ସରକାରୀ ବାସଭବନ ଛାଡ଼ିବେ ରାହୁଲ: କହିଲେ ଏହି ଘର ସହ ମୋର ଅନେକ ମଧୁର ସ୍ମୃତି ଜଡ଼ିତ

ନୂଆଦିଲ୍ଲୀ: ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ଛାଡ଼ିବା ପାଇଁ ନୋଟିସ୍‌ ଦିଆଯାଇଛି। ଏପ୍ରିଲ ୨୨ ସୁଦ୍ଧା ରାହୁଲ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ୍‌ ଦିଆଯାଇଛି।

ଗତକାଲି ରାହୁଲଙ୍କୁ ନୋଟିସ୍‌ ମିଳିବା ପରେ ରାହୁଲ ଗାନ୍ଧି ଆଜି ଲୋକସଭା ସଚିବାଳୟର ଉପସଚିବ ଡକ୍ଟର ମୋହିତ ରଞ୍ଜନଙ୍କ ନିକଟକୁ ଏକ ଚିଠି ଲେଖି କହିଛନ୍ତି ଯେ, ‘ଲୋକସଭାର ଜଣେ ନିର୍ବାଚିତ ସଦସ୍ୟ ଭାବରେ ଗତ ଚାରିଟି କାର୍ଯ୍ୟକାଳ ମୁଁ ଏହି ଘରେ ବିତାଇଛି।  ମୋର ଏଠାରେ  ଅନେକ ମଧୁର ସ୍ମୃତି ରହିଛି।’ ସେ ଆହୁରି ବି କହିଛନ୍ତି କି ଆପଣ ଚିଠିରେ ଉଲ୍ଲେଖ କରିଥିବା ସର୍ତ୍ତାବଳୀକୁ ମୁଁ ପାଳନ କରିବି।

 

ଉଲ୍ଲେଖଯୋଗ୍ୟ, ୨୦୦୪ ମସିହାରେ ପ୍ରଥମେ ସାଂସଦ ହୋଇଥିବା ରାହୁଲ ଗାନ୍ଧି ୨୦୦୫ ମସିହାରୁ ଏହି ବାସଭବନରେ ଥିଲେ। ଗୁଜୁରାଟର ଏକ କୋର୍ଟ ତାଙ୍କୁ “ମୋଦୀ ସାଙ୍ଗିଆ” ମନ୍ତବ୍ୟ ସହ ଜଡିତ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବାର ଗୋଟିଏ ଦିନ ପରେ ରାହୁଲଙ୍କୁ ସାଂସଦ ଭାବରେ ଅଯୋଗ୍ୟ କରାଯାଇଥିଲା ଏବଂ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହାଛଡ଼ା ଗତକାଲି ତ‌ାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍‌ ଦିଆ ଯାଇଥିଲା।

ତାଙ୍କର ଅଯୋଗ୍ୟ ଘୋଷଣା ହେବାର ଦୁଇ ଦିନ ପରେ ଲୋକସଭା ଗୃହ ପ୍ୟାନେଲରୁ ବହିଷ୍କାର ନୋଟିସ ଆସିଥିଲା। ଗୁଜୁରାଟ କୋର୍ଟର ରାୟ ବିରୋଧରେ ଏକ ଆବେଦନ କରିବେ ବୋଲି କଂଗ୍ରେସ ନେତା ରାହୁଲ କହିଛନ୍ତି। ତାଙ୍କୁ ଆବେଦନ କରିବାକୁ ୩୦ ଦିନ ସମୟ ଦିଆଯାଇଛି।

ସମ୍ବନ୍ଧିତ ଖବର