ଇନ୍‌ଫୋସିସ୍‌ ଉପରେ ଅର୍ଥମନ୍ତ୍ରୀ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଆୟକର ବିଭାଗର ନୂଆ ପୋର୍ଟାଲ୍‌ www.incometax.gov.inର ତ୍ରୁଟି ଅଢ଼େଇ ମାସ ଭଳି ଲମ୍ବା ସମୟରେ ମଧ୍ୟ ସମାଧାନ ହୋଇପାରୁନଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଭୀର ଅସନ୍ତୋଷ ଜାହିର କରିଛନ୍ତି। ଆଜି ଇନ୍‌ଫୋସିସ୍‌ର ସିଇଓ ଶଲିଲ ପାରେଖଙ୍କୁ ଡକାଇ ‌ସେ ଏବିଷୟରେ ଆଲୋଚନା କରିଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା ତ୍ରୁଟି ସୁଧାରିବାକୁ ଇନ୍‌ଫୋସିସ୍‌କୁ ଅର୍ଥମନ୍ତ୍ରୀ ସମୟ ଦେଇଛନ୍ତି। କଂପାନିର ସିଇଓ ଅର୍ଥମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ ୭୫୦ରୁ ଅଧିକ ଲୋକ ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି। କଂପାନିର ସିଓଓ ପ୍ରବୀଣ ରାଓ ବ୍ୟକ୍ତିଗତ ଭାବେ ପ୍ରକଳ୍ପ ଅଗ୍ରଗତିର ତଦାରଖ କରୁଛନ୍ତି। ଲଗାତାର ଦୁଇ ଦିନ ପର୍ଯ୍ୟନ୍ତ ନୂଆ ପୋର୍ଟାଲ୍ ଉପଲବ୍ଧ ନହେବାରୁ ଟିକସଦାତାମାନେ ସୋସିଆଲ ମିଡିଆ ଅଭିଯୋଗ କରିଥିଲେ। ସେମାନେ ପୋର୍ଟାଲ୍‌ର ସ୍କ୍ରିନ୍‌ସଟ୍‌ ପୋଷ୍ଟ କରି ଅର୍ଥମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିଥିଲେ। ମାମଲାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଗମ୍ଭୀରତାର ସହ ନେଇ ଇନ୍‌ଫୋସିସ୍‌ ସିଇଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ତ୍ରୁଟିର କାରଣ ଏବଂ ନିରାକରଣ ଉପାୟ ବିଷୟରେ ଜଣାଇବାକୁ କହିଥିଲେ। ପୋର୍ଟାଲ୍‌ର ଜରୁରୀକାଳୀନ ମରାମତି ଶେଷ ହେବା ପରେ ତାହା ଟିକସଦାତାଙ୍କ ପାଇଁ ଉପଲବ୍ଧ ହେବ ବୋଲି ଇନ୍‌ଫୋସିସ୍‌ ପକ୍ଷରୁ ଟ୍ବିଟର୍‌ ଜରିଆରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର