ବାଟବଣା ମୁଲ୍ଲା

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନଙ୍କ ଘର ଆଗରେ ଗୋଟିଏ ଦେଶୀ କୁକୁର ଶୋଉଥିଲା। ମୁଲ୍ଲା ତାକୁ ଖାଇବାକୁ ଦେଉଥିବାରୁ ସେ ଏକ ରକମର ପୋଷା ମାନି ଯାଇଥିଲା। କିନ୍ତୁ ତା ଉପରେ ସର୍ବଦା ଗରଗର ହେଉଥିଲେ ମୁଲ୍ଲାଙ୍କ ପତ୍ନୀ। ତାକୁ ସର୍ବଦା ଛି ଛାକର କରୁଥିଲେ।

ଦିନେ ସେ ମୁଲ୍ଲାଙ୍କୁ କହିଲେ- ଏହାକୁ ଏଠାରୁ ବିଦା କର।

ମୁଲ୍ଲା ଆଉ କରିବେ କ’ଣ? ସେ ଭାବିଲେ- କୁକୁରଟିକୁ ନେଇ ପାଖ ଜଙ୍ଗଲ ଭିତରେ ଛାଡ଼ି ଦେଇ ଆସିବେ ଯେ ସେ ଆଉ ବାଟ ପାଇବ ନାହିଁ।
ଏହା ଭାବି ସେ କୁକୁରଟିକୁ ଡାକି ନେଇ ଜଙ୍ଗଲର ପୂରା ଭିତରକୁ ପଶିଗଲେ।

ଯେତେବେଳେ ମୁଲ୍ଲାଙ୍କର ଘରକୁ ଫେରିବାରେ ଡେରି ହେଲା ତାଙ୍କ ପତ୍ନୀ ବ୍ୟସ୍ତ ହେଲେ। ସଂଧ୍ୟା ହେଲା ଅଥଚ ମୁଲ୍ଲା ଫେରିଲେ ନାହିଁ। ତାଙ୍କ ପତ୍ନୀ ପ୍ରମାଦ ଗଣିଲେ। ବିଳମ୍ବିତ ରାତିରେ ହଠାତ୍‌ କବାଟରେ ଆୱାଜ ଶୁଣି ମୁଲ୍ଲାଙ୍କ ପତ୍ନୀ ଖୋଲି ଦେଖନ୍ତି ତ ମୁଲ୍ଲା ଛିଡ଼ା ହୋଇଛନ୍ତି! ବିପର୍ଯ୍ୟସ୍ତ ଅବସ୍ଥା।

ମୁଲ୍ଲାଙ୍କ ପତ୍ନୀ ଉଚ୍ଚା ଗଳାରେ ପଚାରିଲେ- ଏତେ ବେଳ ଯାଏ ଥିଲ କୁଆଡ଼େ?

ମୁଲ୍ଲା କହିଲେ- ଆଉ କିଛି ପଚାର ନାହିଁ। କୁହ ଜୀବନ ବଞ୍ଚିଗଲା। ମୁଁ ତ ତାକୁ ନେଇ ଜଙ୍ଗଲ ଭିତରେ ଛାଡ଼ିଦେଲି। କିନ୍ତୁ ନିଜେ ହଜିଗଲି। ଏବେ ମୋ ଭଳି ବାଟ ବଣା ଲୋକ କରେ କ’ଣ? ବାଧ୍ୟ ହୋଇ ତା ପଛେ ପଛେ ଆସିଲି ବୋଲି ଘରକୁ ବାଟ ପାଇଲି।

ମୁଲ୍ଲାଙ୍କ ପତ୍ନୀ ଦେଖନ୍ତି ତ ମୁଲ୍ଲାଙ୍କ ପଛରେ ସେହି କୁକୁର ବାରଣ୍ଡା ତଳେ ବସି ଲାଞ୍ଜ ହଲାଉଛି।

ସମ୍ବନ୍ଧିତ ଖବର