ଫ୍ଲିପ୍‌କାର୍ଟକୁ ୧୦,୬୦୦ କୋଟିର ଟିକସ ନୋଟିସ୍‌, ବୈଦେଶିକ ମୁଦ୍ରା ନିୟମ ଉଲ୍ଲଂଘନ ଅଭିଯୋଗ

୯୦ ଦିନରେ ଉତ୍ତର ଦେବାକୁ ନିର୍ଦେଶ

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ଫ୍ଲିପ୍‌କାର୍ଟ, ଏହାର ପ୍ରତିଷ୍ଠାତା ଓ ଅନ୍ୟ ୯ ଜଣ ବ୍ୟକ୍ତିଙ୍କୁ ନୋଟିସ୍‌ ପଠାଯାଇଛି। କଂପାନି ଉପରେ କାହିଁକି ୧୦,୬୦୦ କୋଟି ଟଙ୍କାର ଟିକସ ଲାଗୁ କରାନଯିବ ତାହା ଜଣାଇବା ଲାଗି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୦୦୯ରୁ ୨୦୧୫ ମଧ୍ୟରେ ବିଦେଶରୁ ପୁଞ୍ଜିନିବେଶ ହାସଲ କରିବା ବେଳେ ଫ୍ଲିପ୍‌କାର୍ଟ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ କରିଥିବା ଇଡି ପକ୍ଷରୁ ଦାବି କରାଯାଇଛି। କଂପାନିର ପ୍ରତିଷ୍ଠାତା ସଚିନ ବଂଶଲ, ବିନ୍ନି ବଂଶଲ ଓ କଂପାନି ସହ ଜଡ଼ିତ ଥିବା ଅନ୍ୟ ୯ ଜଣଙ୍କୁ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଆସନ୍ତା ୯୦ ଦିନ ଭିତରେ ନୋଟିସ୍‌ର ଉତ୍ତର ଦେବାକୁ ସେମାନଙ୍କୁ କୁହାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ଫ୍ଲିପ୍‌କାର୍ଟର ପ୍ରବକ୍ତା ଏକ ବିଜ୍ଞପ୍ତି ଜାରି କରି ଜଣାଇଛନ୍ତି କଂପାନି ଦେଶରେ ପ୍ରଚଳନରେ ଥିବା ସମସ୍ତ ନିୟମ, ଏଭଳିକି ଏଫ୍‌ଡିଆଇ ନିୟମକୁ ପାଳନ କରୁଛି। ୨୦୦୯-୨୦୧୫ ଭିତରେ ହୋଇଥିବା ନିବେଶ ଉପରେ କର୍ତ୍ତୃପକ୍ଷ ଯେଉଁ ସୂଚନା ପାଇବାକୁ ଚାହୁଛନ୍ତି ଆମେ ସେଥିରେ ପୂର୍ଣ୍ଣ ସହଯୋଗ କରିବୁ। ୨୦୧୮ରେ ଫ୍ଲିପ୍‌କାର୍ଟକୁ ୧୬୦୦ କୋଟି ଡଲାରରେ ୱାଲ୍‌ମାର୍ଟ କିଣିଥିଲା। ସେହି ସମୟରେ କଂପାନିର ପ୍ରତିଷ୍ଠାତା ସଚିନ ବଂଶଲ ନିଜର ସବୁ ଅଂଶଧନ ବିକି ଦେଇଥିବା ବେଳେ ଅନ୍ୟତମ ପ୍ରତିଷ୍ଠାନା ବିନ୍ନି ବଂଶଲ ଅଳ୍ପ ପରିମାଣର ଅଂଶଧନ ପାଖରେ ରଖି ଅବଶିଷ୍ଟ ବିକି ଦେଇଥିଲେ। ଜାପାନର ସଫ୍ଟବ୍ୟାକ୍ ଏହାର ଅଂଶଧନ ବିକି ଦେଇଥିଲା।

ଦେଶର ଦୁଇ ପ୍ରମୁଖ ଇ-କମର୍ସ କଂପାନି ଆମାଜନ୍ ଓ ଫ୍ଲିପ୍‌କାର୍ଟ ବିରୋଧରେ ଏଫ୍‌ଡିଆଇ ନିୟମ ଉଲ୍ଲଂଘନ ଅଭିଯୋଗ ରହିଛି ତାହାର ତଦନ୍ତ ବହୁ ଦିନ ହେଲାଣି ଇଡି କରୁଛି। ଆମେରିକୀୟ କଂପାନି ୱାଲ୍‌ମାର୍ଟ ମାଲିକାନାରେ ଫ୍ଲିପ୍‌କାର୍ଟ ରହିଥିବା ବେଳେ ବିଶ୍ବର ଏକ ନମ୍ବର ଧନୀ ତଥା ଆମେରିକୀୟ ବ୍ୟବସାୟୀ ଜେଫ୍ ବେଜୋସ୍‌ଙ୍କ ସଂସ୍ଥା ହେଉଛି ଆମାଜନ୍। ଏହି ଦୁଇ ସଂସ୍ଥା ଭାରତରେ ଥିବା ଏଫ୍‌ଡିଆଇ ନିୟମକୁ ଉଲ୍ଲଂଘନ କରି ନିବେଶ କରିଥିବା କୁହାଯାଉଛି। ପୋର୍ଟାଲ୍‌ରେ ବିକ୍ରିକୁ ନେଇ ରହିଥିବା କେତେକ ନିୟମକୁ ମଧ୍ୟ ଏହି ଦୁଇ କଂପାନି ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି। ବ୍ୟବସାୟରେ ପ୍ରତିଯୋଗିତା ପାଇଁ ରହିଥିବା ନିୟମକୁ ମଧ୍ୟ ଏହି ଦୁଇ କଂପାନି ପାଳନ କରୁନଥିବା ଅଭିଯୋଗ ରହିଛି। ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ତାହାର ତଦନ୍ତ କରୁଛି। ତଦନ୍ତ ଅଟକାଇବା ଲାଗି ଦୁଇ କଂପାନି କୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର