ବିଦେଶରୁ ଭାରତୀୟ ପଠାଉଥିବା ରାଶି ୨୩% କମିଯିବ: ବିଶ୍ବବ୍ୟାଙ୍କ

ଲକ୍‌ଡାଉନ୍ ପାଇଁ ଭାରତରେ ୪ କୋଟି ଶ୍ରମିକ ପ୍ରଭାବିତ

ୱାସିଂଟନ: ବିଦେଶରେ ରହି ଆୟ କରୁଥିବା ଭାରତୀୟମାନେ ପ୍ରତିବର୍ଷ ରେକର୍ଡ ପରମାଣର ଅର୍ଥରାଶି ଭାରତକୁ ପଠାନ୍ତି। ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେବ। କରୋନାଭୂତାଣୁ ପ୍ରଭାବରେ ଭାରତକୁ ଆସୁଥିବା ରେମିଟାନ୍ସ ରାଶି ୨୩% ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।

ଗତବର୍ଷ ଭାରତୀୟମାନେ ଦେଶକୁ ୮୩୦୦ କୋଟି ଡଲାର ପଠାଇଥିଲେ। ଚଳିତ ବର୍ଷ ସେମାନେ ୬୪୦୦ କୋଟି ଡଲାର ପଠାଇପାରିବେ ବୋଲି ବିଶ୍ବବ୍ୟାଙ୍କ କହିଛି। କେବଳ ଭାରତ ନୁହେଁ ପ୍ରାୟ ସବୁ ଦେଶର ରେମିଟାନ୍ସରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିବ। ବିଦେଶରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କ ଆୟରେ ବଡ଼ ଧରଣର ହ୍ରାସ ଘଟିବ। ତେଣୁ ସେମାନେ ସ୍ବାଭାବିକ ଭାବେ ଯେତିକି ଟଙ୍କା ପଠାଉଥିଲେ ତାହା ଏବର୍ଷ ପଠାଇପାରିବେନି। କିଛି ଶ୍ରମିକ ଛଟେଇ ହେବାର ଆଶଙ୍କା ରହିଛି ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ବିକାଶଶୀଳ ଦେଶଗୁଡ଼ିକର ଏକ ପ୍ରମୁଖ ଆୟ ହେଉଛି ରେମିଟାନ୍ସ। କୋଭିଡ୍‌-୧୯ ପ୍ରଭାବ ସମଗ୍ର ବିଶ୍ବରେ ଥିବାରୁ ସବୁ ଦେଶରେ ରୋଜଗାର ଓ ଆୟ ପ୍ରଭାବିତ ହେବ। ରେମିଟାନ୍ସ ଆୟ କମ୍ ହେବାକୁ ଯାଉଥିବାରୁ ବିକାଶଶୀଳ ଦେଶଗୁଡ଼ିକରେ ସୁଧାର ମଧ୍ୟ ମନ୍ଥର ହେବ ବୋଲି ବିଶ୍ବବ୍ୟାଙ୍କ ଗ୍ରୁପ୍‌ର ସଭାପତି ଡେଭିଡ୍‌ ମାଲ୍‌ପାସ୍‌ କହିଛନ୍ତି। ରେମିଟାନ୍ସ ଦ୍ବାରା ବିଭିନ୍ନ ଦେଶର ପରିବାରକୁ ଖାଦ୍ୟ, ସ୍ବାସ୍ଥ୍ୟ ସେବା ଓ ମୌଳିକ ଆବଶ୍ୟକତା ମିଳିଥାଏ। ରେମିଟାନ୍ସ ଚ୍ୟାନେଲ୍‌ ଯେଭଳି ଉନ୍ମୁକ୍ତ ରହିପାରିବ ଓ ଗରିବ ଲୋକମାନଙ୍କ ମୌଳିକ ଆବଶ୍ୟକତା ଯେଭଳି ନିଶ୍ଚିତ ହୋଇପାରିବ ସେଦିଗରେ ବିଶ୍ବବ୍ୟାଙ୍କ କାର୍ଯ୍ୟ କରୁଛି ବୋଲି ଶ୍ରୀ ମାଲ୍‌ପାସ୍ କହିଛନ୍ତି। ବିଶ୍ବବ୍ୟାଙ୍କ ଆକଳନ ଅନୁଯାୟୀ, ୟୁରୋପ ଓ କେନ୍ଦ୍ର ଏସିଆରେ ରେମିଟାନ୍ସ ୨୭.୫ ପ୍ରତିଶତ କମିବ। ସାହାରା ନିକଟବର୍ତୀ ଆଫ୍ରିକୀୟ ଦେଶରେ ୨୩.୧ ପ୍ରତିଶତ, ଦକ୍ଷିଣ ଏସିଆରେ ୨୨.୧ ପ୍ରତିଶତ, ମଧ୍ୟ ପ୍ରାଚ୍ୟ ଓ ଉତ୍ତର ଆଫ୍ରିକାରେ ୯.୬ ପ୍ରତିଶତ, ଲାଟିନ୍ ଆମେରିକା ଓ କାରବୀୟ ଦ୍ବୀପରେ ୧୯.୩ ପ୍ରତିଶତ, ପୂର୍ବ ଏସିଆରେ ୧୩ ପ୍ରତିଶତ ହ୍ର‌ାସ ପାଇବ। ପାକିସ୍ତାନର ରେମିଟାନ୍ସ ୨୩ ପ୍ରତିଶତ, ବାଲାଂଦେଶର ୨୨ ପ୍ରତିଶତ, ନେପାଳର ୧୪ ପ୍ରତିଶତ ଓ ଶ୍ରୀଲଙ୍କାର ୧୯ ପ୍ରତିଶତ ହ୍ରାସ ପାଇବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।

ଲକ୍‌ଡାଉନ୍ ପାଇଁ ଭାରତରେ ୪ କୋଟି ଶ୍ରମିକ ପ୍ରଭାବିତ
ୱାସିଂଟନ: କରୋନାଭୂତାଣୁ ମୁକାବିଲା ଲାଗି ଭାରତ ସରକାର ଗତ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ କାର୍ଯ୍ୟକାରୀ କରିବା ପରଠାରୁ ଦେଶ ଭିତରେ ବିଭିନ୍ନ ସ୍ଥାନରେ ରହି କାର୍ଯ୍ୟ କରୁଥିବା ୪ କୋଟି ଶ୍ରମିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ବିଶ୍ବବ୍ୟାଙ୍କ କହିଛି। ଲକ୍‌ଡାଉନ୍ ଘୋଷଣା ହେବାର କିଛି ଦିନ ଭିତରେ ବିପୁଳ ସଂଖ୍ୟକ ଶ୍ରମିକ ସହର ଛାଡ଼ି ଗାଁକୁ ପଳାଇଥି‌ଲେ। ଲକ୍‌ଡାଉନ୍ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ନିୟମ ଶ୍ରମିକ ବର୍ଗଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। କେବଳ ଭାରତ ନୁହେଁ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ମଧ୍ୟ ସେହିଭଳି ସ୍ଥିତି ରହିଛି। ଶ୍ରମିକମାନେ ଆଉ ଘରକୁ ଫେରିପାରୁନାହାନ୍ତି। ଅସୁବିଧାରେ ପଡ଼ିଥିବା ଶ୍ରମିକଙ୍କୁ ସ୍ବାସ୍ଥ୍ୟ ସେବା, ନଗଦ ରାଶି ସିଧାସଳଖ ହସ୍ତାନ୍ତର ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଦିଗରେ ସରକାର କାର୍ଯ୍ୟ କରିବା ଦରକାର ବୋଲି ବିଶ୍ବବ୍ୟାଙ୍କ କହିଛି। କେବଳ ଦେଶ ଭିତର ଶ୍ରମିକ ନୁହେଁ ବରଂ ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ଦେଶରେ ରହି କାର୍ଯ୍ୟ କରୁଥିବା ଶ୍ରମିକ ପ୍ରଭାବିତ ହୋଇଛନ୍ତି। ମଧ୍ୟ ପ୍ରାଚ୍ୟରେ କାର୍ଯ୍ୟ କରୁଥିବା ଭାରତର କିଛି ଲୋକ ସ୍ବଦେଶ ଫେରି ଆସିଛନ୍ତି। ଚୀନ୍ ଓ ଇରାନ ଭଳି ଦେଶରୁ ଶ୍ରମିକଙ୍କୁ ସ୍ବତନ୍ତ୍ର ବିମାନ ଜରିଅ‌ାରେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର