ଆଉ ଖୋଲିବନି ଆବାସ ପ୍ଲସ୍‌ ପୋର୍ଟାଲ୍‌

ଓଡ଼ିଶାର ଅନୁରୋଧ ଅଗ୍ରାହ୍ୟ, ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ : ପୁନଃ ସର୍ବେକ୍ଷଣ ପାଇଁ ‘ଆବାସ ‌ପ୍ଲସ୍‌ ପୋର୍ଟାଲ’ ଖୋଲିବା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଂଜନା ଜ୍ୟୋତି ବୁଧବାର ଦିନ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଉତ୍ତରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଏଥି ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ଅନେକ ଥର ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା। ଯେଉଁଥିରେ ଓଡ଼ିଶାକୁ ମଧ୍ୟ ସୁଯୋଗ ଦିଆଯାଇଥିଲା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ପୁନଃ ସର୍ବେକ୍ଷଣ ପାଇଁ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଅନୁମତି ପ୍ରଦାନ କରାଯାଇନାହିଁ।

ମନ୍ତ୍ରୀଙ୍କ ସୂଚନା ହେଲା, ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା (ଗ୍ରାମୀଣ) ଯୋଜନାରେ ଜାନୁଆରି ୨୦୧୮ରେ ଆବାସ ପ୍ଲସ୍‌ ପାଇଁ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯେଉଁମାନେ କି ସାମାଜିକ, ଆର୍ଥିକ ଓ ଜାତିଗତ ଜନଗଣନା-୨୦୧୧ ସର୍ବେକ୍ଷଣରେ ସାମିଲ ହୋଇପାରିନଥିଲେ। ଆୱାସ ପ୍ଲସ୍‌ର ସର୍ବେକ୍ଷଣର ପ୍ରାରମ୍ଭିକ ସମୟ ସୀମା ମାର୍ଚ ୩୧, ୨୦୧୮ ପର୍ଯ୍ୟନ୍ତ ଥିଲା। ଏହି ସମୟ ସୀମାକୁ ଚାରିଥର ବୃଦ୍ଧି କରାଯାଇଥିଲା। ଏହା ୨୦୧୯ ମାର୍ଚ ୭ ପର୍ଯ୍ୟନ୍ତ ଜାରି ରହିଥିଲା। ସର୍ବେକ୍ଷଣ ସମୟରେ ଫନି ବାତ୍ୟା କାରଣରୁ ବିଶେଷ ୱିଣ୍ଡୋ ବ୍ୟବସ୍ଥାରେ ଓଡ଼ିଶାର ୧୩ ଲକ୍ଷ ୨୦ ହଜାର ୯୪୫ ଯୋଗ୍ୟ ପରିବାର ପଞ୍ଜୀକୃତ ହୋଇଥିଲେ। ଇତିମଧ୍ୟରେ ଓଡ଼ିଶାରେ ପିଏମୱାଇ (ଗ୍ରାମୀଣ)ର କାର୍ଯ୍ୟକାରିତାରେ ଅନିୟମିତତା ଅଭିଯୋଗ ଆସିଥିଲା। ବହୁ ବାର ଏ ସମ୍ପର୍କରେ ସ୍ମରଣ କରାଯିବା ସ‌ତ୍ତ୍ବେ ପଦକ୍ଷେପ ଗ୍ରହଣ ରିପୋର୍ଟ ରାଜ୍ୟରୁ ଆସିବାରେ ବିଳମ୍ବ ହୋଇଥିଲା କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ‘ଆବାସ ‌ପ୍ଲସ୍‌ ପୋର୍ଟାଲ’ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପୂର୍ବରୁ ବହୁ ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର