ଏଣିକି ୧୮ସେକେଣ୍ଡରେ ମିଳିବ ଲୋକାଲ ଟ୍ରେନ୍‌ ଟିକେଟ୍‌, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଲୋକାଲ ଟ୍ରେନ୍‌ ଟିକେଟ କାଟିବା ପାଇଁ ଯାତ୍ରୀଙ୍କୁ ଷ୍ଟେସନ୍‌ରେ ଧାଡି ବାନ୍ଧି ଛିଡା ହେବାକୁ ପଡ଼ିଥାଏ। ଏଣିକି ଆଉ ଯାତ୍ରୀଙ୍କୁ ଲୋକାଲ ଟ୍ରେନ୍‌ରେ ଟିକେଟ ପାଇଁ ଷ୍ଟେସନ୍‌ରେ ଧାଡ଼ି ବାନ୍ଧି ଛିଡା ହେବାକୁ ପଡ଼ିବ ନାହିଁ। ଏଥିପାଇଁ ରେଳାବାଇ ଏକ ନୂତନ ସେବାର ଶୁଭାରମ୍ଭ କରିବାକୁ ଯାଉଛି। ଏହି ସେବା ଦ୍ୱାରା ଲୋକାଲ ଟ୍ରେନ୍‌ ଟିକେଟ ଆପଣ ମୋବାଇଲ ନମ୍ବରରେ କରିପାରିବେ। ଏହାପରେ ଯାତ୍ରୀ ଷ୍ଟେସନ୍‌କୁ ଯାଇ ତାହାର ପ୍ରିଣ୍ଟ ଆଉଟ୍‌ ବାହାର କରି ପାରିବାର ବିକଳ୍ପ ରଖାଯାଇଛି। ଏହି ସେବା ପ୍ରଥମେ ମୁମ୍ବାଇରୁ ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଲାଗୁ ହୋଇଯିବ।

ଲୋକାଲ ଟ୍ରେନ୍‌ ଟିକେଟ ବୁକିଂ ପାଇଁ ପ୍ରଥମେ ସ୍ମାର୍ଟଫୋନ୍‌ରୁ ‘ୟୁଟିଏସ୍‌ ମୋବାଇଲ ଆପ’ ଡାଉନ୍‌ଲୋଡ କରିବାକୁ ପଡ଼ିବ। ଏହାପରେ ୟୁଟିଏସ୍‌ ଏପ୍ଲିକେସନ୍‌ ଜରିଆରେ ଟିକେଟ ବୁକ୍‌ କରିବେ। ଟିକେଟ ବୁକ୍‌ କରିବା ପରେ କ୍ୟୁଆର୍‌ କୋଡ ମିଳିବ। ଏହାପରେ ଷ୍ଟେସନରେ ପହଞ୍ଚି ଏହାର ପ୍ରିଣ୍ଟଆଉଟ ବାହାର କରିବାକୁ ପଡ଼ିବ। ଏହି ପ୍ରିଣ୍ଟଆଉଟ୍‌ ପାଇଁ ଆପଣଙ୍କୁ ମାତ୍ର ୧୮ସେକେଣ୍ଡର ସମୟ ଲାଗିବ। ଏଥିପାଇଁ ରେଳବାଇ ଷ୍ଟେସନ୍‌ରେ ୫୦ଟି ହାଇଟେକ୍‌ କିଓସ୍କସ୍‌ ସ୍ଥାପନ କରିଛନ୍ତି।

ଏହି ସେବାକୁ ପ୍ରଥମେ ମୁମ୍ବାଇରେ ଆରମ୍ଭ କରାଯିବ। କୋଡକୁ ସ୍କାନ୍‌ କରିବା ପାଇଁ ପ୍ରିଣ୍ଟଆଉଟ ଦେବା ଓସିଆର୍‌ ମେସିନ୍‌ ସର୍ବପ୍ରଥମେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ରେଲେଓ୍‌ ଷ୍ଟେସନ୍‌, ଘାଟୋକପୁର, ଥାଣେ, ଡୋବିବଲି, କଲ୍ୟାଣ, ଚର୍ଚଗେଟ, ଦାଦର, ବାନ୍ଦ୍ରା, ଅନ୍ଧେରି ଓ ବୋରିବଲିରେ ଲଗାଯିବ। ବର୍ତ୍ତମାନ ଏହି ମେସିନ୍‌ କେବଳ ପରୀକ୍ଷାମୂଳକ ଭାବେ ଲଗାଯାଇଛି। ଯଦି ଏହି ସେବା ସଫଳ ହୁଏ, ତେବେ ଯାଇ ଅନ୍ୟ ଷ୍ଟେସନମାନଙ୍କରେ ଏହି ମେସିନ୍‌ ଲଗାଯିବ।

ଏହି ସେବା ସଫଳ ହେବାପରେ ମୋବାଇଲ ଟିକେଟିଂ ଉପରେ ସୁଧାର ଅଣାଯିବ। ଏବେ କେବଳ ସ୍ମାର୍ଟଫୋନ୍ରୁ ଟିକେଟ ବୁକ୍‌ କରାଯିବାର ସୁବିଧା ରହିଛି। ପରବର୍ତ୍ତୀ ସମୟରେ ସମସ୍ତ ଫୋନ୍‌ ଟିକେଟ ବୁକ୍‌ କରିବାର ସୁବିଧା ଲପଲବ୍ଧ ରହିବ। ଆଗାମୀ ଦିନରେ ଲୋକାଲ ଟ୍ରେନ୍‌ ଟିକେଟ୍‌ ୟୁଏସ୍‌ଏସ୍‌ଡି କୋଡରେ ବି ବୁକ୍‌ କରାଯାଇପାରିବ।

ସମ୍ବନ୍ଧିତ ଖବର