ମୋ ଧଳା ବଲ୍ ପ୍ରଦର୍ଶନ ଖରାପ ନୁହେଁ: ପନ୍ତ୍‌

ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଦଳର ୱିକେଟରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ୍‌ଙ୍କ ସୀମିତ ଓଭର ପ୍ରଦର୍ଶନକୁ ନେଇ ସେ ଏବେ ଚିନ୍ତିତ ନୁହଁନ୍ତି। ‘ମୋ ଧଳାବଲ୍‌ ପ୍ରଦର୍ଶନ ଏତେ ଖରାପ ନୁହେଁ’ ବୋଲି କହିଛନ୍ତି ଏହି ବାମହାତୀ। ଫର୍ମକୁ ନେଇ ସଂଘର୍ଷ କରୁଥିବା ପନ୍ତ୍ ଚଳିତ ବର୍ଷ ଟ୍ବେଣ୍ଟି-୨୦ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଫେବ୍ରୁଆରିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିବା ପରଠାରୁ ସେ ଏ ପର୍ଯ୍ୟନ୍ତ ୨୧ ପାଳି ଖେଳି ମାତ୍ର ୨ ଥର ୩୦ ରନ୍‌ ଟପିଛନ୍ତି। ଦିନିକିଆରେ ଏହି ୨୫ ବର୍ଷୀୟ ଖେଳାଳି ୯ ପାଳିରେ ୨ ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ମାରିଛନ୍ତି।

ତୁଳନାତ୍ମକ ଭାବେ କିନ୍ତୁ ସେ ପୂର୍ବରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଶତକ ହାସଲ କରି ପ୍ରଶଂସିତ ହୋଇଛନ୍ତି। ‘ଖେଳ ଜୀବନର ଏଭଳି ଭାଗରେ ତୁଳନା କରିବାର କିଛି ମୂଲ୍ୟ ନାହିଁ। ମୋ‌ତେ ଏବେ ୨୪-୨୫ ବର୍ଷ ବୟସ। ମୋତେ ୩୦-୩୨ ବର୍ଷ ‌‌ହେବା ବେଳକୁ ତୁଳନା କଲେ ଭଲ, ଏହା ପୂର୍ବରୁ ନୁହେଁ’ ବୋଲି ପନ୍ତ୍‌ ପ୍ରକାଶ କରିଛନ୍ତି। ସୀମିତ ଓଭରରେ ନିଜ ପସନ୍ଦର ବ୍ୟାଟିଂ କଥା ପ୍ରଶ୍ନ ହେବାରୁ ପନ୍ତ କହିଥିଲେ, ‘ଟ୍ବେଣ୍ଟି-୨୦ରେ ଓପନିଂ, ଦିନିକିଆରେ ୪-୫ ନମ୍ବର ଏବଂ ଟେଷ୍ଟରେ ୫ ନମ୍ବର। ନିମ୍ନକ୍ରମରେ ବ୍ୟାଟିଂ କରୁଥିବା ବେଳେ ଯୋଜନାରେ ବି ପରିବର୍ତନ ହୋଇଥାଏ। ଦଳର ଆବଶ୍ୟକତା ଅନୁସାରେ ବି ବ୍ୟାଟିଂ କରିବାକୁ ପଡ଼େ’ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର