ଫାର୍ମାସିଷ୍ଟ ଅଭାବରୁ କ୍ୟାପିଟାଲ ହସ୍ପିଟାଲରେ ବନ୍ଦ ହୋଇଯିବ ଓଟି !

ପଦବି ପୂରଣ ପାଇଁ ୫-ଟି ସଚିବଙ୍କୁ ଅନୁରୋଧ କଲେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏବେ ଫାର୍ମାସିଷ୍ଟ୍ ଅଭାବ ଜଟିଳ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ଖାଲିଥିବା ପଦବି ପୂରଣ ‌ନହେ‌ଲେ ଓଟି ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ଅତିକମ୍‌ରେ ୨୫ ଜଣ ଫାର୍ମା‌ସିଷ୍ଟଙ୍କ ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ୨୧ ଜଣ ରହିଥିବା ବେଳେ ଚଳିତ ମାସରେ ଜଣେ ଫାର୍ମାସିଷ୍ଟ ଅବସର ନେବେ। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ସେହି ଅନୁସା‌ରେ ‌ଗୋଟିଏ ଓଟିରୁ ଦୁଇଟି ଓଟିକୁ ବୃଦ୍ଧି କରାଯାଇଛି। ସେହି ଭଳି ୭ଟି ‌ଔଷଧ ବିତରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ବେଡ ସଂଖ୍ୟା ୭୬୦ ଥିବା ବେଳେ ରୋଗୀ ପ୍ରାୟ ୧୦୦୦ ରହୁଛନ୍ତି। ଷ୍ଟାଫ୍‌ ନର୍ସ ମଧ୍ୟ ଠିକ ପରିମାଣରେ ନାହାନ୍ତି।

ବର୍ତ୍ତମାନ ଜଣେ ଫାର୍ମାସିଷ୍ଟ୍ ଦୁଇଟି ଓଟି ସମ୍ଭାଳୁଥିବା ବେଳେ ସକାଳ ବେଳା ଜଣେ ଫାର୍ମାସିଷ୍ଟ ଏକା ସଙ୍ଗରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଓଟିର ୩ଟି ‌ଶଯ୍ୟା ଦାୟିତ୍ବରେ ରହୁଛନ୍ତି। ହସ୍ପିଟାଲରେ ଅଧିକା ଡାକ୍ତର ଯୋଗ ଦେବା ଫଳରେ ଅସ୍ତ୍ରୋପଚାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ‌ଫ‌ାର୍ମାସିଷ୍ଟମାନେ ବର୍ତ୍ତମାନ ଓଭର ଟାଇମ ଡ୍ୟୁଟି କରି ପରିଚାଳନା କରୁଛନ୍ତି। ଜରୁରୀ କା‌ର୍ଯ୍ୟ ନଥିଲେ ଛୁଟି ମଧ୍ୟ ଦିଆଯାଉନାହିଁ। ଏ ସମ୍ପର୍କରେ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ ପୂର୍ବରୁ ବହୁ ବାର ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସ ଯୋଗାଇ ଦେବାକୁ ଚିଠି ଲେଖାଯାଇଛି। ଆଜି ୫-ଟି ସଚିବ ହସ୍ପିଟାଲର ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନରେ ଆସିଥିବା ବେଳେ ତ‌ାଙ୍କୁ ମଧ୍ୟ ଏବାବଦରେ ଜଣାଯାଇଛି। ଖୁବ ଶୀଘ୍ର ଫାର୍ମାସିଷ୍ଟ ଯୋଗାଇ ଦିଆଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର