ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପରିବାରକୁ ମିଳିଲା ହତ୍ୟା ଧମକ

ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପିତା-ମାତା ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି | ଏପ୍ରିଲ ୨୫ ପୂର୍ବରୁ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ସିଦ୍ଧୁ ମୁସେୱାଲାଙ୍କ ପରିବାର ଏ ବାବଦରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସୂତ୍ରରୁ ଏହା ଜଣାପଡିଛି ଯେ ରାଜସ୍ଥାନର ଯୋଧପୁର ସହରରୁ ଏହି ଫୋନ କଲ ଆସିଥିବାବେଳେ ଧମକ ଦେଇଥିବା ଯୁବକଙ୍କୁ ଧରିବାକୁ ଏବେ ମାନସା ପୁଲିସ ରାଜସ୍ଥାନରେ ଚଢ଼ାଉ କରିଛି | ଉଲ୍ଲେଖନୀୟ କଥା ହେଉଛି, ପଞ୍ଜାବର ମାନସାଠାରେ ମେ ୨୯, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାର ଅନୁସନ୍ଧାନ ବେଳେ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଜାଣିବାକୁ ପାଇଥିଲା ଯେ ଗୋଲ୍ଡି ବ୍ରା-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲା ।

ସିଦ୍ଧୁଙ୍କ ହତ୍ୟା ପୂର୍ବରୁ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରିବାର ଯୋଜନା ଥିଲା। ସୂତ୍ରରୁ ଜଣାପଡିଥିଲା ଯେ ଗୋଲ୍ଡି ବ୍ରାର୍-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପସୁଟର କପିଲ ପଣ୍ଡିତ ଏହି ସମ୍ପୂର୍ଣ୍ଣ ଅପରେସନ୍ ପରିଚାଳନା କରୁଥିଲା। ପଣ୍ଡିତକୁ ନେପାଳ ସୀମାରୁ ଗିରଫ କରାଯାଇଥିଲା। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ମୁମ୍ବାଇର ପନଭେଲ ଅଞ୍ଚଳରେ ଏକ ଭଡା ଘର ନେଇଥିବା ଜଣାପଡିଥିଲା । ପନଭେଲରେ ସଲମାନ ଖାନଙ୍କର ଏକ ଫାର୍ମ ହାଉସ ଅଛି | କପିଲ ପଣ୍ଡିତ ସହ ସନ୍ତୋଷ ଯାଦବ ଓ ଆଉ କିଛି ଅଭିଯୁକ୍ତ ଅସ୍ତ୍ରଶସ୍ତ୍ରକୁ ସେମାନେ ଭଡା ନେଇଥିବା ଘରେ ରଖିଥିଲେ। ତେବେ ଏହା ବିଫଳ ହୋଇଥିଲା |

ସମ୍ବନ୍ଧିତ ଖବର