ହେଲା କାର୍ଯ୍ୟକ୍ଷମ ହୋଇପାରୁନାହିଁ ଧର୍ମଶାଳା

ଭୁବନେଶ୍ବର: ପ୍ରଥମ ଥର ପାଇଁ ଘରୋଇ ଡାକ୍ତରଖାନା ଭଳି ଏମ୍‌ସ ପ୍ରାଙ୍ଗଣ ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ଆଡ୍‌ମିସନ ହୋଇନଥିବା ରୋଗୀ ଏବଂ ପରିଜନଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଫଳସ୍ବରୂପ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶହ ଶହ ସଂଖ୍ୟାରେ କ୍ୟାନ୍‌ସର, ହୃଦ୍‌ରୋଗ, କିଡ୍‌ନି, ନ୍ୟୁରୋ ଭଳି ଗୁରୁତର ଅବସ୍ଥାରେ ଥିବା ରୋଗୀମାନେ ପରିବାର ସହିତ ଏମ୍‌ସ ସମ୍ମୁଖ ରାସ୍ତାରେ ଫୁଟ୍‌ପାଥରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। ଏବେ ସେମାନଙ୍କୁ ସନ୍ତସନ୍ତିଆ ପରିବେଶ ମଧ୍ୟରେ ଅହରହ ଗାଡ଼ିମଟର ଯାତାୟାତ ଶବ୍ଦ ସହିତ ଲୁଟ୍ ଭୟ ମଧ୍ୟରେ ରହିବାକୁ ପଡ଼ୁଛି। ସେଥିରେ ପୁଣି ମହିଳାମାନଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏତିକିରେ କଥା ସରୁନାହିଁ, ସମ୍ବାଦ ସହିତ ଆଲୋଚନା ବେଳେ ଅନେକ ରୋଗୀ ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ କାଳେ ନ୍ୟୁଜ୍‌ ବାହାରିବା ପରେ ପୁଲିସ ତାଙ୍କୁ ଏଠାରୁ ଲାଠିମାଡ଼ କରି ତଡ଼ି ଦେବ।

ପଶ୍ଚିମବଙ୍ଗରୁ ଆସିଥିବା ମହିଳା ରୋଗୀ ରୁମାଜାନି, ନିଜର ଏବଂ ପୁଅର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବୁଧବାର ସଂଧ୍ୟାରେ ଏଠାରେ ପହଞ୍ଚିଛନ୍ତି। ହୋଟେଲରେ ରୁମ ବୁକ୍ କରି ରହିବା ପାଇଁ ପାଖରେ ଟଙ୍କା ନାହିଁ। ଅଳ୍ପ ଭଡ଼ା ବିଶିଷ୍ଟ ଛୋଟ ହୋଟେଲରେ ରୁମ୍‌ ମିଳିଲା ନାହିଁ। ରାଜ୍ୟ ବାହାରୁ ଆସିଥିବାରୁ ସଂଧ୍ୟାରେ ବେଶି ଖୋଜାଖୋଜି କରିବାକୁ ସାହାସ କରିନାହାନ୍ତି। ତେଣୁ ବାଧ୍ୟ ହୋଇ ପୁଅ ସହିତ ରାସ୍ତାରେ ଚାଦର ବିଛାଇ ଶୋଇରହିଛନ୍ତି। ଲୁଗା କେମିତି ବଦଳାଇବେ, ରାତିରେ ଶୌଚ ଲାଗିଲେ କ’ଣ କରିବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କର୍କଟ ରୋଗୀ ରବିନ ସେଠ୍‌ କହିଛନ୍ତି ସେ ପ୍ରାୟ ଏକ ବର୍ଷରୁ ଊର୍ଧ୍ବ କାଳ ହେଲା ଚିକିତ୍ସା ପାଇଁ ଏମ୍‌ସ ଆସୁଛନ୍ତି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଏବଂ ଡାକ୍ତରମାନେ ଅତି ଭଲ ଥିବାରୁ ସେ ଦୂର ବାଟରୁ ଏଠାକୁ ଦୌଡ଼ି ଆସନ୍ତି। ଟଙ୍କା ନଥିବାରୁ ଲଜ୍‌ରେ ରହିପାରନ୍ତିନାହିଁ। ଏମ୍‌ସ ଭିତରେ ଥିବା ପଡ଼ିଆରେ ରହିଯାଆନ୍ତି। କିନ୍ତୁ କେବେ ମଧ୍ୟ ଏଭଳି ରାସ୍ତାରେ ରହିବାକୁ ପଡ଼ି ନଥିବା ସେ ଜଣାଇଛନ୍ତି। ସଂଧ୍ୟାରେ କୌଣସି ରୋଗୀ ଏମ୍‌ସ ପ୍ରାଙ୍ଗଣରେ ରହିଗଲେ, ସୁରକ୍ଷାକର୍ମୀ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ପ୍ରତିଦିନ ଏମ୍‌ସକୁ ୪୦୦୦ରୁ ୪୫୦୦ ରୋଗୀ ଆସିଥାଆନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ପହଞ୍ଚିଥାଆନ୍ତି। ହସ୍ପିଟାଲରେ ଶଯ୍ୟା ଅଭାବରୁ ଅନେକ ରୋଗୀଙ୍କୁ ଭର୍ତ୍ତି କରାଯାଇପାରେନାହିଁ। କିଛି ରୋଗୀଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଚିକିତ୍ସା କରାଯାଏ ସିନା ହସ୍ପିଟାଲରେ ଭର୍ତ୍ତି କରାଯାଏନାହିଁ। ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଏଭଳି ନଥାଏ ଯେ ପ୍ରତିଦିନ ୫୦୦ ଟଙ୍କା ଖର୍ଚ୍ଚ କରି ଧର୍ମଶାଳାରେ ରୁମ୍‌ଟିଏ ଭଡ଼ା କରି ରହିବେ। ବାହାରୁ ଆସୁଥିବା ରୋଗୀଙ୍କ ପାଇଁ ଓପିଡି ଟିକେଟ କରିବା ସହଜ ନୁହେଁ। ତେଣୁ ରାତିରୁ ପହଞ୍ଚିବାକୁ ହୁଏ। କିଛି ଘଣ୍ଟା ପାଇଁ ଅନେକ ଗରିବ ରୋଗୀଙ୍କୁ ଭଡ଼ା ଦେବାକୁ କଷ୍ଟ ହୁଏ। ତେଣୁ ସେମାନେ ଡାକ୍ତରଖାନା ପରିସରରେ ପଡ଼ିଆରେ ଖୋଲା ଆକାଶ ତଳେ ଅପେକ୍ଷା କରନ୍ତି।

