ଜାତୀୟ ମନେଟାଇଜେସନ୍ ପାଇପ୍‌ଲାଇନ୍ ଘୋଷଣା: ଅବ୍ୟବହୃତ ସରକାରୀ ସମ୍ପତ୍ତି ଉପରେ ଆଖି

ସମ୍ପତ୍ତି ମାଲିକାନା ସରକାରଙ୍କ ପାଖରେ ରହିବ, ୪ ବର୍ଷରେ ସରକାର ଜୁଟାଇବେ ୬ ଲକ୍ଷ କୋଟି

ନୂଆଦିଲ୍ଲୀ: ରାଜସ୍ବ ଯୋଗାଡ଼ କରିବା ଲାଗି ସଂଘର୍ଷ କରୁଥିବା କେନ୍ଦ୍ର ସରକାର ଅବ୍ୟବହୃତ ସରକାରୀ ସମ୍ପତ୍ତିଗୁଡ଼ିକ ଉପରେ ଆଖି ପକାଇଛନ୍ତି। ସେଗୁଡ଼ିକରୁ କିଭଳି ଆୟ ହୋଇପାରିବ ‌େସଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜାତୀୟ ମନେଟାଇଜେସନ୍ ପାଇପ୍‌ଲାଇନ୍ ବିଷୟରେ ଘୋଷଣା କରିଛନ୍ତି। ସଡ଼କ, ରେଳ, ବିଦ୍ୟୁତ, ଗ୍ୟାସ୍‌ ପାଇପ୍‌ଲାଇନ୍, ଟେଲିକମ୍, ଗୋଦାମ, ଖଣି, ବିମାନ ଚଳାଚଳ, ବନ୍ଦର, ସହରାଞ୍ଚଳରେ ଥିବା କୋଠା ବା ଜମି ଏବଂ ଷ୍ଟାଡିୟମ୍ ଆଦି କ୍ଷେତ୍ରରେ ସରକାରଙ୍କ ଯେଉଁ ସମ୍ପତ୍ତିଗୁଡ଼ିକ ରହିଛି ସେଥିରୁ ବିଭିନ୍ନ ଉପାୟରେ ଅର୍ଥ ଉପାର୍ଜନ କରିବା ଲାଗି ଉଦ୍ୟମ କରାଯିବ। ଏହି ଯୋଜନାରେ ଚାରି ବର୍ଷରେ ୬ ଲକ୍ଷ କୋଟି ଟଙ୍କାର ଆୟ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରଣାଳୟ ଅଧୀନରେ ଥିବା ୨୦ରୁ ଅଧିକ ପ୍ରକାର ସମ୍ପତ୍ତିକୁ ଏଥିରେ ସାମିଲ କରାଯାଇଛି। ଏହି ଯୋଜନାରେ ସଡ଼କ, ‌ରେଳ ଓ ବିଦ୍ୟୁତ ଶକ୍ତି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯିବ। ‌ଏହି ଯୋଜନା ବିଷୟରେ ଘୋଷଣା କରି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଚୁକ୍ତି ଭିତ୍ତିକ ସହଯୋଗିତା ଜରିଆରେ ସରକାର ବିଭିନ୍ନ ସମ୍ପତ୍ତିରୁ ଆୟ କରିବେ।

ଏହା ଦ୍ବାରା ଅଯଥାରେ ପଡ଼ିରହିଥିବା ସମ୍ପତ୍ତିରୁ କିଛି ଆୟ ହୋଇପାରିବ। ‌ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ କୌଣସି ସରକାରୀ ସମ୍ପତ୍ତି ବିକ୍ରି କରାଯିବ ନାହିଁ। କେବଳ ସେଗୁଡ଼ିକୁ ଆହୁରି ଉନ୍ନତ ଢଙ୍ଗରେ ବ୍ୟବହାର କରାଯିବ। ସମ୍ପତ୍ତିଗୁଡ଼ିକର ମାଲିକାନା ସରକାରଙ୍କ ପାଖରେ ରହିବ। କେବଳ ଅଳ୍ପ ବ୍ୟବହାର ହେଉଥିବା କିମ୍ବା ଅବ୍ୟବହୃତ ହୋଇ ଖାଲି ପଡ଼ିଥିବା ସମ୍ପତ୍ତିଗୁଡ଼ିକୁ ମନେଟାଇଜେସନ୍ ପାଇପ୍‌ଲାଇନ୍‌ରେ ସାମିଲ କରାଯିବ। ସେଥିରୁ ଯେଉଁ ଆୟ ହେବ ତାହାକୁ ଭିତ୍ତିଭୂମି ବିକଶିତ କରିବାରେ ବ୍ୟବହାର କରାଯିବ। ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି ଯେ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ସରକାରୀ ନିବେଶ ଏବଂ ଭିତ୍ତିଭୂମିରେ ଲୁଚି ରହିଥିବା ମୂଲ୍ୟ ସରକାରଙ୍କୁ ମିଳିପାରିବ।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପ୍ରଭାବ ଯୋଗୁଁ ରାଜସ୍ବ ଯୋଗାଡ଼ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଜିଏସ୍‌ଟି ସଂଗ୍ରହ ଓ ‌ତୈଳ ଟିକସକୁ ବାଦ ଦେଲେ ଅନ୍ୟ ଉତ୍ସରୁ ଟିକସ ସଂଗ୍ରହ ଆଶାନୁରୂପ ରହିନାହିଁ। ଏଭଳି ପରିସ୍ଥିତିରେ ପୁଞ୍ଜି ପ୍ରତ୍ୟାହାର ଓ ସମ୍ପତ୍ତି ମନେଟାଇଜେସନ୍‌ ଉପରେ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଚଳିତ ଆର୍ଥିକ ବର୍ଷରେ ଦୁଇ ସରକାରୀ କଂପାନି ଏୟାର ଇଣ୍ଡିଆ ଓ ବିପିସିଏଲ୍‌କୁ ବିକ୍ରି କରାଯିବ।

ସମ୍ବନ୍ଧିତ ଖବର