ଓଡ଼ିଶା ହସ୍ତତନ୍ତର ଇତିହାସ ବହୁ ପ୍ରାଚୀନ: ରାଜ୍ୟପାଳ

କଳାଭୂମିରେ ଫ୍ୟାସନ୍‌ ସୋ’ ‘ୱାକ୍‌ ଫର୍‌ ୱିଭର୍ସ’

ଖଣ୍ଡଗିରି: ଓଡ଼ିଶା ହସ୍ତତନ୍ତର ଇତିହାସ ବହୁ ପ୍ରାଚୀନ। ଏହା ପ୍ରକୃତି ଦ୍ୱାରା ପ୍ରେରିତ। ଓଡ଼ିଶାର ଗର୍ବ ଏବଂ ଗୌରବ ହସ୍ତତନ୍ତ କଳାରେ ଓଡ଼ିଶା ଜନଜୀବନର ଶୈଳୀ, ପରମ୍ପରା, ଲୋକଚରିତ୍ର ଏବଂ ଲୋକକଥା ବହୁ ମାତ୍ରାରେ ପ୍ରକାଶିତ ହୋଇଥାଏ ବୋଲି କଳାଭୂମିରେ ଆୟୋଜିତ ଫ୍ୟାସନ୍‌ ସୋ’ ‘ୱାକ୍‌ ଫର୍‌ ୱିଭର୍ସ’‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଓଡ଼ିଶା ହସ୍ତତନ୍ତ ସାମଗ୍ରୀ କିଭଳି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିବ, ସେଥିପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟ ଜାରି ରଖିଛନ୍ତି। ସେହିଭଳି କର୍ପୋ‌ରେଟ୍‌ ଜଗତ ମଧ୍ୟ ଏହାକୁ ପ୍ରୋତ୍ସାହିତ କରିବା ଲାଗି ଆଗେଇ ଆସିବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍‌ କହିଛନ୍ତି। ତେବେ ଭଗବାନଙ୍କ ଦୂତ ବୁଣାକାରଙ୍କ ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ସମସ୍ତେ ପିନ୍ଧିବା ଆବଶ୍ୟକ ବୋଲି ସେ ଏହି ଅବସରରେ ଆହ୍ବାନ ଦେଇଛନ୍ତି।

ଭୁବନେଶ୍ବର ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର(ଡବ୍ଲୁଟିସି) ଓ ଓଡ଼ିଶା ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସେ ଆହୁରି କହିଛନ୍ତି ଯେ ବୁଣାକାରମାନଙ୍କୁ ସହାୟତା ଦେବା ପାଇଁ ବିଦେଶୀ ପରିକଳ୍ପିତ ପୋଷାକ ବଦଳରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସମ୍ମିଳନୀ କାର୍ଯ୍ୟକ୍ରମରେ ହସ୍ତତନ୍ତ ତିଆରି ପୋଷାକର ବ୍ୟବହାର ଆବଶ୍ୟକ। ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ କହିଥିଲେ ଯେ କେବଳ ଫ୍ୟାସନ୍‌ ସେକ୍ଟରରୁ ୪ ପ୍ରତିଶତ କାର୍ବନ ବାହାରୁଛି। ତେଣୁ ହସ୍ତତନ୍ତରେ ବ୍ୟବହୃତ ହେଉଥିବା ପରିବେ‌ଶ ଅନୁକୂଳ ରଙ୍ଗ ଅନେକ ମାତ୍ରାରେ ପ୍ରଦୂଷଣ ରୋକି ପାରିବ। ଅନ୍ୟମାନଙ୍କ ମଧ୍ୟରେ ଡବ୍ଲୁଟିସି ଭୁବନେଶ୍ବରର ସହକାରୀ ନିର୍ଦେଶିକା ନିମେଶିକା ନଟରାଜନ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ତିଆର ଡାଇରେକ୍ଟର ଜେନେରାଲ୍ ସୁନୀଲ ଶୁକ୍ଳା, ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍‌ ଟେକ୍ନୋଲୋଜିର ପ୍ରଫେସର ବିବି ଜେନା ବକ୍ତବ୍ୟ ରଖିଥିଲେ। ଡବ୍ଲୁଟିସି ଭୁବନେଶ୍ବରର ପରାମର୍ଶଦାତା ପଞ୍ଚମୀ ମାନୁ ଉକିଲ୍ ବିବରଣୀ ପ୍ରଦାନ କରିଥିବା ବେଳେ ଭୁବନେଶ୍ବର ମହିଳା ଫୋରମ୍‌ ପରାମର୍ଶଦାତା ରୀନା ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ବୁଣାକାର ପ୍ରଫୁଲ୍ଲ ମେହେର, ସୁଶୀଳା ମେହେର, ରାମପ୍ରସାଦ ମେହେର, ବବିତା ମେହେର, ସୁକାନ୍ତି ମେହେର, ମଲ୍ଲିକା ବେୱା, ଜଗଜ୍ଜୀବନ ଚାନ୍ଦ, ପ୍ରମୋଦ କୁମାର ସୁର ଏବଂ ପ୍ରସନ୍ନ କୁମାର ଗୁଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅପରାହ୍ଣ‌ରେ ଏକ ପ୍ରଦର୍ଶନୀକୁ ବିଧାୟିକା ଲତିକା ପ୍ରଧାନ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବୟନ ଶିଳ୍ପ ବିଭାଗ ଉପନିର୍ଦ୍ଦେଶିକା ମଧୁସ୍ମିତା ଦାସ, ଓଏଏସ୍‌ ରାଜା ପରିଜା, ଜାତୀୟ ପୁରସ୍କାର ବିଜୟିନୀ ବୁଣାକାର ସୁକାନ୍ତି ମେହେର ଏବଂ ବୟନିକାର ବିପଣନ ପ୍ରବନ୍ଧକ ଅର୍ଥରଞ୍ଜନ ମହାପାତ୍ର ଯୋଗ ଦେଇ ବୁଣାକାରମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର