ଆସନ୍ତାକାଲି ଆସିବ ନିର୍ବାଚନ ଫଳାଫଳ, ସତ ହୋଇଯିବ କି ହିମନ୍ତଙ୍କ ଭବିଷ୍ୟବାଣୀ?

ଫେଲ ମାରିବ କି ଏକଜିଟ୍ ପୋଲ୍ ଆକଳନ

ଗୌହାଟୀ: ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ | ତେବେ ଏହାରି ଭିତରେ ମେଘାଳୟର ରାଜନୀତିରୁ ବଡ ଖବର ଆସୁଛି। ବାସ୍ତବରେ ଆସାମର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସଂଯୋଜକ ହିମନ୍ତ ବିଶ୍ୱସର୍ମା ମେଘାଳୟର ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କନରାଡ ସାଙ୍ଗମାଙ୍କୁ ଭେଟିଛନ୍ତି। ସୂଚନାନୁସାରେ, ସାଙ୍ଗମା ଗୌହାଟୀରେ ଥିବାବେଳେ ହିମନ୍ତ ପହଞ୍ଚି ତାଙ୍କୁ ଭେଟିଥିଲେ। ତେବେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣାପଡ଼ିନଥିଲେ ବି ନିର୍ବାଚନ ଫଳାଫଳ ଆସିବାର ଦିନକ ପୂର୍ବରୁ ଏହି ଭେଟଘାଟକୁ ନେଇ ରାଜନୈତିକ ପଣ୍ଡିତମାନେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି |

ବାସ୍ତବରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଦର୍ଶାଯାଇଥିଲା ଯେ ମେଘାଳୟରେ ବିଜେପିକୁ ଏଥର ମାତ୍ର ୬ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। କୌଣସି ଦଳ ବା ମେଣ୍ଟକୁ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟକ ଆସନ ମିଳିନପାରେ। ତେବେ କନରାଡ ସାଙ୍ଗମାଙ୍କ ଏନ୍‌ପିପି ଦଳ ସର୍ବାଧିକ ଆସନ ପାଇବ। ୬୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଦଳକୁ ୨୧ଟିରୁ ୨୬ଟି ପର୍ଯ୍ୟନ୍ତ ଆସନ ମିଳିବ। ଆଉ ଏଠାରେ ଝୁଲା ବିଧାନସଭା ହୋଇପାରେ | ତେବେ ଏହି ଆକଳନକୁ ଖଣ୍ଡନ କରିଥିଲେ ହିମନ୍ତ |

ସେ କହିଥିଲେ ଯେ ମେଘାଳୟରେ ଜିତିଥିବା ଆସନ ଆଧାରରେ ନିଷ୍ପତ୍ତି ନିଆଯିବ | ତେବେ ଏନଡିଏ ସହଭାଗୀମାନଙ୍କ ମଧ୍ୟରୁ କେହି କଂଗ୍ରେସ କିମ୍ବା ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ |ଉଲ୍ଲେଖ ଥାଉ କି ନିର୍ବାଚନ ପୂର୍ବରୁ ସିଟ୍ ବଣ୍ଟନକୁ ନେଇ ବିବାଦ ଦେଖାଯିବାରୁ ବିଜେପି-ଏନ୍‌ପିପି ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଏନପିପି ମୁଖ୍ୟଙ୍କୁ ହିମନ୍ତ ଭେଟିବା ପରେ ରଣନୀତି ପ୍ରସ୍ତୁତ ହୋଇଥିବାର କୁହାଯାଉଛି |

ସମ୍ବନ୍ଧିତ ଖବର