ଏହି ଗରିବ ରୋଗୀଙ୍କ ଆର୍ଥିକ ସମସ୍ୟା ଏମ୍‌ସ ସବୁବେଳେ ବୁଝିଆସିଛି। କେବେ ମଧ୍ୟ ଏମ୍‌ସ ପରିସରରେ ରୋଗୀ ଏବଂ ପରିଜନ ରହିବା ନେଇ କୌଣସି ନିର୍ଦ୍ଦେଶକ କିମ୍ବା ଡାକ୍ତର ଆପତ୍ତି କରିନାହାନ୍ତି। ବରଂ ଅପେକ୍ଷା କରୁଥିବା ରୋଗୀଙ୍କ ରହିବା ପାଇଁ ପ୍ରଥମେ ୧୦୦ରୁ ୧୫୦ ଲୋକ ରହିବା ଭଳି ଏକ ହଲ୍‌ ନିର୍ମାଣ ହେଲା। ଏହା ମଧ୍ୟ ଯଥେଷ୍ଟ ନହେବାରୁ ୨୦୨୦ ମସିହାରେ ନାଲ୍‌କୋର ଉନ୍ନୟନ ପାଣ୍ଠିରୁ ୨୭ କୋଟି ଟଙ୍କାରେ ଧର୍ମଶାଳା ନିର୍ମାଣ ହେଲା। ୨୦୦ରୁ ଅଧିକ କକ୍ଷରେ ୫୦୦ ରୋଗୀ ଓ ପରିଜନ ରହିବାର ବ୍ୟବସ୍ଥା କରାଯାଇଛି। ବର୍ଷେ ହେଲା ଏହାର ନିର୍ମାଣ ମଧ୍ୟ ସରିଯାଇଛି। ଆସବାବପତ୍ର ମଧ୍ୟ ଆସିଯାଇଛି। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଧର୍ମଶାଳାକୁ କାର୍ଯ୍ୟକ୍ଷମ କରିବା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ କହିଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ। ଯେଉଁଥିପାଇଁ ଥଣ୍ଡା ରାତିରେ ସଙ୍କଟାପନ୍ନ ସ୍ଥିତିରେ ରାସ୍ତାରେ ରୋଗୀ ଏବଂ ପରିଜନଙ୍କୁ ରହିବାକୁ ପଡ଼ୁଛି।

ଦଲାଲ ନିୟନ୍ତ୍ରଣ ପାଇଁ ସଂଧ୍ୟା ୬ ପରେ ଗେଟ ବନ୍ଦ ହେଲା: ଏମ୍‌ସ
ଏମ୍‌ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ଏମ୍‌ସରେ ବର୍ତ୍ତମାନ ଦଲାଲ ସକ୍ରିୟ ଅଛନ୍ତି। ରାତିରୁ ଅସାମାଜିକ ଏବଂ ଦଲାଲ ଶ୍ରେଣୀର ବ୍ୟକ୍ତି ଆସି ପହଞ୍ଚିଯାଉଛନ୍ତି ଏବଂ ଓପିଡି ଟିକେଟ କରି ତାକୁ ବିକ୍ରି କରୁଛନ୍ତି। ଏଥିଯୋଗୁଁ ପ୍ରକୃତ ରୋଗୀ ହଇରାଣ ହେଉଛନ୍ତି ଏବଂ କଷ୍ଟ ପାଉଛନ୍ତି। ଏପରିକି ଆଉ କିଛି ଦୁବୃର୍ତ୍ତ ରୋଗୀଙ୍କ ମେଳରେ ରହି ଚୋରି ସହିତ ବିଭିନ୍ନ ପ୍ରକାର ଅପରାଧ କରୁଛନ୍ତି। ତେଣୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଓପିଡି ସମୟ ବାହାରେ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏମ୍‌ସ ଗେଟ୍‌ ବନ୍ଦ କରିଦିଆଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ପରିଜନ ପାସ୍‌ ଦେଖାଇ ଭିତରେ ପଶିପାରିବେ।

ସମ୍ବନ୍ଧିତ ଖବର